ଜାତୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ। ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ ) ତରଫରୁ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି |

ସ୍ଥାନୀୟ ନୁଆ ବସଷ୍ଟାଣ୍ଡରୁ ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସମାପ୍ତ ହୋଇଥିଲା |

ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ ସଚେତନତା ଶୋଭାଯାତ୍ରାର ଶୁଭାରମ୍ବ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ(ରାଜସ୍ବ )ରବୀନ୍ଦ୍ର କୁମାର ମଲ୍ଲିକ, କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ |

ରାଲିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ୟୁଥ ଏଥଲେଟିକ ଏକାଡେମୀର କ୍ରୀଡ଼ାବିତ ସମେତ ପ୍ରାୟ ୨ ଶହ ଛାତ୍ରଛାତ୍ରୀ ସାମିଲ ଥିଲେ | ରାଲିରେ ନିଜେ ଜିଲ୍ଲାପାଳ ସାଇକେଲ ଚଳାଇ କଲେଜ ପର୍ଯ୍ୟନ୍ତ ଯାଇଥିଲେ | ଯାହାକି ଅନ୍ୟ ମାନଙ୍କ ପାଇଁ ଉଦାହରଣ ଅଟେ | ସାଇକେଲ ଚଳାଇବା ଦ୍ୱାରା ନିଜ ଶରୀର ଫିଟ ରହିବା ସହିତ ମାନସିକ ସ୍ଥିତି ଭଲ ରହିଥାଏ, ସେଥିପାଇଁ ସମସ୍ତେ ସାଇକେଲ ଚଳାଇବା ଉଚିତ |

ଏହା ଛଡା ସାଂସଦ ଖେଳ ମହୋତ୍ସବ ପାଇଁ ପଞ୍ଜିକରଣ ପ୍ରକ୍ରିୟା ଜାରୀ ରହୁଥିବାରୁ, ସମସ୍ତେ ଏହି ମହୋତ୍ସବରେ ଅଧିକ ମାତ୍ରାରେ ସାମିଲ ହୋଇ ପଞ୍ଜିକରଣ କରିବାପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି |
କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
