ଆଜି କୃଷି ଭବନ ଅଡିଟୋରୀୟମରେ ରାଜ୍ୟସ୍ତରୀୟ ବାର୍ଷିକ ରବି ସମ୍ମିଳନୀ- ୨୦୨୫-୨୬ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ଯୋଗଦେଇଥିଲେ । ରବି ଅଭିଯାନ ୨୦୨୫-୨୬କୁ ଓଡିଶାର ମୁଖ୍ୟ ଶାସନ ସଚିବ ୨୨ ଅକ୍ଟୋବର ୨୦୨୫ରେ ଅନୁମୋଦନ କରିଛନ୍ତି। ରବି ଅଭିଯାନର ମୁଖ୍ୟ ବୈଶିଷ୍ଟ୍ୟ ମଧ୍ୟରେ ରହିଛି, ଓଡିଶାରେ ରବି ଋତୁ ୨୦୨୫-୨୬ ମଧ୍ୟରେ ପ୍ରାୟ ୨୯ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ କରାଯିବାର କାର୍ଯ୍ଯକ୍ରମ ରହିଛି। ଯେଉଁଥିରେ ୧୫.୧୩ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ଅନ୍ତର୍ଭୁକ୍ତ, ୩.୭୦ଲକ୍ଷ ହେକ୍ଟର ଜମିରେ ତୈଳବୀଜ ଚାଷ କରାଯାଇଛି, ପରିବା ଚାଷ ପାଇଁ ୪.୯୭ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଇଛି। ଖାଦ୍ୟଶସ୍ୟ ପାଇଁ ୨୩.୨୬ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ଯ କରାଯାଇଥିବା ବେଳେ ମସଲା ଅଧୀନରେ ୧.୧୫ ଲକ୍ଷ ହେକ୍ଟର ଏବଂ ଆଖୁଚାଷ ଅଧୀନରେ ୦.୨୧ ଲକ୍ଷ ହେକ୍ଟର ଜମି ରହିଛି , ୮.୨୦ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଜାତୀୟ ଶସ୍ୟ ଓ ୪.୨୧ ଲକ୍ଷ ମେଟ୍ରିକ୍ ଟନ୍ ତୈଳବୀଜ ପାଇଁ ଲକ୍ଷ୍ୟ ରହିଛି ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ରବି ପରିକଳ୍ପନାକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ସକ୍ରିୟ ରହିବା ଆବଶ୍ୟକ ଏବଂ ସଠିକ୍ ସମୟରେ ଇନପୁଟ୍ ଯୋଗାଣ, ପ୍ରଭାବୀ ଆନ୍ତଃ-ବିଭାଗୀୟ ସମନ୍ୱୟ ଏବଂ ନିରନ୍ତର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ସୁନିଶ୍ଚିତ କରିବା ଆବଶ୍ୟକ। ଏଥିସହିତ, ଅବ୍ୟବହୃତ କୃଷି ଫାର୍ମ ଗୁଡିକୁ ମଧ୍ୟ ଆମେ ଗୋଦାମ ଗୃହ ଭାବେ ବ୍ୟବହାର କରିପାରିବା। ଏହି ପଦକ୍ଷେପଗୁଡ଼ିକର ଲାଭ କୃଷକମାନଙ୍କ ନିକଟରେ ପହଞ୍ଚିବା ସୁନିଶ୍ଚିତ କରିବା ପାଇଁ ଦୃଢ଼ ନେତୃତ୍ୱ, ସମର୍ପିତ ତଦାରଖ ଏବଂ ଫଳାଫଳ ଭିତ୍ତିକ କାର୍ଯ୍ୟାନ୍ୱୟନ ଜରୁରୀ ଅଟେ ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ଡ୍ୟାମ ତଥା ବ୍ୟାରେଜରେ ରବି ଫସଲ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାଣି ମହଜୁଦ ଅଛି । ଆଗାମୀ ଦିନରେ ଆମେ ୯୦% ଚାଷଜମିକୁ ଜଳସେଚନ ବ୍ୟବସ୍ଥାରେ ସଂଯୋଗ ପାଇଁ ଲକ୍ଷ୍ୟ ରଖିଛୁ ।
କୃଷି ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ, ରବି କାର୍ଯ୍ଯକ୍ରମ ୨୦୨୫-୨୬ରେ ଡାଲି ଓ ତୈଳବୀଜର କ୍ଷେତ୍ରଫଳ ଓ ଉତ୍ପାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇ ଏହିସବୁ ଫସଲରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଦୀର୍ଘମିଆଦୀ ଲକ୍ଷ୍ୟ ରଖାଯାଇଛି।
ଭୁବନେଶ୍ୱରରୁ ସୁଶ୍ରୀ ସଂଗୀତା ମହାରଣା ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
