ଆମର ଏହି ନ୍ୟୁଜ ସେଗମେଣ୍ଟା ହେଉଛି ଭଲ ଖବର। ଫୁଲବାଣୀ ଜିଲ୍ଲାର ଖଜୁରୀପଡ଼ା ବ୍ଲକରୁ ଫଟୋ ନ୍ୟୁଜ ଟାଇମସ୍ ର ନୟାଗଡ଼ ପ୍ରତିନିଧି ଅକ୍ଷୟ କୁମାର ପରିଡାଙ୍କ ରିପୋର୍ଟ୍। ଗ୍ରାମବାସୀମାନେ ଦାବି କରନ୍ତି ଯେ, ଆମେ ମାନେ ଚାନ୍ଦାକରି ରାସ୍ତା ନିର୍ମାଣ କରୁଅଛୁ। ବୁଦ୍ଧିଜିବୀ ମହଲରେ ଦାବି ହେଉଛି ଯେ ସରକାର ଏହାର ତଦନ୍ତ କରି ଗ୍ରାମବାସୀ ମାନଙ୍କ ସ୍ୱାର୍ଥକୁ ଆଖିରେ ରଖି ତୁରନ୍ତ ଉନ୍ନତ ମାନର ରାସ୍ତା କରନ୍ତୁ।
ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଆଜି ମଧ୍ୟ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଜନ ପ୍ରତିନିଧିଙ୍କୁ ରାସ୍ତା ନିର୍ମାଣ ପାଇଁ ଯେତେ ଗୁହାରି କଲେ ସୁଦ୍ଧା କେହି କଣ୍ଠପାତ କଲେ ନାହିଁ । ପ୍ରଶାସନ ଉପରୁ ଭରସା ତୁଟିବା ପରେ ଗ୍ରାମବାସୀମାନେ ନିଜେ ଚାନ୍ଦା କରି ରାସ୍ତା ନିର୍ମାଣ କରୁଛନ୍ତି। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁରୁକୁମ୍ପା ଗୁମପଞ୍ଚାୟତ ଅଧିନସ୍ଥ ବଣାମେରୁ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ବଣାମେରୁ ଗ୍ରାମରେ ୩୦ରୁ ଅଧିକ ପରିବାର ଲୋକ ରହୁଛନ୍ତି I ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଝିରେ ଥିବା ଏହି ଗ୍ରାମରେ ରହିଛି ଅନେକ ସମସ୍ୟା I ସେଥି ମଧ୍ୟରୁ ପ୍ରମୁଖ ହେଉଛି ରାସ୍ତା ସମସ୍ୟା । ଗାଁକୁ ଯିବା ପାଇଁ ଖାଲ ଢିପ ପାହାଡ଼ିଆ ଚଲା ରାସ୍ତା ରହିଛି । ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ, ଦମକଳ ବାହିନୀ ଗାଡ଼ି ଗାଁରେ ପହଞ୍ଚି ପାରୁ ନାହିଁ । ଧନ, ଜୀବନ ନଷ୍ଟ ହେଉଛି । କାହାର ଦେହ ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ଦୋଳା କରି ବୋହି କି ନେବାକୁ ପଡ଼ୁଛି । ଗ୍ରାମବାସୀ ବିଷ୍ଣୁ ଚରଣ ମାଝୀ ଏବଂ ଅରୁଣ କହଁରଙ୍କ କହିବା ଅନୁଯାୟୀ ଅନେକ ସମୟରେ ଡାକ୍ତରଖାନା ନେବା ସମୟରେ ବାଟରେ ପ୍ରସବ ହୋଇଯାଉଛି। ମାଆ, ଶିଶୁ ବିପଦର ସମ୍ମୁଖୀନ ହେଉଛନ୍ତି। ଏପରିକି ଡାକ୍ତରଖାନାରେ ପହଞ୍ଚିବାରେ ଡେରି ହେଉଥିବାରୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହେଉଛି । ଗାଁରେ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ନାହିଁ । ପିଲାଙ୍କ ପାଠ ପଢ଼ାରେ ସମସ୍ୟା ହେଉଛି। ଗୋଦାବରୀ ଛକ ପ୍ରଧାନମନ୍ତ୍ରୀ ସଡ଼କ ଠାରୁ ମାତ୍ର ତିନି କିଲୋମିଟର ମଧ୍ୟରେ ରହିଛି ବଣାମେରୁ ଗାଁ । ଏହି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ବହୁବାର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଜଣାଇଛନ୍ତି । ମାତ୍ର କୌଣସି ପଦକ୍ଷେପ ନିଆଗଲା ନାହିଁ I ବାଧ୍ୟ ହୋଇ ଗ୍ରାମବାସୀ ଚାନ୍ଦା କରି ମାଟି ପକାର ଗାଁକୁ ରାସ୍ତା ନିର୍ମାଣ କରିଛନ୍ତି। ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହେଲେ ଅନ୍ୟାନ୍ୟ ବିକାଶ ହୋଇପାରିବ ବୋଲି ଗ୍ରାମର ଲକ୍ଷ୍ମଣ ପ୍ରଧାନ, ରମେଶ କହଁର, ଶମ୍ଭୁନାଥ ବେହେରା, ସୁଶା ମାଝା ପ୍ରମୁଖ କହିଛନ୍ତି I ସରପଞ୍ଚ ଦଶରଥ ଜାନାଙ୍କୁ ରାସ୍ତା ନିର୍ମାଣ ପାଇଁ ଦାବି ରଖିଛନ୍ତି। ଖଜୁରୀପଡ଼ା ବିଡିଓ ଶ୍ରୀ ଶୁଭଚଇତ୍ରେୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହି ତାଙ୍କ ଦାୟିତ୍ବ ଶେଷ କରିଦେଇଛନ୍ତି ।