ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ଜିଲ୍ଲାସ୍ତରରେ ଏହି ସମାରୋହ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ ହୋଇଅଛି।

“ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫” ଜିଲ୍ଲାସ୍ତରରେ ଏହି ସମାରୋହ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ ହୋଇଅଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ର ଶୁଭ ଉଦଘାଟନ କରିଥିଲେ I ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କେନ୍ଦ୍ରାପଡ଼ା ଜିଲ୍ଲାର ସଦର ମହକୁମାସ୍ଥିତ କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ପଡିଆ ଓ ଆଠଟି ବ୍ଲକ ପରିସରରେ ଆୟୋଜନ ହୋଇଥିଲା I ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଶ୍ରୀଯୁକ୍ତ ସୁରେଶ ପୂଜାରି, ମାନ୍ୟବର ମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, କେନ୍ଦ୍ରାପଡା ଲୋକସଭା ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ I

ଲୋକତନ୍ତ୍ରରେ ପଞ୍ଚାୟତିରାଜର ଗୁରୁତ୍ୱ ମହତ୍ୱପୂର୍ଣ୍ଣ I କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଫଳ ଆଜି ଲୋକମାନେ ପାଇପାରୁଛନ୍ତି I ବିଜେପି ସରକାର ଲୋକମାନଙ୍କର I ଲୋକମାନେ ହିଁ ଆଜିର ସରକାରରେ ମାଲିକ ବୋଲି ମାନ୍ୟବର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ I ଲୋକମାନଙ୍କ ନିକଟରେ ମୌଳିକ ସୁବିଧା ଓ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରି ଯୋଜନାଗୁଡିକୁ ପହଞ୍ଚାଇବା ନିମନ୍ତେ ସମସ୍ତଙ୍କର ସହଯୋଗ ସେ କାମନା କରିଥିଲେ I ଆଗାମୀ ୪ ବର୍ଷ ଭିତରେ ଗରିବ ଭୂମିହୀନ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ୪ ଡେସିମିଲ ଜାଗା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ I ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ I ୨୦୩୬ ମସିହା ସୁଦ୍ଧା ବିକଶିତ ରାଜ୍ୟ ଗଠନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ I ଏହି କ୍ରମରେ ଇ-ପଞ୍ଚାୟତ ସଭା ଓ ପିପିଏମଏସ ପୋର୍ଟାଲର ଉନ୍ମୋଚନ, ପଞ୍ଚାୟତ ମନିଟରିଂ ସିଷ୍ଟମ (ପୋର୍ଟାଲ ଓ ମୋବାଇଲ ଆପ)ର ଶୁଭାରମ୍ଭ କରାଯାଇଥିଲା I

ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ରାଜ୍ୟର ୬ ଲକ୍ଷ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଥିବା ବେଳେ ଜିଲ୍ଲାସ୍ତରୀୟ ସମାରୋହରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ୧୨ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରିଥିବା ବେଳେ ଅନ୍ତୋଃଦୟ ଯୋଜନାରେ ୪ ଜଣଙ୍କୁ ବାସଗୃହ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ I ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍ତମ କାର୍ଯ୍ୟଦକ୍ଷତା ଓ ନିଜସ୍ୱ ଆୟ ବୃଦ୍ଧି କରିଥିବା ଆଧାରରେ ପଞ୍ଚାୟତଗୁଡିକୁ କ, ଖ ଓ ଗ ବର୍ଗୀକରଣ କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲାର ୨୨ ଗୋଟି ଗ୍ରାମ ପଞ୍ଚାୟତକୁ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ (ଏସଏଫସି) ପକ୍ଷରୁ ପ୍ରଦାନ କରିବାକୁ ଥିବା ପ୍ରୋତ୍ସାହନ ରାଶି ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଥିଲେ I ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭାକାର୍ଯ୍ୟ ମୁଖ୍ୟ ଅତିଥି ଶୁଭାରମ୍ଭ କରିବା ପରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରାଯାଇଥିଲା I ଅତିରିକ୍ତ ଜିଲ୍ଲାପାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ I ଜିଲ୍ଲାସ୍ତରୀୟ ଉତ୍ସବରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କର ଜନମଙ୍ଗଳକାରୀ ଯୋଜନାର ସଫଳ ରୂପାୟନ, ରାଜସ୍ୱ ଆଦାୟ, ପର୍ଯ୍ୟଟନ ଓ ଶିଳ୍ପର ବିକାଶ ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ବିକାଶ ଓ ଜନ ଶୁଣାଣିରେ ଅଭିଯୋଗଗୁଡିକର ତ୍ଵରିତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା କରିଥିଲେ I ଉକ୍ତ ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାସ୍ତରୀୟ ଓ ମଣ୍ଡଳସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ଜିଲ୍ଲା ପରିଷଦ ଓ ପଞ୍ଚାୟତର ସଭ୍ୟ / ସଭ୍ୟା, ସରପଞ୍ଚ, ୱାର୍ଡ ମେମ୍ବର, ନୂତନ ରାସନ କାର୍ଡ ଯୋଗ୍ୟ ହିତାଧିକାରୀ, ଦଳୀୟ କର୍ମକର୍ତ୍ତା, ବୁଦ୍ଧିଜୀବୀ, ଜନସାଧାରଣ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ I କେନ୍ଦ୍ରାପଡାରୁ ଫଟୋ ନ୍ୟୁଜ ଟାଇମସ୍ ର ପ୍ରତିନିଧି ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *