ଜେମାଦେଇପେଣ୍ଟା ରେଳ ଷ୍ଟେସନରେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ

ଜେମାଦେଇପେଣ୍ଟା ରେଳ ଷ୍ଟେସନରେ ସଂସ୍କୃତ ଶିକ୍ଷକଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା।
ରାୟଗଡା ଜିଲ୍ଲା ସଦର ବ୍ଲକ ଶେକଶାଖାଳ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଟା ରେଳ ଷ୍ଟେସନ ନିକଟରେ ଆଜି ସକାଳୁ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ଜେମାଦେଇପେଣ୍ଟା କଳିଙ୍ଗ ହାଇସ୍କୁଲର ସଂସ୍କୃତ ଶିକ୍ଷକ ପଞ୍ଚାନନ ଚୌଧୁରୀ (ବୟସ୍ ପ୍ରାୟ ୫୫ ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେ ପାରଳାଖେମୁଣ୍ଡି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।
ସୂଚନା ଅନୁସାରେ, ପ୍ରତିଦିନର ଭଳି ପଞ୍ଚାନନ ଚୌଧୁରୀ ଆଜି ସକାଳେ ଘରୁ ବାହାରି ସ୍କୁଲକୁ ଯାଇଥିଲେ ଏବଂ ସ୍କୁଲ ପ୍ରାଙ୍ଗଣରେ ନିଜ ବାଇକ୍ ରଖିଥିଲେ। ପରେ ସେ ନିକଟସ୍ଥ ଜେମାଦେଇପେଣ୍ଟା ରେଳ ଷ୍ଟେସନ ଅଞ୍ଚଳକୁ ଯାଇଥିବା କୁହାଯାଉଛି। ଘଟଣାସ୍ଥଳରୁ ତାଙ୍କର କିଛି ବ୍ୟକ୍ତିଗତ ସାମଗ୍ରୀ ଓ ଏକ ଚିଠି ମିଳିଥିବା ସୂଚନା ମିଳିଛି। ପରେ ଟ୍ରେନ ଚଳାଚଳ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ଶେକଶାଖାଳ ପୋଲିସ ଓ ରେଳୱେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ଏବଂ ମିଳିଥିବା ଚିଠିକୁ ଜବତ କରିଛନ୍ତି। ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ, ପୋଲିସ ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପୋଲିସ ତଦନ୍ତ ଜାରି ରଖିଛି।
ପଞ୍ଚାନନ ଚୌଧୁରୀ ଜଣେ ନିଷ୍ଠାବାନ ଓ ଛାତ୍ରପ୍ରିୟ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ସ୍କୁଲର ଶିକ୍ଷକମଣ୍ଡଳୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି।
ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *