ଦୁର୍ଗମ ଅଞ୍ଚଳକୁ ଗ୍ରସ୍ତକଲେ ରାୟଗଡା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ।
କାର୍ଯ୍ୟ କରିବା ମନବଳ ଓ ଦକ୍ଷତା ଯାହା ପାଖରେ ରହେ, ସେ ପୁଣି କାର୍ଯ୍ୟ କରିବାକୁ କିଆଁ ଡରେ । ଏପରି ଏକ ନିଷ୍ଠାପର କର୍ମଜୀବି, ଦକ୍ଷ ଅଧିକାରୀ ଛୁଟିଦିନ ତଥା ପ୍ରତିକୂଳ ପାଗ ସତ୍ୱେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଉପସ୍ଥିତ ଥିବା ପଞ୍ଚାଯତର ସରପଞ୍ଚ, ପିଇଓ, ଜିଆରଏସ ଏବଂ ପିଏମ ଜନମନ ହିତାଧିକାରୀଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତ ମିସ୍ତ୍ରୀ,ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

ପିଏମ ଜନମନ ଘର ଆଗାମି ଏକ ମାସ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ସୁଧା କାର୍ଯ୍ୟ ସମାପନ କରାଯିବ ତାହାର ଏକ ବିସ୍ତୃତ ଖସଡା ପ୍ରସ୍ତୁତ କରିଥିଲେ । ତତ୍ପରେ ଶ୍ରୀ ଖେମୁଣ୍ଡୁ ବ୍ଲକର କିଛି ପଦାଧିକାରୀଙ୍କ ସହ ବଡ଼ ଡେଙ୍ଗୁଣୀ ଗ୍ରାମ ଅଭିମୁଖେ ଯାତ୍ରା କରୁଥିଲେ। ବଡ଼ ଡେଙ୍ଗୁଣୀ ଗ୍ରାମର ରାସ୍ତା ଚାରି ଚକିଆ ଯାନ ଯିବାରେ ବାଧା ସୃଷ୍ଟି ହୋଇଥିଲା। ସ୍ୱାଧୀନତାର ୭୯ବର୍ଷ ପରେ ମଧ୍ୟ ଗାଁକୁ ଯିବାପାଇଁ ରାସ୍ତା ଖଣ୍ଡେ ନାହିଁ। ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୩ଖଣ୍ଡ ଗ୍ରାମବାସୀ । ଫଳରେ ଅଧିକାରୀ ମାନେ ଅଧା ବାଟରେ ଗାଡି ରଖି କିଛି ବାଟ ମୋଟର ସାଇକେଲ ଓ କିଛିବାଟ ଚାଲି ଚାଲି ଯାଇ ବଡ ଡେଙ୍ଗୁଣି, ସାନ ଡେଙ୍ଗୁଣି ଏବଂ ଶକଟା ଗ୍ରାମର ପରିସ୍ଥିତି ପରଖିଥିଲେ।

ବିଶେଷ ଭାବରେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପିଭିଟିଜି ଲୋକଙ୍କ ପାଖରେ ପହଞ୍ଚୁଛି କି ନାହି ତାର ସବିଶେଷ ତଥ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରିଥିଲେ। ବର୍ଷାଦିନ ପାଇଁ ରାସ୍ତା ଏକ ପ୍ରମୁଖ ଅସୁବିଧା ହେଉଥିବା ଯୋଗୁଁ ପିଏମ ଜନମନ ରେ ତିଆରି ହେଉଥିବା ଘର ଗୁଡିକର ଅଗ୍ରଗତି ଧିମା ପଡ଼ିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଉପଲବ୍ଧ କରିଥିଲେ I ହିତାଧିକାରୀ ମାନେ କିଭଳି ଭାବରେ ଠିକ ସମୟରେ ଘର କରି ପାରିବେ ଏବଂ ତାହା ପାଇଁ ସମସ୍ତ ଅନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ବ୍ଲକ କତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଗ୍ରାମରେ ବିଜୁଳି ଓ ପିଇବା ପାଣିର ବ୍ୟବସ୍ତା ଥିବା ଦେଖି ଖୁସି ପ୍ରକଟ କରିବା ସହ କିଭଳି ଭାବରେ MGNREGS ମାଧ୍ୟମରେ ପିଭିଟିଜି ହିତାଧିକାରୀ ମାନେ ନିଜର ଛେଳି, ଘୁଷୁରି,କୁକୁଡା ପାଳନ କରି ନିଜେ ଅର୍ଥନୀତି ଦୁଷ୍ଟିକୋଣରୁ ସ୍ଵାବଲମ୍ବୀ ହୋଇପାରିବେ ତାହା ଉପରେ ଗୁରୁତ୍ଵରୋପ କରିଥିଲେ।

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚ ଶ୍ରୀ ପାଇକ ଜାକୋକା ଏପିଡ଼ି (ଆରଏଚ) ପ୍ରଭାତ କୁମାର ଲେଙ୍କା,ପିଇଓ ଶ୍ରୀ ଦିନେଶ କୁମାର ଶବର, ଜିଆରଏସ ଅଜିତ ନାଗ, ଏହି ଅଞ୍ଚଳକୁ ମୋଟର ସାଇକେଲ ଓ ଚାଲି ଚାଲି ଯିବାରେ ସହଯୋଗ କରିବା ସହିତ ଲୋକଙ୍କ ମୌଳିକ ସମସ୍ୟାକୁ ଜିଲ୍ଲା ଉନ୍ନୟନ ଅଧିକାରୀ ଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ତତ୍ପରେ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ମୁନିଗୁଡା ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଟିତ ହଇଥିଲା ।

ରାୟଗଡାରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
