ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଖଟିଆରେ ବୁହାହେଲେ ଗର୍ଭବତୀ।

ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର ବିକଳ ଚିତ୍ର। ଖଟିଆରେ ବୁହାହେଲେ ଗର୍ଭବତୀ।
ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ବାସୀଙ୍କୁ ଭୋଗିବାକୁ ପଡିଥାଏ ନାହିଁ ନଥିବା ଦୁର୍ଦ୍ଦଶା। ସ୍ବାସ୍ଥ୍ୟ ସେବା ଭଳି ଜରୁରୀକାଳୀନ ପରିସ୍ଥିତିରେ ସମସ୍ୟା ସାଂଘାତିକ ହୋଇପଡିଥାଏ।ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରେନି ବୋଲି ଜୀବନ ଯନ୍ତ୍ରଣାରେ ଛଟପଟ ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେବା ଭଳି ଅନେକ ଘଟଣା ଘଟିଥାଏ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ବାର୍ଷିକୋଣା ଗାଁରେ।

ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା ମାଝୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ଆସି ଅଧବାଟର ଇନ୍ଦ୍ରାବତୀ କେନାଲ ରାସ୍ତାରେ ଅଟକି ଅପେକ୍ଷା କରିଥିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢିପାରିନଥିଲା।

ଗ୍ରାମବାସୀଙ୍କ ସହଯୋଗରେ ଖଟିଆରେ ବୁହାହୋଇ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।ବର୍ତ୍ତମାନ ଗର୍ଭବତୀ ମହିଳା କଲମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୁଚନା ମିଳିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *