ଭାରତର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ। ଭାରତର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷସ୍ଥିତ ଜଉଗଡ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ।

ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ସହ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନାଦର୍ଶ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତାଙ୍କ ପ୍ରଧାନମନ୍ତ୍ରୀତ୍ବରେ ପୋଖରାନ୍ ଠାରେ ଅପରେସନ୍ ଶକ୍ତି ଥିଲା ତାଙ୍କର ଏକ ସଫଳତା ।

ଏହାଦ୍ବାରା ବିଶ୍ବରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ସାମିଲ ହୋଇପାରିଥିବା ଶ୍ରୀମତୀ ନିମାକା ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ତାଙ୍କ ଅଭିଭାଷଣରେ କହିଥିଲେଯେ, ଭାରତ ରତ୍ନ ବାଜପେୟୀ ଜଣେ ସୁଶାସକ ଥିଲେ । ସ୍ବର୍ଣ୍ଣ ଚତୁର୍ଭୁଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନା,, ନଦୀ ସଂଯୋଗୀକରଣ ଚିନ୍ତାଧାରା ଶ୍ରୀ ବାଜପେୟୀଙ୍କର ଥିଲା । ସେ 100 ବର୍ଷର ପୂରାତନ କାବେରୀ ଜଳ ବିବାଦର ସମାଧାନ କରିବା ସହ ରାଷ୍ଟ୍ରୀୟ ରାଜମାର୍ଗ, ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ ।

ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ଦୀପକ କୁମାର ଜେନା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପ୍ରତିଭା ଆବାସିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଚିନ୍ମୟ ଦାଶ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଭାରତର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍ ଓ ସହରର ମାଣ୍ୟଗଣ୍ୟ ବ୍ୟକ୍ତି ବିଶେଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ଗଞ୍ଜାମ ରୁ ପପୁନ କୁମାର ଷଡ଼ଙ୍ଗୀ ଫୋଟ ନ୍ୟୁଜ ଟାଇମସ।
