କୋଡିଙ୍ଗାମାଳିର ଖଣି ଖନନ ବନ୍ଦ କରିବା ପାଇଁ ସର୍ବଦଳୀୟ ନେତାଙ୍କର ରାୟଗଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ବୁଧବାର ଅପରାହ୍ନ ୩.୩୦ ସମୟର ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକାର୍ଣିଙ୍କୁ କୋଡିଙ୍ଗାମାଳି ଅଞ୍ଚଳବାସି ଓ ସର୍ବଦଳୀୟ ନେତାଙ୍କ ଦ୍ଵାରା ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ଗୁଡ଼ିକ ହେଲା ଓଡ଼ିଶା ଖଣି ନିଗମ (ଓ.ଏମ.ସି) ୨୦୧୭ ମସିହା ଠାରୁ କୋଡିଙ୍ଗାମାଳିରୁ ବେଦାନ୍ତ ପ୍ରକଳ୍ପକୁ ଶାଗ ମାଛ ଦରରେ ବକ୍ସାଇଟ ଯୋଗାଇ ଦେଉଅଛି। ଆଜିକୁ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ହେବ ବେଦାନ୍ତ କମ୍ପାନୀ ସ୍ଥାନୀୟ ଅଞ୍ଚଳର ଜଣେ ହେଲେ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇନାହିଁ କି ଅଞ୍ଚଳରେ ଗୋଟିଏ ହେଲେ ଉନ୍ନୟନ ମୂଳକ କାର୍ଯ୍ୟ କରିନାହିଁ। ସ୍ଥାନୀୟ ଯୁବକ ଯୁବତୀ ମାନେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଖଣି ପରିବହନ ହେବା ଦ୍ବାରା ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି ଏବଂ ବହୁ ମାତ୍ରାରେ ପ୍ରଦୂଷଣ ହେବା ଦ୍ବାରା ଅନେକ ଜନସାଧାରଣ ନାନା ପ୍ରକାର ରୋଗରେ ମୃତ୍ୟୁ ବରଣ କରିଛନ୍ତି। ଏ ଦିଗରେ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି । “ପ୍ରକଳ୍ପ ନାହିଁ ତ ଖଣି ନାହିଁ, ନିଯୁକ୍ତି ନାହିଁ ତ ଖଣି ନାହିଁ ” ନାରାରେ ଖଣି ଖନନ ପ୍ରାରମ୍ଭରୁ ଅଞ୍ଚଳବାସୀ କୋଡିଙ୍ଗାମାଳି ଖଣି ଖନନକୁ ବିରୋଧ କରି ଆସୁଛନ୍ତି। କୋଡିଙ୍ଗାମାଳି ଖଣିକୁ ନେଇ ଏ ଅଞ୍ଚଳରେ ଏକ ଶିଳ୍ପ ପ୍ରତିଷ୍ଠା କରାଗଲେ ଏ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ମିଳିବା ସହ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ହେଇପାରିଥାନ୍ତା। ବେଦାନ୍ତ ମଧ୍ୟ ଏହି ଠାରେ ପ୍ରକଳ୍ପ ପ୍ରତିଷ୍ଠା କଲେ ଆମ୍ଭେ ଅଞ୍ଚଳବସୀ ସ୍ବାଗତ କରିବୁ। ଅନ୍ୟ ପକ୍ଷରେ ଖଣି ଚାଲାଣ କରିବା ପାଇଁ ବର୍ତ୍ତମାନ କୋଡିଙ୍ଗାମାଳିରୁ ବାର୍ଷିକ ୩ ମିଲିୟନ ଟନ ରୁ ୬ ମିଲିୟନ ଟନ ଖଣି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ଖଣି ନିଗମ ଏବଂ ବେଦାନ୍ତ କମ୍ପାନୀ ପ୍ରୟାସ କରୁଛି ଯାହାକୁ ଆମ୍ଭେ ଅଞ୍ଚଳବାସି ତୀବ୍ର ବିରୋଧ କରିଅଛୁ। ଏ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଅଭିଯୋଗ କରିଥିଲୁ। ମାନନୀୟ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳବାସୀଙ୍କ ହିତରେ ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଯାହା ଫଳରେ ଅଞ୍ଚଳବାସି କୋଡିଙ୍ଗାମାଳିରୁ ଖଣି ଖନନକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଆସନ୍ତା ତା:୧୦.୦୯.୨୦୨୫ ରିଖରେ ବିଶାଳ ଜନଆନ୍ଦୋଳନ କରିବା ସହ ତା: ୧୧.୦୯.୨୦୨୫ ରିଖରୁ ଖଣି ପରିବହନ ବନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି। ଲକ୍ଷ୍ମୀପୁର ସ୍ଥିତ ଓଡ଼ିଶା ଖଣି ନିଗମ (ଓ.ଏମ.ସି) କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନିଆଯାଇଛି।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଝିନୋ ହିକାକା,କୋରାପୁଟ ପୂର୍ବତନ ସାଂସଦ କୃଷ୍ଣ ଦଗରୀୟା, ଲକ୍ଷ୍ମୀପୁର ନବନିର୍ବାଚିତ ସାଂସଦ ପବିତ୍ର ସାନ୍ତା,ରାୟଗଡ଼ା ନବନିର୍ବାଚିତ ସାଂସଦ ଆପଲ୍ଲା ସ୍ବାମୀ କଡ୍ରକା,ବରିଷ୍ଠ ନେତା କାଳୀରାମ ମାଝୀ,ପୂର୍ବତନ ସାଂସଦ ମକରନ୍ଦ ମୁଦୁଲି ଓ ସରପଞ୍ଚ କୋଡିଙ୍ଗାମାଳିଙ୍କ ଅଞ୍ଚଳବାସି ଉପସ୍ଥିତ ଥିଲେ।
ରାୟଗଡ଼ା ରୁ ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
କୋଡିଙ୍ଗାମାଳିର ଖଣି ଖନନ ବନ୍ଦ କରିବା ପାଇଁ ସର୍ବଦଳୀୟ ନେତାଙ୍କର ରାୟଗଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
