୫ ବର୍ଷରେ କୁମ୍ଭୀର ମୁହଁରେ ଗଲାଣି ୨୫ ଜୀବନ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତରକନିକା କୁମ୍ଭୀର ଗବେଷଣା ପାଇଁ ବେଶ ପ୍ରସିଦ୍ଧ । କିନ୍ତୁ କୁମ୍ଭୀର ଅଧିକ ହେବା ଓ କୁମ୍ଭୀର ନିକଟସ୍ଥ ନଦୀକୁ ଚାଲି ଆସିବା ନଦୀ କୂଳିଆ ଲୋକଙ୍କ ପାଇଁ କାଳ ସାଜିଛି । ଯାହା ଫଳରେ ଗତ ୫ ବର୍ଷରେ କୁମ୍ଭୀର ମୁହଁରେ ୨୫ ଜୀବନ ଚାଲି ଗଲାଣି । ୧୯୭୫ ମସିହାରେ ଏଠାରେ କୁମ୍ଭୀର ପ୍ରଜନନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଜାତିସଂଘ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ସଫଳ ରୂପାୟନ ହେଲା । ଫଳରେ ଭିତରକନିକାକୁ କୁମ୍ଭୀର ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୂଅ ଛୁଟିଲା । ପ୍ରତିବର୍ଷ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସନ୍ତି । ହେଲେ ନଦୀକୂଳ ଲୋକଙ୍କ ପାଇଁ ଏହା କାଳ ସାଜିଲା । ନଦୀ କୂଳିଆ ଲୋକଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ନାନ କରିବା ପାଇଁ କୁହାଯାଉଛି । ଯେଉଁ ସ୍ଥାନରେ ବନ ବିଭାଗ ତାର ଜାଲି ଲଗାଇ ସୁରକ୍ଷିତ ତୁଠ ତିଆରି କରିଛି ସେଠାରେ ସ୍ନାନ କରିବା ପାଇଁ ନିବେଦନ କରୁଥିବା ବେଳେ ଲୋକେ ତାହାକୁ ମାନୁ ନାହାଁନ୍ତି । ଫଳରେ କୁମ୍ଭୀର ମୁହଁରେ ଲୋକଙ୍କ ଜୀବନ ଚାଲି ଯାଉଛି । ୫ ବର୍ଷ ଭିତରେ ବନ ବିଭାଗ ପକ୍ଷରୁ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ଏକ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଛି । ଏହି କୁମ୍ଭୀର ପ୍ରଜନନ କେନ୍ଦ୍ରରୁ କୁମ୍ଭୀରମାନେ ବ୍ରାହ୍ମଣୀ, ଖରସ୍ରୋତା, ହଂସୁଆ, ବୈତରିଣୀ ଓ ଗୋବରୀ ନଦୀକୁ ଚାଲି ଆସନ୍ତି । ଫଳରେ ଏହି ନଦୀରେ ସ୍ନାନ କରିବା ବେଳେ ଅବା ଶୌଚ ହେବା ବେଳେ କୁମ୍ଭୀର ଲୋକଙ୍କୁ ଟାଣି ନେଉଛି । ୨୦୨୦ ମସିହାରେ ୫ଜଣ ପୁରୁଷଙ୍କୁ କୁମ୍ଭୀର ଟାଣି ନେବାରୁ ସେମାନଙ୍କ ଜୀବନ ଦୀପ ଲିଭି ଯାଇଥିଲା । ଏମାନଙ୍କ ମଧ୍ୟରେ ଥିଲେ ରାଜକନିକାର ବନମାଳୀ ମହାନ୍ତି ଓ ଭଗବାନ ବେହେରା, ଆଳିର ସୁବାଷ ବରାଳ, ପଟ୍ଟାମୁଣ୍ଡାଇର ସଞ୍ଜୟ ପ୍ରଧାନ ଓ ଚନ୍ଦନ କୁମାର ଦେ ପ୍ରମୁଖ । ସେହିପରି ୨୦୨୧ ମସିହାରେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ବଗପାଟିଆର ରଞ୍ଜନ କୁମାର ମହାନ୍ତି, ରାଜକନିକାର ରୁଦ୍ରପ୍ରତାପ ବେହୁରିଆ, ପଟ୍ଟାମୁଣ୍ଡାଇର ଶିବଶଙ୍କର ସେନାପତି, ତାଳଚୁଆର ଉମାରାଣୀ ପରିଡ଼ା ଓ ପୁରୁଷୋତ୍ତମ ଧଳ ପ୍ରମୁଖ ୫ ଜଣ । ୨୦୨୨ରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ରାଜକନିକାର ହରିହର ସ୍ୱାଇଁ, ପଟ୍ଟାମୁଣ୍ଡାଇର ବସନ୍ତ ପରିଡ଼ାଙ୍କ ସମେତ ୫ ଜଣ । ୨୦୨୩ରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ରାଜନଗରର ଜାନକୀ ଜେନା, ଆଳିର ଶିବ ପ୍ରସାଦ ବେହେରା, ମହାକାଳପଡ଼ାର ନାଗ ମଲ୍ଲିକ, ତାଳଚୁଆର ସିଲା ଦଳାଇ, ଜମ୍ବୁର କୌଶଲ୍ୟା ମଣ୍ଡଳଙ୍କ ସମେତ ୬ ଜଣ । ୨୦୨୪ରେ ପଟ୍ଟାମୁଣ୍ଡାଇର ଆଶୁତୋଷ ଆଚାର୍ଯ୍ୟ, ରାଜକନିକାର ସନାତନ ସାମଲଙ୍କ ସମେତ ୪ଜଣଙ୍କ ଜୀବନ ଚାଲି ଗଲାଣି । ଅପରପକ୍ଷରେ ବନ ବିଭାଗର ସୂଚନା ଅନୁଯାୟୀ ଲୋକମାନେ ସୁରକ୍ଷିତ ଭାବେ ସ୍ନାନ କରିବା ପାଇଁ ସୁରକ୍ଷିତ ଗାଧୁଆ ତୁଠ ହୋଇଛି । ଖରସୋତା ନଦୀର ଆଳି ବ୍ଲକର ବାଳକାଟି, ଗିରିବନ୍ଧ, ବାଲିସାହି, କଳସପୁର, ଭୂଇଁପୁର, କଳମଡ଼ା, ମହୁ, ନଳପାହି ଇତ୍ୟାଦିରେ ସୁରକ୍ଷିତ ଗାଧୁଆ ଓ ଶୌଚ ତୁଠ ହୋଇଛି । ସେହିପରି ବ୍ରାହ୍ମଣୀ ନଦୀରେ ପଟ୍ଟାମୁଣ୍ଡାଇ ବ୍ଲକର ଘାଘରା, କୂଳସାହି, ଘାଗରାଡିଆ, ନାଇଆଡିଆ, ଅମୃତମଣୋହୀ, ନରେନ୍ଦ୍ରପୁର, ପତ୍ରପୁର, ଶ୍ରୀରାମପୁର, ମାଣିକପାଟଣା, ନିମପୁରେରେ ସୁରକ୍ଷିତ ତୁଠ ହୋଇଛି । ରାଜନଗର ବ୍ଲକର ହଂସୁଆ ନଦୀର ଦକ୍ଷିଣଭେଡା, ନଳପାହି, କେରଡ଼ାଗଡ଼, ଟାଙ୍ଗଣତୈଳା, ବ୍ରାହ୍ମଣୀ ନଦୀର ସନ୍ଥପଡ଼ାରେ ମଧ୍ୟ ସୁରକ୍ଷିତ ତୁଠ କରାଯାଇଛି । ରାଜକନିକା ବ୍ଲକର ଖରସ୍ରୋତାରେ ୧୯ ଓ ବୈତରିଣୀରେ ୨୮ ଟି ସୁରକ୍ଷିତ ଗାଧୁଆ ତୁଠ କରାଯାଇଛି । ଏହାସତ୍ତ୍ୱେ ଲୋକେ ସୁରକ୍ଷିତ ତୁଠରେ ସ୍ନାନ ଶୌଚ ନ ହେବାରୁ କୁମ୍ଭୀର ଲୋକଙ୍କୁ ଟାଣି ନେଉଛି । ସହକାରୀ ବନ ସଂରକ୍ଷକ ମାନସ ଦାସଙ୍କ କହିବାନୁଯାୟୀ ଲୋକେ ସଚେତନ ହେଉ ନଥିବାରୁ ଏଭଳି ଅଘଟଣ ଘଟୁଛି । ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି ଯେଉଁଠାରେ ସୁରକ୍ଷିତ ତୁଠ ରହିଛି ସେଠାରେ ସ୍ନାନ କରିବା ପାଇଁ । ସନ୍ଧ୍ୟା ହେଲେ ନଦୀକୁଳକୁ ନ ଯିବା ପାଇଁ ମଧ୍ୟ ସତର୍କ କରାଯାଉଛି । ହେଲେ ଲୋକେ ଏହାକୁ ବେଳେ ବେଳେ ଅନୁସରଣ ନ କରିବାରୁ ଏଭଳି ଅଘଟଣ ଘଟୁଛି ।
୫ ବର୍ଷରେ କୁମ୍ଭୀର ମୁହଁରେ ଗଲାଣି ୨୫ ଜୀବନ।
