ସବୁ କଳ୍ପନାଜଳ୍ପନାର ଅନ୍ତ । ପଦ୍ମ ଧରିଲେ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ । ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ। ଏକ ମିଶ୍ରଣ ପର୍ବ ମାଧ୍ୟମରେ ଢୋଲକିଆ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ମିଶ୍ରଣ ପର୍ବରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ହଲଚଲ୍ ଦେଖିବାକୁ ମିଳିଛି । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କ ଉପରେ ସଭିଙ୍କ ନଜର ଥିଲା । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଗୋଟିଏ ପଟେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ବିଜେପି କି ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହାଁନ୍ତି । ବିଳମ୍ବ ହେଉଥିବାରୁ ବିଜେପି, ବିଜେଡି ପ୍ରାର୍ଥୀ କିଏ ହେବ, ସେନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି। ସେଥିପାଇଁ ଜୟ ଢୋଲକିଆ ଏବେ ଫୋକସ୍ରେ ରହିଛନ୍ତି ।

ବିଜେପିରେ ମିଶି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ଜୟ ଢୋଲକିଆ । ବିଜେପି ରେ ମିଶିବା ପରେ ସମସ୍ତର ଆଶା ଥିଲା ବୋଧ ହୁଏ ନୂଆପଡା ଉପନିର୍ବାଚନ ପାଇଁ ଜୟ ଢୋଲକିଆଙ୍କର ନାଁ କୁ ଘୋଷଣା କରାଯିବା। କିନ୍ତୁ ସେମିତି କିଛି ହୋଇନାହିଁ। ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି। ବିଜେଡ଼ି ଦଳର ଛାମୁଆ ନେତା ସଞ୍ଜୟ ଦାସବର୍ମା ଏହାର ପ୍ରତିକ୍ରିୟାରେ କହୁକହୁ କହିଦେଲେ ଯେ, ଏହା ହେଉଛି ଆମ ଫର୍ମୁଲା। ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁଙ୍କୁ ବିଜେଡିରେ ମିଶାଇ ଟିକଟ ଦେଇ ଜିତାଇଥିଲୁ ଏବଂ ରବରଷ୍ଟାମ୍ପ ମନ୍ତ୍ରୀ କରିଥିଲୁ। ବିଜେପି ଦଳ ସେହି ଫର୍ମୁଲାକୁ କପି କରି କେବଳ ରଙ୍ଗ ବଦଳାଇଛନ୍ତି। ଆମେ ନୂଆପଡାରେ ନୂଆ ଫର୍ମୁଲା ସୃଷ୍ଟି କରିବୁ। ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
