ରାୟଗଡ଼ା ପୌରପାଳିକା ପକ୍ଷରୁ ରାୟଗଡ଼ା ଲୋକ ମହୋତ୍ସବ ‘ଚଇତି’ ରେ ବିଭିନ୍ନ ଖାଦ୍ୟ ଷ୍ଟଲରେ ଅତର୍କିତ ଚଢ଼ାଉ ଓ ଯାଞ୍ଚ। ସ୍ଥାନୀୟ ଜିଲ୍ଲା ମହୋତ୍ସବ ‘ଚଇତି-୨୦୨୫’ ଅବସରରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାୟଗଡ଼ା ପୌରପାଳିକା ପକ୍ଷରୁ ଏକ ବିଶେଷ ଏନଫୋର୍ସମେଣ୍ଟ ଡ୍ରାଇଭ୍ ବା ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ମହୋତ୍ସବ ପଡ଼ିଆରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲଗୁଡ଼ିକରେ ଖାଦ୍ୟର ଗୁଣବତ୍ତା ଏବଂ ସ୍ୱଚ୍ଛତା ପରଖିବା ପାଇଁ ପୌରପାଳିକାର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ।

ରାୟଗଡ଼ା ପୌରପାଳିକାର ନିର୍ବାହୀ ଅଧିକାରୀ ଏବଂ ଖାଦ୍ୟ ନିରୀକ୍ଷକ (Food Inspector) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଯାଞ୍ଚ କରାଯାଇଥିଲା।ଏହି ଅଭିଯାନ ସମୟରେ ବିଭିନ୍ନ ଷ୍ଟଲରେ ବିକ୍ରି ହେଉଥିବା ଖାଦ୍ୟର ମାନ, ବ୍ୟବହୃତ ହେଉଥିବା ତେଲ, ପାନୀୟ ଜଳ ଏବଂ ପରିବେଶର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଚଇତି ମହୋତ୍ସବକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ ସୁସ୍ଥ ଏବଂ ସ୍ୱଚ୍ଛ ଖାଦ୍ୟ ଯୋଗାଇ ଦେବା ପାଇଁ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଷ୍ଟଲ ମାଲିକ ମାନଙ୍କୁ ଅନୁରୋଧ କରିଥିଲେ ।

ଜନସାଧାରଣ ମଧ୍ୟ ସଚେତନ ରହିବା ସହ ସ୍ୱଚ୍ଛ ସ୍ଥାନରୁ ଖାଦ୍ୟ ଗ୍ରହଣ କରିବାକୁ ପୌରପାଳିକା ପକ୍ଷରୁ ନିବେଦନ କରାଯାଇଛି।
ରାୟଗଡାରୁ କମଳ ଲୋଚନଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
