କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସରକାରୀ ଜମି ଉପରେ ଦୀର୍ଘ ସମୟ ଧରି ଗରିବ, ଶ୍ରମଜୀବୀ ଓ ସାଧାରଣ ପରିବାରମାନେ ବସୋବାସ କରିଆସୁଛନ୍ତି । କିନ୍ତୁ ସମ୍ପ୍ରତି ହଟାତ୍ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାରୁ, ସେହି ପରିବାରମାନେ ଗଭୀର ମାନସିକ ଚାପ ଓ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯେଉଁ ଜମିଗୁଡ଼ିକ ଉପରେ ଉଚ୍ଛେଦ କରାଯାଉଛି, ସେଠାରେ ବର୍ତ୍ତମାନ ସମୟରେ କୌଣସି ସରକାରୀ ପ୍ରକଳ୍ପ, ଉନ୍ନତିମୂଳକ କାର୍ଯ୍ୟ କିମ୍ବା ତତ୍କାଳ ଆବଶ୍ୟକତା ଥିବା ଦେଖାଯାଉନାହିଁ । ଏପରି ପରିସ୍ଥିତିରେ, ଥୟଥାନ ବା ପୁନର୍ବାସ ବ୍ୟବସ୍ଥା ବିନା ଉଚ୍ଛେଦ କରାଯିବାକୁ ଲୋକମାନେ ମାନବିକ ଦୃଷ୍ଟିକୋଣରୁ ଅନୁଚିତ ବୋଲି ମତ ପ୍ରକାଶ କରିଛନ୍ତି ।

ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଏକ ଶାନ୍ତିପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଲୋକମାନେ ନିଜ-ନିଜ ସମସ୍ୟା ଓ ମତାମତ ରଖିଥିବା ବେଳେ, ସର୍ବସମ୍ମତିକ୍ରମେ କିଛି ଦାବି ଉଠାଯାଇଛି ।

ଲୋକମାନଙ୍କ ଦାବି ଅନୁସାରେ
ଦୀର୍ଘ ସମୟ ଧରି ବସୋବାସ କରୁଥିବା ଯୋଗ୍ୟ ପରିବାରମାନଙ୍କୁ ସ୍ଥାୟୀ କରାଯାଉ ।
ଯଦି ଉଚ୍ଛେଦ ଅତ୍ୟାବଶ୍ୟକ, ତେବେ ପୂର୍ବରୁ ପୁନର୍ବାସ ଓ ଥୟଥାନ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ ।
ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଲୋକଙ୍କ ସହ ଆଲୋଚନା ଓ ସହମତି ନିଆଯାଉ ।

ଉଚ୍ଛେଦ ପ୍ରକ୍ରିୟାକୁ କିଛିଦିନ ପାଇଁ ଅସ୍ଥାୟୀ ଭାବରେ ବନ୍ଦ ରଖି, ସମସ୍ୟାର ନ୍ୟାୟସଙ୍ଗତ ସମାଧାନ କରାଯାଉ ।
ଲୋକମାନେ ସ୍ପଷ୍ଟ କରିଛନ୍ତି ଯେ, ଏପରି ହଟାତ୍ ଉଚ୍ଛେଦ ପ୍ରକ୍ରିୟା ଦ୍ୱାରା ଗ୍ରାମ ଓ ସହର ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି । ସରକାର ଓ ପ୍ରଶାସନ ଯଦି ତତ୍କାଳ ହସ୍ତକ୍ଷେପ କରି ମାନବିକ ଦୃଷ୍ଟିକୋଣରେ ନିଷ୍ପତ୍ତି ନେବେ ନାହିଁ, ତେବେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ପ୍ରକାଶ ପାଇଛି ।
