ଏବେବି ଲାଞ୍ଜିଗଡ଼ରେ ପଶୁବଳି ପ୍ରଥା ଚାଲିଛି।

ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ମାଳିଯୁବାଙ୍ଗ ଠାରେ ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I
ଏହି ଠାକୁରାଣୀ ଯାତ୍ରାରେ ଭକ୍ତିଭାବ ସହ ପୂଜାର୍ଚ୍ଚନା କରାଯାଏ। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଯେ ୨୦୨୫ ମସିହାରେ ମଧ୍ୟ ଏଠି ପଶୁବଳି ପ୍ରଥା ପ୍ରଚଳନ ହେଉଅଛି। ଏହାର ରୋକ ଲଗାଇବାର ଆବଶ୍ୟକତା ଅଛି।


ମାଳିଯୁବାଙ୍ଗ ଇଷ୍ଟଦେବୀ ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ୫ଦିନ ଧରି ଚାଲିଥିବା ବେଳେ ଶୁକ୍ରବାର ପ୍ରାରମ୍ଭରେ ପଦଯାତ୍ରା ହୋଇଥିଲା ଓ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଲା ପରେ ମଙ୍ଗଳବାର ରାତିରେ ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି । ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ୧୯୬୨ ମସିହାରୁ ପାଳନ କରି ଆସୁଥିବା ବେଳେ ପରମ୍ପରାକୁ ବଜାଇରଖିବା ପାଇଁ ପ୍ରତି ୩ବର୍ଷରେ ଥରେ ଘଣ୍ଟଯାତ୍ରା ପାଳନ କରିଆସୁଛନ୍ତି l ପ୍ରଥମେ ଘଣ୍ଟ ଗୃହରେ ମାଁଙ୍କ ଘଣ୍ଟକୁ ଶୃଙ୍ଗାର କରି ଗାଁ ମଝିରେ ଥିବା ମାଁ ଠାକୁରାଣୀଙ୍କ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରି ପୂଜକମାନେ ଆହ୍ୱାନ କରିଥିଲେ। ମାଁଙ୍କ ମୁଖ୍ୟ ପୂଜକ ତରୁଲତା ରାଉତ, ବାଉକ ଭାଗ ରାଉତ,ଆନନ୍ଦ ରାଉତ, କରୁଣା ପଟେଲ, ପଦ୍ମନାଭ ମାଳି, ନକୁଳ ଦଣ୍ଡସେନା, ଗୋପାଳ ମାଳି, କେଶବ ପଟେଲ ମାଁଙ୍କୁ ପୂଜାର୍ଚନା କରିଥିବା ବେଳେ ମାଁଙ୍କ ଘଣ୍ଟକୁ ଉମାଶଙ୍କର ଦଣ୍ଡସେନା, ଗୌରଚନ୍ଦ୍ର ସାହୁ, କ୍ଷୀରମଣୀ ପଟେଲ, ଉର୍ମିଳା ପଟେଲ, ଲଳିତା ପଟେଲ, ମୁଣ୍ଡରେ ବହନ କରିଥବା ବେଳେ ସେହିପରି ରାଜୀବ ସାହୁ ଶୁଭଖମ୍ବ ବହନ କରିଥିଲେ l

ଗ୍ରାମର ପ୍ରତ୍ୟେକ ପଡାବାସୀ ନିଜ ଦ୍ବାର ସାମ୍ନାରେ ଚିତା ଆଙ୍କି ଘଣ୍ଟ, ଘଣ୍ଟା, ଶଙ୍ଖ, ଖୋଳତାଳ ବାଦ୍ୟରେ ମାଁଙ୍କୁ ସ୍ୱାଗତ କରି ଭୋଗ ଅର୍ପଣ କରିଥିଲେ । ପୁଣି ସେହିଦିନ ସନ୍ଧ୍ୟାରେ ଗାଁ ମୁଖିଆ ଭୀମସେନ କାଣ୍ଡବିନ୍ଦା ଙ୍କ ଘରକୁ ଯାଇ ପୂଜା ପାଇବାପରେ ସେବକ ମାନେ ଏକ ବିରାଟ ଆଡୁଆଳରେ ମାଁଙ୍କୁ ମନ୍ଦିରକୁ ଆଣିଥିବା ବେଳେ ବୁଧବାର ସକାଳେ ମାଁ ଙ୍କ ବଳୀପୂଜା ସମେତ ବିସର୍ଜନ ହୋଇଥିଲା l ସେହିପରି ମାନସିକଧାରୀ ମାନେ ବୋଦା, କୁକୁଡ଼ା, ପାରା ବଳି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା। ମାଁ ଠାକୁରାଣୀ ପରେ ନିଜ ଆସ୍ଥାନକୁ ଆସିବା ସମୟରେ ଭକ୍ତ ମାନଙ୍କ ପିଠିରେ ଚଢି ନିଜ ଆସ୍ଥାନରେ ବିରାଜମାନ କରିଥିଲେ ।ମାଁ ଠାକୁରାଣୀଙ୍କ ୫ ଦିନ ଧରି ଏହି ଘଣ୍ଟଯାତ୍ର ମହା ଆଡମ୍ବର ସହିତ ପାଳନ ହୋଇଥିବା ବେଳେ ମନ୍ଦିରକୁ ଆଲୋକମାଳାରେ ସୁସଜିତ କରାଯାଇଥିଲା। ଭକ୍ତଙ୍କ ମନରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ଲୋକନୃତ୍ୟ,ମାଁ କାଳିସୀ ନୃତ୍ୟ, ବାଘନୃତ୍ୟ, କଣ୍ଡେଇ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ବାଘ ନୃତ୍ୟରେ ପିତାମ୍ବର ସାହୁ ଓ କାଳିସୀ ନୃତ୍ୟ ରେ ରମେଶଚନ୍ଦ୍ର ରାଉତ ନିଖୁଣ ଅଭିନୟ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ ମାଁ ଠାକୁରାଣୀ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିଥିଲେ। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ , ଫଟୋ ନ୍ୟୁଜ ଟାଇମସ୍।

Leave a Reply

Your email address will not be published. Required fields are marked *