ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ଭଲ ରାସ୍ତା ନାହିଁ ବୋଲି ଗାଁକୁ ଗଲାନି ଆମ୍ବୁଲାନ୍ସ।

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ଭଲ ରାସ୍ତା ନାହିଁ ବୋଲି ଗାଁକୁ ଗଲାନି ଆମ୍ବୁଲାନ୍ସ।
୧ କିଲୋମିଟର ଚାଲିଲେ ଗର୍ଭବତୀ।
ଆମେ ଏହି ପ୍ରକାର ଖବର ବହୁବାର ପ୍ରକାଶ କରିଅଛୁ। ସହରାଂଚଳରେ ରାସ୍ତାର ଉନତି କରଣ ହେଉଛି ସତ, କିନ୍ତୁ କଳାହାଣ୍ଡି ଜିଲ୍ଲାର ରାସ୍ତାର ଅବସ୍ଥାରେ ଉନତି ଘଟୁନାହିଁ।
ଉପାନ୍ତରେ ପୁଣି ସାମ୍ନାକୁ ଆସିଛି ଯନନୀ ଯନ୍ତ୍ରଣାର ଚିତ୍ର। ଗାଁକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଏକ କିଲୋମିଟର ଚାଲି ଚାଲି ଯାଇଛନ୍ତି ଜଣେ ଗର୍ଭବତୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ମେଲବାହାଲି ବଣ୍ଡେଲ ପଡ଼ାର ଏହି ଘଟଣା ବିକାଶର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ଗାଁର ମିଶ୍ର ମାଝୀଙ୍କ ପତ୍ନୀ କାଞ୍ଚ ମାଝୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡକାଇଥିଲେ ଗ୍ରାମବାସୀ କିନ୍ତୁ ରାସ୍ତା ନଥିବାରୁ ଗାଁଠାରୁ ଏକ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ। ତେବେ ବିଳମ୍ବିତ ରାତିରେ ଝରିବର୍ଷାରେ ୧ କି.ମି କାଦୁଅ ପଚପଚ ରାସ୍ତାରେ ଚାଲିକି ଆସିଲା ପରେ ଆମ୍ବୁଲାନ୍ସ ସେବା ମିଳିଥିଲା।

ପୂର୍ବରୁ ସୀମାନ୍ତ ସଦର ବ୍ଳକ ଯୁଗସାଇପାଟଣା ପଞ୍ଚାୟତର କଡ଼ରୁସୋରୁ ଲାଞ୍ଜିଗଡ଼ ବ୍ଲକର ପାହାଡ଼ପଦର ପଞ୍ଚାୟତ ତଇଁପଦର,ଲାଞ୍ଜି ପଞ୍ଚାୟତ ତୁର୍କା ଗାଁରେ ଗର୍ଭବତୀ ମହିଳା ମାନଙ୍କୁ ଏଭଳି ଭାରରେ ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଅଣାଯାଇଥିଲା। ବାରମ୍ବାର ଉପାନ୍ତ ଦୁର୍ଗମ ଅଞ୍ଚଳରେ ଏଭଳି ଘଟଣା ସାମନାକୁ ଆସୁଥିବାରୁ ଏହି ଅଞ୍ଚଳରେ ଜନନୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ମେଲବାଲି ବଣ୍ଡେଲପଡ଼ାର ମିଶ୍ର ମାଝୀଙ୍କ ସ୍ତ୍ରୀ କାଞ୍ଚ ମାଝୀଙ୍କୁ ବିଳମ୍ବିତ ରାତିରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଡାକ୍ତରଖାନା ନେବାପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା।

ହେଲେ ଗାଁକୁ ଯିବା ୧ କିମି ରାସ୍ତାଟି ଅତି ଶୋଚନୀୟ ହୋଇ କାଦୁଅ ପଚପଚ ଖାଲଖମାରେ ଭର୍ତ୍ତି ମରଣଜନ୍ତା ପାଲଟିଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇନପାରି ଅଧବାଟ ବିଜେପୁର ଠାରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟରେ ଅଟକି ରହିଥିଲା। ତେବେ ଗ୍ରାମବାସୀଙ୍କ ସହାୟତାରେ ୧କିଲୋମିଟର ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀ ମହିଳା ଚାଲି ଚାଲି ଗଲାପରେ ଆମ୍ବୁଲାନ୍ସ ଯୋଗେ ୨୦କିମି କଲ୍ୟାଣସିଂହ ପୁର ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଛି।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫ କି.ମି ଦୂର ହେଉଥିବା ବେଳେ ବ୍ଲକ କାର୍ଯାଳୟ ଠାରୁ ୩୫କି.ମି ଦୂରରେ ଗାଁ ରହିଥିବା ବେଳେ ଏହି ଗାଁକୁ ଆଜି ବି ଭଲ ରାସ୍ତା ଖଣ୍ଡିଏ ନାହିଁ। ଫଳରେ ଏଭଳି ଘଟଣା ବାରାମ୍ବାର ଘଟୁଛି ସ୍ଵାସ୍ଥ୍ୟସେବା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଆଜି ବି ୩୦ ରୁ ଉର୍ଦ୍ଧ୍ବ ଗାଁକୁ ଭଲ ରାସ୍ତା ନଥିବା ଯୋଗୁଁ ନିରୀହ ଆଦିବାସୀ ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି। ଏଣୁ ବ୍ଳକ ଏବଂ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *