ଆବାସ ଯୋଜନାରେ ଘର ଖଣ୍ଡିକ ପାଇଁ ଦୀର୍ଘ ବର୍ଷରୁ ପ୍ରତୀକ୍ଷାରେ ବୃଦ୍ଧ ଦମ୍ପତି।
ଗରିବ ଲୋକମାନଙ୍କ ପାଇଁ ଉଦିଷ୍ଟ ଯୋଜନାକୁ ବହୁତ ସ୍ଵଛ ବର୍ଗର ଲୋକ ହାତେଇବା ପାଇଁ ସକ୍ଷମ ହୁଅନ୍ତି। ରାଜନୈତିକ ବ୍ୟକ୍ତି ମାନେ, ଲାଞ୍ଚୁଆ ସରକାରୀ କର୍ମଚାରୀ ଏବଂ ସରକାରୀ ଅଫିସର ମାନଙ୍କର ବେପରୁଆ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହେଇଥାଏ। ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”। ଭାତ ହାଣ୍ଡିରୁ ଗୋଟିଏ ଭାତ ପରଖିଲା ଭଳି ଆମ ମୁନିଗୁଡା ସାମ୍ବାଦିକ ଆନନ୍ଦ ରାଓ ଏକ ସମସ୍ୟାକୁ ଦର୍ଶାଇଛନ୍ତି।
ପ୍ରତ୍ୟେକ ଗରିବ ଗୃହ ହୀନ ପରିବାରକୁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିବ,ଏହି ଆଶାରେ ଅନେକ ଗରିବ ପରିବାର ଦୀର୍ଘବର୍ଷ ହେବ ଗାଆଁ ଗଣ୍ଡାରେ ଅପେକ୍ଷାରେ ଅଛନ୍ତି।ହେଲେ ଘର ମିଳିବା ସାତ ସପନ ହୋଇ ଯାଉଥିବା ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଆଗୂଳ ପଞ୍ଚାୟତ ନିଆଳି ଗାଁର ବୃଦ୍ଧା ଡମ୍ବା ପ୍ରାସ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି।ଦୀର୍ଘ ଦୁଇ ଦଶନ୍ଧି ଧରି ଘର ଖଣ୍ଡେ ପାଇବା ପାଇଁ ସେ ସରକାରୀ ବାବୁ ମାନଙ୍କୁ ବହୁତ ନେହୁରା ହେଲେଣି।କଞ୍ଚା ବୟସ ଯାଇ ବୁଢ଼ାପା ଆସିଗଲା ସିନା ହେଲେ ସରପଞ୍ଚ ବିଡ଼ିଓ କେହି ତା ଦୁଃଖ ଶୁଣିଲେନି ବୋଲି ବୁଢ଼ୀ ଦୁଃଖରେ କହିଲା ବେଳେ ତା”ପେଜୁଆ ଆଖି ଦୁଇଟି ଲୁହରେ ଜକେଇ ଆସିଥିଲା।ଅନେକ ସ୍ଵପ୍ନଭରା ମନ ଯେପରି ତାଙ୍କର ଅନେକ ଦିନୁ ମରିଯାଇଛି। ଘରେ ବୃଦ୍ଧ ସ୍ୱାମି ଚକରା ପ୍ରାସକା।ବୟସର ଅପରାହ୍ନରେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଦୁହିଁଙ୍କ ଏକମାତ୍ର ସମ୍ବଳ।ଝିଅଟିଏ ଥିଲା ତାକୁ ବାହାକରି ଦେଇଛନ୍ତି। ପଡିଆ ଜମିବାଡ଼ି କେଇଗୁଣ୍ଠ, ସେଥିରେ କିଛି ହେବାର ନାହିଁ।ଆଗରୁ ବଳ ଥିଲା,ସେଇ ପଡିଆ ଜମିରେ ଡଙ୍ଗର ଫସଲ କିଛି ହେଉଥିଲା।
ଜୀବନ ଦୀପ ଲିଭିଯିବା ଆଗରୁ ବୁଢ଼ା ବୁଢ଼ୀ ଏତିକି ଅନୁଭବ କରନ୍ତୁ ସରକାର ଆମକୁ ଘର ଖଣ୍ଡେ ଦେଇଛନ୍ତି, ଆମର ପକ୍କା ଘରଟିଏ ଅଛି।
ମୁନିଗୁଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଆନନ୍ଦ ରାଓଙ୍କ ରିପୋର୍ଟ।
ଗରିବର ହକ ଲୁଟୁଛି ପ୍ରଶାସନ!
