କୁଟିୟା କନ୍ଧ ମାନଙ୍କ ପାଇଁ ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ୟ ପାନୀୟଜଳ ଓ ବିଜୁଳି ସାତ ସପନ।

ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ୟ ଓଡ଼ିଶାର ଆଦିବାସୀ ଅଧ୍ଯୁଷିତ କଳାହାଣ୍ଡି ଜିଲ୍ଲାରେ ଏବେ ମଧ୍ୟ କିଛି ଅଞ୍ଚଳରେ ବିଜୁଳି, ପାନୀୟଜଳ ଏବଂ ଗମନାଗମନ ପାଇଁ ରାସ୍ତା ସାତ ସପନ ହୋଇଅଛି। କଳାହାଣ୍ଡି ଜିଲ୍ଲାର ନେତା ଭକ୍ତ ଦାସ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବର୍ତ୍ତମାନର ଓଡ଼ିଶାର ପ୍ରଦେଶ କଂଗ୍ରେସ କମିଟି ସଭାପତି। ଦିବ୍ୟସଂକର ମିଶ୍ର ହେଉଛନ୍ତି ପୂର୍ବତନ ବିଜେଡି ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଏମ୍ଏଲ୍ଏ। ଉଭୟ ମନ୍ତ୍ରୀ ସେମାନଙ୍କର ରାଜନୈତିକ ନାରା ଦେଉଥିଲେ ଯେ ସେମାନେ କଳାହାଣ୍ଡିର “ଭୋକର ଭୂଗୋଳ” କୁ ବଦଳାଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଶ୍ରୀ ଦିବ୍ୟସଂକରଙ୍କ ଉପରେ ନମିତା ମେହେର ହତ୍ୟାକାଣ୍ଡରେ ତଦନ୍ତ ପରିସର ଭୁକ୍ତ ହୋଇଥିଲେ। ସେ ଅଞ୍ଚଳର ଏକ ଘରୋଇ ମହାବିଦ୍ୟାଳୟ ରେ “କାଷ୍ଟିଙ୍ଗ କାଉଚ” ର ଅପବାଦ ତାଙ୍କ ବିରୁଦ୍ଧରେ ଆସିଥିଲା। କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ବିରୁଦ୍ଧରେ ମଧ୍ୟ ବେଦାନ୍ତ କମ୍ପାନୀ ପାଇଁ ଦଲାଲି କରୁଥିବାର ଅଭିଯୋଗ ସାଧାରଣରେ ମତ ପ୍ରକାଶ ପାଉଥିଲା।
ଏବେ ଆସିଛି ବିଜେପି ସରକାର, ସାଧାରଣ ଜନତାଙ୍କର ବହୁ ଆଶାଭରସା ଅଛି ଏହି ଡବଲ ଇଞ୍ଜିନ୍ ସରକାରଙ୍କ ଉପରେ। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate” ଆମେ ଏହି ଖବରରେ କୁଟିୟା କନ୍ଧ ସମ୍ପ୍ରଦାୟର କିଛି ଗାଁ ସମ୍ପର୍କରେ ତଥ୍ୟ ସହିତ ଖବର ପ୍ରସାରଣ କରୁଅଛୁ।ସରକାର ଏହାର ତଦନ୍ତ କରି କାର୍ଯ୍ୟରେ ଅବହେଳା କରୁଥିବା ସରକାରୀବାବୁ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

କଳାହାଣ୍ଡି ଜିଲ୍ଲାର ତାଡିଝୁଲା ଗାଁରେ ସରକାରଙ୍କ ଯୋଜନା ବାଟବଣା। ଅସାଧୁ ଅଫିସର ମାନଙ୍କ ଠିକାଦାର ଏବଂ ତୋଷାମଦକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା।
ଏହି ଗାଁରେ ଟ୍ରାନ୍ସଫର୍ମର ବସିଛି, ବିଦ୍ୟୁତ୍ ଖୁଣ୍ଟ ଅଛି, ତାର ଟଣା ହୋଇଛି, କିନ୍ତୁ ବିଜୁଳି ନାହିଁ। ବର୍ତମାନ ବିଦ୍ୟୁତ୍ ଉପଭୋକ୍ତା ୧୨ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଛନ୍ତି। ଗାଁରେ ସ୍ବାସ୍ଥ୍ୟ , ଶିକ୍ଷା, ପାନୀୟଜଳ ଏବଂ ଗମନାଗମନ ବ୍ୟବସ୍ଥା ନାହିଁ। ଯାହାଫଳରେ ବାଲିଚୁଆ ଉପରେ ଭରସା କରିଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଆଦିବାସୀ ଅଧ୍ଯୁଷିତ ବେଡାଗାଁ ପଞ୍ଚାୟତ ଅନ୍ତର୍ଗତ ତାଡିଝୁଲା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।