ଅନାସ୍ଥାରେ ହାରିଲେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା।

ଅନାସ୍ଥାରେ ହାରିଲେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥା ଭୋଟରେ ହାରିଛନ୍ତି । ଏହି ବ୍ଲକରେ ୩୧ଟି ପଞ୍ଚାୟତର ୩୧ ସରପଞ୍ଚ ଓ ୩୧ ସମିତିସଭ୍ୟଙ୍କ ମଧ୍ୟରୁ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ୪୯ ଜଣ ଭୋଟ ଦେଇଥିଲେ । ଅନ୍ୟ ୧୩ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ । ୪୯ ଜଣ ସଦସ୍ୟ ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଭୋଟ ଦେଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଳ୍ପନା ରାଉତ ଅନାସ୍ଥାରେ ପରାଜିତ ହେଲେ ବୋଲି ଘୋଷଣା କରାଯାଇଛି । ବୁଧବାର ମଧ୍ୟାହ୍ନରେ ମହାକାଳପଡ଼ା ପଞ୍ଚାୟତ ସମିତି ସଭାଗୃହରେ ଅନାସ୍ଥା ଉପରେ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ନିର୍ବାଚନ ଅଧିକାରୀ ଭାବେ ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକ ଉପସ୍ଥିତ ଥିଲେ । ମାଜିଷ୍ଟ୍ରେଟ୍ ଭାବେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଉପସ୍ଥିତ ଥିଲେ । ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଉପଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଥିଲା ତଦ୍ନୁଯାୟୀ ଉପଜିଲାପାଳଙ୍କ ନିର୍ଦେଶ ସ୍ୱତନ୍ତ୍ର ବୈଠକ ବସିବା ପାଇଁ ବୁଧବାର ଦିନ ଧ୍ୟାର୍ଯ୍ୟ କରାଯାଇଥିଲା । ଏ ସଂକ୍ରାନ୍ତରେ ୩୧ ଜଣ ସରପଞ୍ଚ ଓ ୩୧ ଜଣ ସମିତି ସଭ୍ୟଙ୍କୁ ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ରହିବା ପାଇଁ ବିଜ୍ଞପ୍ତି ମାଧ୍ୟମରେ ପୂର୍ବରୁ ଅବଗତ କରାଯାଇଥିଲା । ସେହି ବିଜ୍ଞପ୍ତି ଅନୁଯାୟୀ ୨୭ ଜଣ ସରପଞ୍ଚ ଓ ୨୨ ଜଣ ସମିତିସଭ୍ୟ ଏହିପରି ମୋଟ ୪୯ ଜଣ ସଭ୍ୟ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥିତ ରହି ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଭୋଟ ଦେଇଥିଲେ ।

ପଞ୍ଚାୟତ ସମିତି ଆଇନ୍ ୧୯୫୯ ର ଧାରା (୪୬)(ଖ) ଅନୁଯାୟୀ ଦୁଇ ତୃତୀୟାଂଶ ଭୋଟ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଗ୍ରହଣ କରାଗଲେ ସେ ଗାଦିଚୁ୍ୟତ ହେବେ । ତେଣୁ ଏ କ୍ଷେତ୍ରରେ ୪୯ ଜଣ ସଭ୍ୟ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେଇଥିବାରୁ ତାହା ଦୁଇ ତୃତୀୟାଂଶ ଭୋଟ ବୋଲି ଜିଲାପାଳ ସନ୍ଧ୍ୟାରେ ଏକ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି । ଜିଲାପାଳ ସନ୍ଧ୍ୟାରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯେ ମହାକାଳପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଯେଉଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ସେ ନେଇ ଓଡ଼ିଶା ପଞ୍ଚାୟତ ସମିତି ଆଇନ୍ ୧୯୫୯ ଧାରା (୪୬)(ଖ) ଅନୁଯାୟୀ ଦୁଇ ତୃତୀୟାଂଶ ସଭ୍ୟ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ । ଫଳରେ ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଛି । ତେଣୁ ଏହି ଆଦେଶ ପ୍ରକାଶ ପରଠାରୁ ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ଗାଦିଚୁ୍ୟତ ହେଲେ ବୋଲି ଜିଲାପାଳ ତାଙ୍କ ବିଜ୍ଞପ୍ତି ନଂ. ୯୦୬/୨୮/୦୫/୨୦୨୫ରେ ପ୍ରକାଶ କରିଛନ୍ତି । ସୂଚନା ଥାଉକି କହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତ ବିଜେଡି ସମର୍ଥିତ ପ୍ରାର୍ଥୀ ଥିଲେ । ତାଙ୍କୁ ଗାଦିଚୁ୍ୟତ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ବ୍ଲକ ଅଧ୍ୟକ୍ଷ ପଦରେ ବସାଇବା ପାଇଁ ବିଜେପି ଦେଢ ମାସ ହେବ କସରତ ଆରମ୍ଭ କରିଥିଲା । ଏହାକୁ ନେଇ ୩ ଥର ତାରିଖ ଘୁଞ୍ଚିଥିଲା । କାରଣ ବିଜେଡି କବଜାରେ ରହିଥିଲା ବ୍ଲକ । ବିଜେପି ଦୁଇ ତୃତୀୟାଂଶ ସଭ୍ୟ ଯୋଗାଡ କରି ପାରୁ ନଥିଲା । ତେଣୁ ବିଭିନ୍ନ ବାହାନା ଦେଖାଇ ବିଜେପି ପ୍ରଶାସନର ହସ୍ତକ୍ଷେପ ଲୋଡୁଥିଲା ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବୈଠକକୁ ବାରମ୍ବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉଥିଲା । ଏହା ବିରୋଧରେ କଳ୍ପନା ରାଉତ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଯେତେବେଳେ ବିଜେଡି କ୍ୟାମ୍ପରୁ ସଦସ୍ୟମାନଙ୍କୁ ବିଜେପି ନିଜ କ୍ୟାମ୍ପକୁ ଟାଣି ଆଣିଲା ସେତେବେଳେ ଆଉ ସ୍ୱତନ୍ତ୍ର ବୈଠକ ସ୍ଥଗିତ ହେଲା ନାହିଁ ବରଂ ସ୍ୱତନ୍ତ୍ର ଅଧିବେଶନ ବସିଲା ଓ ବିଜେପି ବାଜିମାତ କଲା ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି । ତେବେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୋଷ୍ଠୀ ଓ ବର୍ତ୍ତମାନର ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଦଖଲ ଛକାପଞ୍ଝାର ଅନ୍ତ ଘଟିଛି । ଦୁର୍ଗା ପ୍ରସନ୍ନ ଗୋଷ୍ଠୀର ବିଜୟ ହୋଇଛି । ଏହାଦ୍ୱାରା ଦୁର୍ଗା ଗୋଷ୍ଠୀର ସମର୍ଥକମାନେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି ।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *