ଜିଲାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ। ଏସ୍ପି ଅଫିସ ଘେରାଉ କଲା ଜିଲା ବିଜେଡି।
କେନ୍ଦ୍ରାପଡ଼ା ଜିଲାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ପୁଲିସ ଏବେ ଗେରୁଆ ଗାମୁଚ୍ଛାଧାରୀଙ୍କୁ ସମ୍ମାନ ଦେଉଛି । ଗେରୁଆ ଗାମଛା ପକାଇଥିବା ଲୋକମାନେ ଯାହା ଦୋଷ କଲେ ସେମାନଙ୍କୁ ତିନିଖୁଣ ମାଫ ।

କିନ୍ତୁ ସାଧାରଣ ଜନତା ଟିକେ ଭୁଲ କଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଜେଲ । ଥାନା ଏବେ ବିଜେପି ଅଫିସରରେ ପରିଣତ ହୋଇଛି । ବିଜେଡି ବିଧାୟକମାନେ ଏହି ଅଭିଯୋଗ କରି ଶୁକ୍ରବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଗିରଫ ହୋଇଛନ୍ତି ।

ହଜାର ହଜାର ସଂଖ୍ୟାରେ ବିଜେଡି ବିଜେପି ସରକାର ବିରୋଧରେ ପ୍ରତିବାଦ କରି ଏସ୍ପି ଅଫିସ ନିକଟକୁ ଯାଇଥିଲେ । ସେଠାରେ ଏସ୍ପିଙ୍କ ଠାରୁ ଜିଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଥିଲେ । ଜିଲା ବିଜୁ ଜନତା ଦଳ ସଭାପତି ଶିବ ପ୍ରସାଦ ଭଳଙ୍କ ଅଧ୍ୟକ୍ଷତାରେ ଏସ୍ପିଙ୍କ ଅଫିସ ନିକଟରେ ଏକ ପ୍ରତିବାଦ ସଭା ହୋଇଥିଲା ।

ଏଥିରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ନେତା ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

ଗତ ୧୫ ବର୍ଷ ମଧ୍ୟରେ ଜିଲାରେ କୌଣସି ରାଜନୈତିକ ଦଳ ଏସ୍ପି ଅଫିସ ଘେରାଉ କରି ନଥିଲେ । ଆଜି କାହିଁକି ଏସ୍ପି ଅଫିସ ଘେରାଉ କରାଗଲା ବୋଲି ଆଳି ବିଧାୟକ ପ୍ରତାପ ଦେବ ପ୍ରଶ୍ନ କରିଥିଲେ । ବର୍ତ୍ତମାନ ରାଜ୍ୟରେ ଲୋକଙ୍କ ସରକାର ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ନାରା ଦେଉଛନ୍ତି ତାହା କେବଳ ବାହାସ୍ଫୋଟ । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ବେଳେ ଜିଲାରେ ଥିବା ଥାନାଗୁଡିକ ବିଜେପି କାର୍ଯ୍ୟାଳୟ ପାଲଟିଛି । ଏହି ଆନେ୍ଦାଳନ ଆଜିଠୁ ଆରମ୍ଭ ହେଲା ଆଗକୁ ଅଧିକ ଭୟଙ୍କର ରୂପ ନେବ ବୋଲି ଆଳି ବିଧାୟକ ପ୍ରତାପ ଦେବ ଚେତାବନୀ ଦେଇଥିଲେ ।

ପ୍ରତିବାଦ ସଭା ପରେ ପରେ ଉପରିସ୍ଥ ନେତାଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଏସ୍ପି କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରି ଗିରଫ ହୋଇଥିଲେ । ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଆନେ୍ଦାଳନ ପୂର୍ବରୁ କାର୍ଯ୍ୟାଳୟ ଛାଡି ପଳାଇଥିଲେ ।
