ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ବହି କିଣିବା ପାଇଁ ପୁସ୍ତକପ୍ରେମୀଙ୍କ ଭିଡ଼ ଜମୁଥିବା ବେଳେ ଷ୍ଟଡ଼ି ଟୁରରେ ପୁସ୍ତକ ମହୋତ୍ସବକୁ ବୁଲିବାକୁ ଆସୁଛନ୍ତି ଛାତ୍ରଛାତ୍ରୀ। ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଏହି ଷ୍ଟଡ଼ି ଟୁରର ଆୟୋଜନ କରାଯାଉଛି।

ଆଜି ଯାଜପୁର ସ୍ଥିତ ପ୍ରୟାସ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଷ୍ଟଡ଼ିଟୁରରେ ପୁସ୍ତକ ମହୋତ୍ସବ ବୁଲିବାକୁ ଆସି ବିଭିନ୍ନ ବହି କିଣିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀକୁ ଆଧାର କରି ନିର୍ମିତ ହୋଇଥିବା ପାଭିଲିୟନ ବୁଲି ଦେଖିଥିଲେ।

ବିଦ୍ୟାଳୟର ଶିକ୍ଷୟିତ୍ରୀ ଅର୍ପିତା ପ୍ରଧାନ କହିଛନ୍ତି ଯେ, ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ହେଉଛି ଓଡ଼ିଶାର ସର୍ବବୃହତ ପୁସ୍ତକ ମହୋତ୍ସବ। ବିଦ୍ୟାଳୟର ପାଠ୍ୟପୁସ୍ତକ ଠାରୁ ଆରମ୍ଭ କରି ସବୁ ଲେଖକମାନଙ୍କର ଗଳ୍ପ, କବିତା, ଉପନ୍ୟାସ ପୁସ୍ତକ ଏଠାରେ ଉପଲବ୍ଧ ହେଉଛି। ଧାର୍ମିକ ପୁସ୍ତକ କିଣିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଓ ଗୀତାପ୍ରେସ ଗୋରଖପୁର ଦ୍ୱାରା ନିର୍ମିତ ହୋଇଥିବା ଷ୍ଟଲରେ ବୟୋଜ୍ୟୋଷ୍ଠ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି। ଶ୍ରୀ ମନ୍ଦିର ପ୍ରଶାସନ ଷ୍ଟଲରେ “ଶ୍ରୀମନ୍ଦିର” ପତ୍ରିକାକୁ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି। ଏଥିସହ ପାଠକମାନେ “ଶ୍ରୀ ଜଗନ୍ନାଥ”, “ଶ୍ରୀ ରୁଦ୍ରଚଣ୍ଡୀ”, “ନୀତି ପରମ୍ପରାରେ ଶ୍ରୀ ମନ୍ଦିର”, “ମହାପ୍ରଭୁଙ୍କ ବସ୍ତ୍ର ବୈଭବ”, “ଅମୃତ ଅନୁଭବ” ଆଦି ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପୁସ୍ତକ କିଣୁଛନ୍ତି।

ସେହିପରି ଭାବେ ଗୀତା ପ୍ରେସ, ଗୋରଖପୁର ଷ୍ଟଲରେ “ଶ୍ରୀମଦ ଭାଗବତ ଗୀତା”, “ବାଲ୍ମୀକି ରାମାୟଣ”, “ଶିବ ପୁରାଣ”, “ରାମଚରିତ ମାନସ”, “ଶ୍ରୀ ଭକ୍ତି ଚରିତାମୃତ” ଆଦି ଗ୍ରନ୍ଥ ପୁସ୍ତକ କିଣିବା ପାଇଁ ପାଠକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି।
ଭୁବନେଶ୍ୱରରୁ ଅମ୍ଳାନ ଦାସ ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