ସୂଚନା ମୁତାବକ, ତାଡିଝୁଲା ଗାଁରେ ୧୦ ଘର କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ସ୍ବାଧୀନତା ପୂର୍ବରୁ ବସବାସ କରି ଆସୁଛନ୍ତି। ପାନୀୟଜଳ ପାଇଁ ଗୋଟିଏ ନଳକୂଅ ରହିଛି ହେଲେ ୧୬ ବର୍ଷ ହେଲା ନଳକୂପଟି ଦୟନୀୟ ଅବସ୍ଥାରେ ରହିଥିବା ଯୋଗୁଁ ଆବଶ୍ୟକ ପରିମାଣର ପାଣି ମିଳୁନାହିଁ। ତେଣୁ ପୂର୍ବରୁ ଗାଁ ନିକଟସ୍ତ ଆଲିମରା ଡଙ୍ଗରରୁ ଆସୁଥିବା ପାଣିକୁ ଏକ କୁଣ୍ଡ କରି ସେହି କୁଣ୍ଡରେ ଏକ ପାଇପ ଲଗାଇ ସେହି ପାଣିକୁ ପାନୀୟଜଳ ଭାବେ ଶୋଷ ମେଣ୍ଟାଉ ଥିଲେ। କିନ୍ତୁ ତାହାବି ବର୍ତମାନ ଠପ ହୋଇଥିବା ଅତ୍ୟନ୍ତ ଦୁଃଖଦ ଘଟଣା। ଯାହା ଫଳରେ ଖୋଲା ଆକାଶ ତଳେ ଥିବା ଏକ କୁଣ୍ଡର ପାଣି ଗୋଳିଆ ହୋଇ ରହିଥିବା ବେଳେ ସେହି ପାଣିରେ ବନ୍ୟପ୍ରାଣୀ, କୀଟ ପତଙ୍ଗ, ଆବର୍ଜନା ବସ୍ତୁ ପଡ଼ି ରହିଥିବାରୁ ସେହି ପାଣିକୁ ଲୋକେ ଗାଧେଇବା ଓ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିବା ସହିତ ସେହି ପାଣିକୁ ପାନୀୟଜଳ ରୂପେ ବ୍ୟବହାର କରିବା ଯୋଗୁଁ ଏହି ଗାଁ ଲୋକଙ୍କ ଶରୀରରେ ରୋଗ ଘର କରି ରହିଛି। ସେହିଭଳି ଆଜିକୁ ୧୩ ବର୍ଷ ପୂର୍ବେ ଗାଁର ୪ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା।ତେବେ ବିଦ୍ୟୁତ୍ ସଂଯୋଗର ମାତ୍ର ଏକ ମାସ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେହି ଦିନଠାରୁ ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଦାବି ହେଲେ ବି ବିଭାଗୀୟ ଅଧିକାରୀ ଶୁଣୁ ନଥିବା ଗାଁ ଲୋକେ କହୁଛନ୍ତି।ଡିବିରି ଆଲୁଅ ଭରସାରେ ଗାଁ ଲୋକେ ନିର୍ଭର କରୁଥିବା ବେଳେ ପୂର୍ବ ପରି ପଞ୍ଚାୟତ ତରଫରୁ କିରୋସିନି ମିଳୁନାହିଁ।ଯାହା ଫଳରେ ଅନ୍ଧାରରେ ଜୀବନ ବିତାଉଛନ୍ତି। ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଜଗି ରହୁଛନ୍ତି । ଗାଁରେ ବିଦ୍ୟୁତ୍ ନଥିବା ଯୋଗୁଁ ଏପରି ପରିସ୍ଥିତି ସାମ୍ନା କରିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି।ଗାଁରେ ସ୍କୁଲ ନଥିବା ଯୋଗୁଁ ସେହି ପାହାଡିଆ ରାସ୍ତାରେ ଚାଲି ଚାଲି ପିଲା ନିକଟସ୍ଥ ଗାଁ ଦେହେଡା ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ବର୍ଷକ ମଧ୍ୟରେ ଅଧିକାଂଶ ସମୟ ପିଲା ଘରେ ରହୁଛନ୍ତି।ସେହିପରି ନିଜ ଗାଁଠାରୁ ଜଙ୍ଗଲୀ ରାସ୍ତା ଦେଇ ନିକଟସ୍ଥ ଦେହେଡା ଗାଁ ଅଙ୍ଗନବାଡି କେନ୍ଦ୍ରକୁ କୋମଳମତି ଶିଶୁମାନଙ୍କୁ ନେଇ ମା ମାନେ ଯାଉଛନ୍ତି।ଏଣୁ ଏଥିପ୍ରତି ଜିଲ୍ଲା ଉଚ୍ଚସ୍ତରୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। କଳାହାଣ୍ଡି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *