ପବିତ୍ର ପାର୍ବଣ ଆଗମନ ସହ ଆରମ୍ଭ ହୋଇଯାଇଛି ମା’ଙ୍କ ନବରାତ୍ର ପୂଜା । ପାରମ୍ପରିକ ରୀତିନୀତିରେ ପ୍ରସିଦ୍ଧ ତନ୍ତ୍ରପୀଠ ମାନଙ୍କରେ ମଧ୍ୟ ଚାଲିଛି ଶୋଡ଼ଶ ଉପଚାର ପୂଜା । ଖୋର୍ଦ୍ଧା ଜିଲ୍ଲାର ଅଧ୍ୟଷ୍ଟାତ୍ରୀ ଦେବୀ ବାଣପୁରର ମାଆ ଭଗବତୀଙ୍କ ଶୋଡ଼ଶ ଉପଚାର ପୂଜା ସାଂଗକୁ ନବରାତ୍ରର ପୂଜାର୍ଚ୍ଚନା ଚାଲୁରହିଛି । ବୈଦିକ ମନ୍ତ୍ରପାଠରେ ମା’ ଭଗବତୀଙ୍କୁ ଆବାହନ କରୁଛନ୍ତି ମନ୍ଦିରର ପୂଜକ । ଦୂର୍ଗାପୂଜା ଅବସରରେ ମା’ଙ୍କ ବିଭିନ୍ନ ବେଶ ଦେଖବାକୁ ଜମିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼ । ଦଶହରା ଅବସରରେ ମା’ ପୀଠରେ ଭୋଗ ଲାଗିଥାଏ ପ୍ରସାଦ ସହ ଆମିସ ।ପାର୍ବଣ ଅବସରରେ ରାଜ୍ୟର ସମସ୍ତ ଶକ୍ତିପୀଠ ଏବେ ଚଳଚଂଚଳ । ଆଶ୍ୱିନ ମାସର ଆଗମନରେ ମା’ ଭଗବତୀଙ୍କ ପୀଠରେ ମା’ ବିଭିନ୍ନ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ପ୍ରତ୍ୟେକ ଦିନ ଚଣ୍ଡିପାଠ ସାଂଗକୁ ସନ୍ଧିପୂଜା, ରାତ୍ରକାଳୀନ ପୂଜା କରାଯାଇ ମା’ଙ୍କୁ ଆବାହନ କରାଯାଇଥାଏ । ଯାହାକି ଅନ୍ୟ କେଉଁ ସ୍ଥାନରେ ଦେଖିବାକୁ ମିଳିନଥାଏ । କିମ୍ବଦନ୍ତୀ ରହିଛି ସତ୍ୟ ଯୁଗରେ ମହଦେବ କ୍ରୋଧରେ ମା’ ସତୀଙ୍କ ଶରୀରକୁ କାନ୍ଧରେ ଧରି ପରିକ୍ରମା କରୁଥିବା ସମୟରେ ଏହି ପୀଠରେ ସତୀଙ୍କର ଅଳଙ୍କାର ପଡ଼ିଥିଲା । ସେହିପରି ଦ୍ୱାପର ଯୁଗରେ ବାଣାଶୁର ତ୍ରିପୁରା ବିଜୟୀ ହେବା ପାଇଁ ମା’ ଭଗବତୀଙ୍କୁ ସ୍ଥାପନା କରି ସିଦ୍ଧି ପାଇଥିଲା । ସେହି ବାଣାଶୁର ନାମରେ ବାଣପୁର ନାମକରଣ ହୋଇଥିବା କୁହାଯାଏ । ତେବେ ପାର୍ବଣ ଆସିବା ମାତ୍ରେ ବିଭିନ୍ନ ପ୍ରକାର ମନସ୍କାମନା ନେଇ ଭକ୍ତଙ୍କ ସୁଅ ଛୁଟିଥାଏ ଏହି ପୀଠକୁ ।
ପରମ୍ପରା ଅନୁଯାୟୀ ମା’ ଭଗବତୀଙ୍କ ପୀଠରେ ଷୋଡ଼ଶ ଉପରାର ପୂଜା ଆରମ୍ଭରେ ଶହସ୍ର କୁମ୍ଭ ଜଳରେ ମା’ଙ୍କୁ ସ୍ନାନ କରାଯାଇଥାଏ । ପରେ ସ୍ୱତନ୍ତ୍ର ମନ୍ତ୍ର ପାଠରେ ମା’ଙ୍କୁ ଆବାହନ କରିଥାନ୍ତି ପୂଜକ । ପବିତ୍ର ମହାଳୟା ଅମାବାସ୍ୟା ଠାରୁ ମା’ ମନ୍ଦିରରେ ଆରମ୍ଭ ହୋଇଯାଇଥାଏ ଚଣ୍ଡିପୂଜା, ଦଶମହାବିଦ୍ୟା, ହୋମ, ତର୍ପଣ, ତ୍ରୀକାଳ ପୂଜା । ପାର୍ବଣ ସମୟରେ ମା’ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ମା’ ଭଗବତୀଙ୍କ ପୀଠରେ ।
ଖୋର୍ଦ୍ଧାରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ ।
