କନ୍ଧମାଳ ଜିଲ୍ଲାରେ ଉଛେଦ ନୋଟିସ ଓ ବାଲି ଜରିମାନାକୁ ନେଇ ଆତଙ୍କ
ଗରିବ ଓ ଟ୍ରାକଟର ମାଲିକଙ୍କ ଉପରେ ସରକାରୀ ନୀତିର ଚାପ, ଆନ୍ଦୋଳନର ସତର୍କବାଣୀ
କନ୍ଧମାଳ ଜିଲ୍ଲାରେ ସରକାରୀ ନୀତିକୁ ନେଇ ଗରିବ ଲୋକ ଏବଂ ଟ୍ରାକଟର ମାଲିକମାନଙ୍କ ମଧ୍ୟରେ ଗଭୀର ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଏକ ପଟେ ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ଘର କରି ରହୁଥିବା ଗରିବ ପରିବାରମାନଙ୍କୁ ଉଛେଦ ନୋଟିସ ଜାରି କରାଯାଇଥିବାବେଳେ, ଅନ୍ୟ ପଟେ ବାଲି ପରିବହନକୁ ନେଇ ଟ୍ରାକଟର ମାଲିକମାନଙ୍କ ଉପରେ ଭାରୀ ଜରିମାନା ଲାଗୁ କରାଯାଉଥିବାରୁ ଲୋକଙ୍କ ଜୀବିକା ସଙ୍କଟରେ ପଡ଼ିଛି।
ଟ୍ରାକଟର ମାଲିକମାନଙ୍କ ଅଭିଯୋଗ ଅନୁସାରେ, ବାଲି ନେବା ସମୟରେ ଧରାପଡ଼ୁଥିବା ଟ୍ରାକଟରକୁ ଛାଡ଼ିବା ପାଇଁ ଯେଉଁ ମୋଟା ଜରିମାନା ଆଦାୟ କରାଯାଉଛି, ସେହି ଟଙ୍କା ଦେବାକୁ ତାଙ୍କ ପାଖରେ ସମ୍ବଳ ନାହିଁ। ଜରିମାନା ଟଙ୍କା ଯୋଗାଡ଼ କରିବାରେ ବିଳମ୍ବ ହେବାରୁ ଟ୍ରାକଟର ଦୀର୍ଘ ସମୟ ପର୍ଯ୍ୟନ୍ତ ଜବତ ରହୁଛି, ଯାହାର ଫଳରେ ଟ୍ରାକଟର ଋଣ କିଷ୍ତି ଦେବା ମଧ୍ୟ ସମ୍ଭବ ହେଉନାହିଁ।

ସେହିପରି, ସରକାରୀ ଜାଗାରେ ଦିନମଜୁରି କରି ଟଙ୍କା ଟଙ୍କା କରି ସଞ୍ଚୟ କରି ଘର ତିଆରି କରିଥିବା ଗରିବ ପରିବାରମାନଙ୍କୁ ଉଛେଦ ନୋଟିସ ଦିଆଯିବାକୁ ନେଇ ସାଧାରଣ ଜନତା ମଧ୍ୟରେ ଭୟର ପରିବେଶ ଦେଖାଦେଇଛି। ବଜାର ମଝିରେ ଅଟକାଳୀ ଭାବେ ନିର୍ମାଣ କରି ରହୁଥିବା କିଛି ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଉଥିବାବେଳେ, ଗରିବ ଲୋକଙ୍କ ଉପରେ କଠୋର ପଦକ୍ଷେପ ନିଆଯାଉଥିବା ଅଭିଯୋଗ ହେଉଛି।
ଏହି ସମସ୍ତ ମୁଦ୍ଦାକୁ ନେଇ ଆଜି କନ୍ଧମାଳ ଜିଲ୍ଲା କୁଇ ସମାଜ ସମନ୍ୱୟତ ସହ ସମ୍ପାଦକ ଲମ୍ବଧର କହଁର ଏବଂ ଡ଼କ୍ଟର ଆମ୍ବେଦକର କମିଟିର ଜିଲ୍ଲା ସଭାପତି ସମିର ଘଟାଲ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।

ଲମ୍ବଧର କହଁର କହିଛନ୍ତି ଯେ, ସରକାର ନଦୀ ବାଲି ଟେଣ୍ଡର ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ ନ କରି ଗରିବ ଓ ଟ୍ରାକଟର ମାଲିକଙ୍କ ଉପରେ ମୋଟା ଜରିମାନା ଏବଂ ଉଛେଦ ନୋଟିସ ଜାରି କରି ଶୋଷଣ କରୁଛନ୍ତି। ଏହା ତୁରନ୍ତ ବନ୍ଦ ହେବା ସହ ଲୋକଙ୍କ ଜୀବିକାକୁ ସୁରକ୍ଷା ଦେବା ପାଇଁ ସମାଧାନମୂଳକ ନୀତି ଆଣିବାକୁ ସେ ଦାବି କରିଛନ୍ତି।
ସେ ଆହୁରି ସତର୍କ କରାଇଛନ୍ତି ଯେ, ଯଦି ସରକାର ଶୀଘ୍ର ଏହି ସମସ୍ୟାଗୁଡ଼ିକର ସମାଧାନ ନ କରନ୍ତି ଏବଂ ଗରିବ ଲୋକମାନଙ୍କୁ ନ୍ୟାୟ ନ ଦିଅନ୍ତି, ତେବେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାରେ ଏକ ବିରାଟ ଜନଆନ୍ଦୋଳନ ଗଢ଼ିଉଠିବ।
କନ୍ଧମାଳ ଜିଲ୍ଲାରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
