କେନ୍ଦ୍ରାପଡାରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ। କେନ୍ଦ୍ରାପଡା ସ୍ଥାନୀୟ ସଂସ୍କୃତି ଭବନରେ କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସ୍ତରୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଭିନ୍ନ ଦଳରୁ ଆସିଥିବା ପ୍ରାୟ ଶତାଧିକ କର୍ମି ବିଜେପିରେ ମିଶିଥିଲେ । ମହାକାଳପଡାରୁ ୩୬ଜଣ, ମାର୍ଶାଘାଇରୁ ୧୨ଜଣ, କେନ୍ଦ୍ରାପଡାରୁ ୧୮ଜଣ, ପାଟକୁରାରୁ ୧୨ଜଣ, ଆଳିରୁ ୨୪ଜଣ ବିଜେଡି ଓ କଂଗ୍ରେସ ଦଳର ଛାମୁଆ କର୍ମିମାନେ ଯୋଗ ଦେଇଥିଲେ ।

ସେମାନଙ୍କ ମଧ୍ୟରେ ଆରସିଏମଏସ ସଭାପତି ବରିଷ୍ଟ ବିଜେଡି ନେତା ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ପୌର ଉପାଧ୍ୟକ୍ଷ୍ୟା ଜୟନ୍ତୀ ଲେଙ୍କା, ପୂର୍ବତନ ଜିଲ୍ଲାପରିଷଦ ସଭାପତି ବରିଷ୍ଟ ବିଜେଡି ନେତା ଶ୍ରୀଧର ସ୍ୱାଇଁ, ଅଶୋକ ଲେଙ୍କା, କେନ୍ଦ୍ରାପଡା ବାର ଆସୋସିଏସନର ଉପସଭାପତି ହାଡିବନ୍ଧୁ ସିଂ, କୃଷି ଋଣ ସମବାୟ ସମିତି ସଭାପତି ଭାଗବତ ସାହୁ ପ୍ରମୁଖଙ୍କ ସମେତ ଜିଲ୍ଲାର ଶତାଧିକ ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସମେତ ବହୁ ନେତା ବିଜେପି ଦଳରେ ସାମିଲ ହୋଇଥିଲେ । ସାଂସଦ ଶ୍ରୀ ପଣ୍ଡା ବିଜେପିରେ ମିଶିଥିବା କର୍ମିମାନଙ୍କୁ ବିଜେପି ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ।

ଏହି ମିଶ୍ରଣ ପର୍ବରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ,ଗୀତାଞ୍ଜଳୀ ସେଠୀ, ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଲଳିତ ବେହେରା, ସୁନାକର ବେହେରା, ତେଜେଶ୍ୱର ପରିଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ଦୁର୍ଯେ୍ୟଧନ ସାହୁ, ଆଇନଜୀବୀ ପ୍ରତାପ ଦାସ, ସଲିମ ଖାଁ, ଉପିନ ରାଉତ,ଅଭିମନୁ୍ୟ ଗୋଚ୍ଛାୟତ, ନେହୁରୁ ସାହୁ, ରଞ୍ଜନ ଚୌଧୁରୀ, ଡ଼ଃ କଳ୍ପନା ମଲ୍ଲିକ ପ୍ରମୁଖ ଉପସ୍ଥିତି ଥିଲେ । ସାରାରାଜ୍ୟରେ ଏବେ ବିଜେଡ଼ିର ସ୍ଥାଣୁତା ନେଇ ଚର୍ଚ୍ଚା ଚାଲିଛି। ବିଜେଡିର ଜିଲ୍ଲା ସ୍ତରୀୟ ନେତାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଭିକେ ପାଣ୍ଡିଆନ ଏବଂ ତାଙ୍କ ଗୋଷ୍ଠୀର ସଞ୍ଜୟ ଦାଶ ବର୍ମା, ପ୍ରଣବ ପ୍ରକାଶ ଦାଶ ଏବଂ ପ୍ରଣବ ବଳବନ୍ତରାୟଙ୍କ ଭଳି ନେତାମାନଙ୍କର ନେତୃତ୍ୱ ଯୋଗୁଁ ବିଜେଡିର ଜିଲ୍ଲା ସ୍ତରୀୟ ନେତାମାନଙ୍କର ମନବଳ ଭାଙ୍ଗି ଯାଉଛି ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଉଛନ୍ତି।

କେନ୍ଦ୍ରାପଡ଼ାରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗଡ଼ ଭାଙ୍ଗିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଖସଡ଼ା ଯଦିଓ କେନ୍ଦ୍ରାପଡ଼ାରୁ ଆରମ୍ଭ ହେଲା ଏହା ରାଜ୍ୟର ରାଜନୀତି ଉପରେ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସ ର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।
