ଘରୋଇ ଡାକ୍ତରଖାନାର ସ୍ୱାସ୍ଥ୍ୟ ବିଭାଗ ସହ ମଧୁଚନ୍ଦ୍ରିକା

ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଏବଂ ଘରୋଇ ଡାକ୍ତରଖାନା ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ଓଡ଼ିଶାରେ ବହୁ ଅଘଟଣ ହେଉଛି। ସରକାର ଏହାର ଅନୁସନ୍ଧାନ କରି ଆବଶ୍ୟକ ସ୍ଥଳେ କଠୋରନୀତି ଏବଂ ଦଣ୍ଡ ବ୍ୟବସ୍ଥା କରିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି। ସ୍ୱାସ୍ଥ୍ୟ ସେବାକୁ କିଛି ଡାକ୍ତର ଛୋଟଛୋଟ ସହରରେ ଏହାକୁ ବ୍ୟବସାୟରେ ପରିଣତ କରିଛନ୍ତି। ହୋମିୟପାତି, ଆୟୁର୍ବେଦି ଏବଂ ମେଡ଼ିସିନ ପ୍ରାକ୍ଟିସନର ମାନେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ମୁଖ୍ୟ ମାନଙ୍କ ସହ ଅନୈତିକ ସମ୍ପର୍କ ରଖି ଏହା ବ୍ୟବସାୟ ଚଳାଉଛନ୍ତି।
ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Invesigate”।


କେନ୍ଦ୍ରାପଡ଼ା ସହରସ୍ଥିତ ପୁରୁଣା ମେଡିକାଲ ରୋଡରେ ଥିବା ସାଇ ନର୍ସିଂହୋମରେ ଜଣେ ଗର୍ଭବତୀ ଓ ଗର୍ଭସ୍ଥ ସନ୍ତାନକୁ ଡାକ୍ତର ମାରି ଦେଇଥିବା ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଏହାସହ ସଂପୃକ୍ତ ଡାକ୍ତର ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିଛନ୍ତି । କେବଳ ସେତିକି ନୁହେଁ ନର୍ସିଂହୋମର କର୍ମଚାରୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ । ଜଣେ କ୍ୟାମରାମ୍ୟାନ୍‌ଙ୍କ କ୍ୟାମେରା ଛଡାଇ ନେଇଥିଲେ । ଏ ନେଇ ମୃତ ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଛନ୍ତି । ଏତଲା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣକ ହେଲେ ଜଗତସିଂହପୁର ଜିଲା ପାରାଦ୍ୱୀପ ଥାନା ଅଞ୍ଚଳର ସେକ କୁନାଙ୍କ ପତ୍ନୀ ।

ସେକ କୁନା ଏତଲାରେ ଦର୍ଶାଇଛନ୍ତି ଯେ ତାଙ୍କ ଶ୍ୱଶୁର ଘର କେନ୍ଦ୍ରାପଡ଼ା ସହରରେ । ପତ୍ନୀର ପ୍ରସବ ସମୟ ପାଖେଇ ଆସିବାରୁ ପାରାଦ୍ୱୀପରୁ କେନ୍ଦ୍ରାପଡ଼ା ଆଣିଥିଲେ । ରବିବାର ସକାଳେ ପତ୍ନୀଙ୍କୁ ସାଇ ନର୍ସିଂହୋମରେ ପ୍ରସବ ପାଇଁ ଭର୍ତ୍ତି କରିଥିଲେ । ଡାକ୍ତର ଅସ୍ତ୍ରୋପଚାର ଗୃହକୁ ପତ୍ନୀଙ୍କୁ ନେଇଥିଲେ । ଏହାପରେ ରକ୍ତ ଯୋଗାଡ କରିବାକୁ କହିଥିଲେ । ସ୍ୱାମୀ ଓ ଅନ୍ୟ ସଂପର୍କୀୟମାନେ ରକ୍ତ ଯୋଗାଡ କରିବା ପାଇଁ ଯାଇଥିଲେ । ହେଲେ ରକ୍ତ ନେଇ ଆସିବା ପରେ ଡାକ୍ତର କହିଲେ ଉଭୟ ଛୁଆ ଓ ମା’ଙ୍କ ମୃତ୍ୟୁ ଘଟିଛି । ତେବେ ଡାକ୍ତର ସଠିକ ଭାବେ ଚିକିତ୍ସା ନ କରି ମା’ ଓ ଛୁଆକୁ ମାରିଦେଲେ ବୋଲି ସ୍ୱାମୀ ସେକ କୁନା ଏତଲାରେ ଦର୍ଶାଇଛନ୍ତି । ଏହି ଅଭିଯୋଗ ହେବା ପରେ କୁନାଙ୍କ ସଂପର୍କୀୟମାନେ ନର୍ସିଂହୋମ ସମ୍ମୁଖରେ ଧାରଣା ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ ନର୍ସିଂହୋମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଫଳରେ ପରିବାର ଲୋକେ ଧାରଣା ପ୍ରତ୍ୟାହାର କରିଥିଲେ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ଡାକ୍ତରଖାନା ପଠାଇଥିଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏକ ଡାକ୍ତରୀ ଦଳ ଏହାର ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । ଟାଉନ୍ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି ଏ ସଂକ୍ରାନ୍ତରେ ଏକ ମାମଲା ଥାନାରେ ରୁଜୁ ହୋଇଛି । ପ୍ରସବ କରିଥିବା ଡାକ୍ତର ରଶ୍ମିରଞ୍ଜନ ପାତ୍ରଙ୍କୁ ଜେରା କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଡାକ୍ତର ଚିକିତ୍ସାରେ ଅବହେଳା କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ । ସେହି ଆଧାରରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଅପରପକ୍ଷରେ ପ୍ରସବ କରାଇଥିବା ଡାକ୍ତର ଶ୍ରୀ ପାତ୍ର ଚିକିତ୍ସା ଅବହେଳା ଜନିତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ହୋମିୟପାତି, ଆୟୁର୍ବେଦି ଏବଂ ମେଡ଼ିସିନ ପ୍ରାକ୍ଟିସନର ମାନଙ୍କ କ୍ଲିନିକର କାଗଜ ପାତ୍ର ଯାଞ୍ଚ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *