ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ। ସୁଯୋଗର ସଦୁପଯୋଗ କରିବାକୁ ରାଷ୍ଟ୍ରଦୂତଙ୍କ ଆହ୍ଵାନ। ରପ୍ତାନୀ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି । ବିଭିନ୍ନ ଦେଶରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ରପ୍ତାନୀ ବୃଦ୍ଧି ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ତେଣୁ ଓଡ଼ିଆ ରପ୍ତାନିକାରୀ ବନ୍ଧୁଗଣ ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡ଼ିଶା ଗଠନ ଦିଗରେ ଆଗେଇ ଆସିବାକୁ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରଦୂତମାନେ ଆହ୍ଵାନ ଦେଇଛନ୍ତି । ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ମେ’ ଫେୟାର୍ ହୋଟେଲଠାରେ “ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ” ଶୀର୍ଷକ ପ୍ରଶିକ୍ଷଣ ଅଧିବେଶନରେ ଯୋଗ ଦେବା ଅବସରରେ ରାଷ୍ଟ୍ରଦୂତମାନଙ୍କ ପକ୍ଷରୁ ଏହି ମତ ପ୍ରକାଶ ପାଇଛି ।
ରପ୍ତାନୀ କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ଏହି ଅବସରରେ ଏକ ଆଲୋଚନା ଆୟୋଜିତ ହୋଇଥିଲା । ବୁକାରେଷ୍ଟରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମନୋଜ କୁମାର ମହାପାତ୍ର, ସ୍ଲୋଭେନିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅମିତ ନାରଙ୍ଗ, ମାଲଟାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଗ୍ଲୋରିଆ ଗାଙ୍ଗତେ ପ୍ରମୁଖ ଅନ୍ତର୍ଜାତୀୟ ସହଯୋଗ ଓ ରପ୍ତାନୀ ବୃଦ୍ଧିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ରପ୍ତାନିକାରୀମାନେ ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଭାବ ବିନିମୟ ବୃଦ୍ଧି କରିବା ପାଇଁ ରାଷ୍ଟ୍ରଦୂତମାନେ ଆହ୍ୱାନ କରିଥିଲେ । ୟୁରୋପ ବଜାରରେ ପ୍ରବେଶ ପାଇଁ ମାଲଟା ଏବଂ ସ୍ଲୋଭେନିଆ ପ୍ରବେଶ ଦ୍ଵାର ହୋଇଥିବାରୁ ଏହାର ଫାଇଦା ଉଠାଇବା ପାଇଁ ସେମାନେ କହିଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସୁଯୋଗର ଲାଭ ଉଠାଇ ଓଡିଆ ରପ୍ତାନିକାରୀ ବନ୍ଧୁମାନେ ବିଦେଶ ଉପକୂଳରେ ସଫଳତାର ଛାପ ଛାଡ଼ିବେ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ । ଏହି ଆଲୋଚନାକୁ ବିଶ୍ଵ ବାଣିଜ୍ୟ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶିକା ନିମେଶିକା ନଟରାଜନ ସଂଚାଳନ କରିଥିଲେ ।
ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ଓଡ଼ିଶାରେ ଥିବା ରପ୍ତାନୀ ସମ୍ଭାବନା ଉପରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ । କଲିକତାସ୍ଥିତ ଆପେଡା ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଏମପେଡାର ଉପ-ନିର୍ଦ୍ଦେଶକ ଡକ୍ଟର ଅଚିମାନ ଲାହିରି, ଉତ୍କଳ ଚାମ୍ବର ଅଫ୍ କମର୍ସ୍ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଜ୍ଞାନ ମହାନ୍ତି, ଫିକି ପକ୍ଷରୁ ରାଜେନ ପାଢୀ, ଏଫଆଇଇଓ ଓଡ଼ିଶା ମୁଖ୍ୟ କମଳକାନ୍ତ ସାହୁ ପ୍ରମୁଖ ରପ୍ତାନୀ କ୍ଷେତ୍ରକୁ ବିସ୍ତାର କରିବା ପାଇଁ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ । ସହକାରୀ ନିର୍ଦ୍ଦେଶକ ଶିଶିର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ମହେଶ ଚୌଧୁରୀ, ଯୁଗ୍ମ ଶାସନ ସଚିବ କମଳଜିତ ଦାସ, ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରଭାକର ଦାସ, ବହୁ ଉଦ୍ୟୋଗୀ, ରପ୍ତାନିକାରୀ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱରରୁ ଆଲୋକ କୁମାର ମହାନ୍ତି ଏବଂ ସଞ୍ଜୟ ମହାପାତ୍ର ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *