‘ଅନ୍ତର୍ଜାତୀୟ ମହିଳା ଦିବସ’ ଉପଲକ୍ଷେ “ହସ୍ତତନ୍ତ ପଦଯାତ୍ରା ସମ୍ପୂର୍ଣ୍ଣା”।

‘ଅନ୍ତର୍ଜାତୀୟ ମହିଳା ଦିବସ’ ଉପଲକ୍ଷେ “ହସ୍ତତନ୍ତ ପଦଯାତ୍ରା-ସମ୍ପୂର୍ଣ୍ଣା”।
ହସ୍ତତନ୍ତର ବିକାଶ ସହ ନାରୀଶକ୍ତିର ଆର୍ଥିକ ପ୍ରଗତି ଜଡ଼ିତ : ବାଚସ୍ପତି
ହସ୍ତତନ୍ତର ବିକାଶ ହେଲେ ନାରୀଶକ୍ତିର ଆର୍ଥିକ ପ୍ରଗତି ଆସିପାରିବ । ଆର୍ଥିକ ସ୍ଵାବଲମ୍ବନ ଆସିଲେ ନାରୀ ସମ୍ପୂର୍ଣ୍ଣା ସାଜିପାରିବ ବୋଲି କହିଛନ୍ତି ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ । ଭୁବନେଶ୍ଵର ମହାନଗର ନିଗମ ଓ ସମବାୟ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ “ହସ୍ତତନ୍ତ ପଦଯାତ୍ରା-ସମ୍ପୂର୍ଣ୍ଣା”ର ଶୁଭାରମ୍ଭ କରି ଏହା ସେ କହିଛନ୍ତି ।
‘ଅନ୍ତର୍ଜାତୀୟ ମହିଳା ଦିବସ’ ଉପଲକ୍ଷେ ସକାଳ ସମୟରେ ଏକ ହସ୍ତତନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାକୁ ମାନ୍ୟବର ବାଚସ୍ପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବିଏମସି କାର୍ଯ୍ୟାଳୟ ପର୍ଯ୍ୟନ୍ତ “ହସ୍ତତନ୍ତ ପଦଯାତ୍ରା-ସମ୍ପୂର୍ଣ୍ଣା” ଆୟୋଜିତ ହୋଇଥିଲା । ନାରୀଶକ୍ତିର ସାମର୍ଥ୍ୟ, ସୃଜନଶୀଳତା ଓ ଜୟଯାତ୍ରା ସମ୍ପର୍କରେ ଜନସଚେତନତା ପ୍ଲାକାର୍ଡ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା ।
ଏହି ହସ୍ତତନ୍ତ ପଦଯାତ୍ରାରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ଆର.ସି.ଏସ. ସିଦ୍ଧାର୍ଥ ଦାସ, ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ଦାଶ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପଦଯାତ୍ରାରେ ମହିଳା ସମବାୟ ସମିତିର ସଭ୍ୟାମାନେ ଯୋଗଦାନ କରିଥିଲେ ।
ସୂଚନାଯୋଗ୍ୟ ଯେ ୨୦୨୫ ବର୍ଷକୁ ଆନ୍ତର୍ଜାତିକ ସମବାୟ ବର୍ଷ ଭାବେ ସମଗ୍ର ବିଶ୍ଵରେ ପାଳନ କରାଯାଉଛି । ଏହି ହସ୍ତତନ୍ତ ପଦଯାତ୍ରାରେ “ସମବାୟ ମାଧ୍ୟମରେ ମହିଳା ସଶକ୍ତିକରଣ”ର ଆହ୍ୱାନ ଦିଆଯାଇଅଛି ।

Leave a Reply

Your email address will not be published. Required fields are marked *