ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”। ନାଗାବଳୀ ନଦୀ ହେଉଛି କଳାହାଣ୍ଡି ଜିଲ୍ଲାର ବଡନଦୀ। ଏହି ନଦୀ ଉପରେ ଆବଶ୍ୟକତା ଅନୁଯାୟୀ ବ୍ରିଜ ହୋଇପାରିନାହିଁ। ସରକାର ଏହାର ସମୀକ୍ଷା କରି ପଛୁଆ ଅଞ୍ଚଳର ଜିଲ୍ଲା କଳାହାଣ୍ଡି ପାଇଁ ଆବଶ୍ୟକ ବ୍ରିଜ ନିର୍ମାଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ନାଗାବଳୀ ନଦୀ ଲୋକଙ୍କ ପାଇଁ ବିପଦ ସାଜିଛି, ଭରା ନଈରେ ଜୀବନ କୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକମାନେ। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଏବଂ ଠିକାଦାରଙ୍କ ସହ ବୁଝାମଣା ଯୋଗୁଁ ବ୍ରିଜ କାମ ଅଧାପନ୍ତରିଆ ହୋଇ ରହିଅଛି।

ରାଜ୍ୟ ଅବା କେନ୍ଦ୍ରସରକାର ନଦୀ ଆର ପାରିରେ ଥିବା ଗାଁ ଗୁଡିକୁ ସଂଯୋଗ କରିବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇ ପୋଲ ନିର୍ମାଣ କରୁଛନ୍ତି l ହେଲେ ଦୁର୍ନୀତି ଖୋର ଯନ୍ତ୍ରୀ ଓ ଠିକାଦାର ମାନଙ୍କ ଅବହେଳା ଯୋଗୁଁ ଏହା କେଉଁଠି ଅଧପନ୍ତରିଆ ଭାବରେ ପଡ଼ି ରହିଛି ତ କେଉଁଠି କାମ ଶୁଭାରମ୍ଭ ନହୋଇ ସରକାର ଙ୍କ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ହୋଇ କେବଳ କାଗଜ କଲମରେ ସୀମିତ ହୋଇ ରହିଛି। ଯାହା ଦ୍ଵାର ନଦୀ ନାଳ ଆର ପାରି ରେ ଥିବା ଗାଁ ଲୋକେ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗିଆସୁଛନ୍ତି। ଲଗାଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଭାଙ୍ଗି ଯିବାରୁ ୪୦ ରୁ ଉର୍ଦ୍ଧ ଗାଁର ପ୍ରାୟ ୫ ହଜାର ପାଖାପାଖି ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି l

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଓ ରାୟଗଡା ସିମାନ୍ତରେ ଥିବା ଦୁର୍ଗମ ସିଲେଟ ଗ୍ରାମପଞ୍ଚାୟତ ରେ। ସ୍ଵାଧୀନତାର ୭୮ ବର୍ଷ ପରେ ବି ଆଜି ସୁଦ୍ଧା ଏହି ପଞ୍ଚାୟତରେ ସରକାର ଙ୍କ ମାଳ ମାଳ ଯୋଜନା ଫେଲ ମାରିଛି। ନେତା , ମନ୍ତ୍ରୀ ଓ ଅଫିସର ଙ୍କ ଗସ୍ତ ସତ୍ବେ ମଧ୍ୟ ଏଠାକାର ଲୋକଙ୍କ ଭାଗ୍ୟ ଓ ଭବିଷ୍ୟତ ବଦଳି ପାରି ନାହିଁ। ପଞ୍ଚାୟତ ର ଅଧିକାଂଶ ଗାଁ କୁ ପକ୍କା ରାସ୍ତା ଖଣ୍ଡିଏ ନାହିଁ। ଯାହାଫଳରେ ଯାତାୟତ କ୍ଷେତ୍ରରେ ପ୍ରମୁଖ ସମସ୍ୟା ଦେଖାଦେଇଛି। ସୁଚନା ମୁତାବକ ମାଳତି ପଦର ଓ କାନ୍ଦୁଲ ଗୁଡା ଗାଁ ମଝିରେ ଥିବା ନାଗାବଳି ନଦୀ ଏବେ ଲୋକଙ୍କ ପାଇଁ ବିପଦ ସାଜିଛି। ୨୦୨୩ ମସିହାରେ ଏଠାରେ ଏକ ଉଚ୍ଚ ତମ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ସରକାର ଙ୍କ ଅନୁଦାନ ଅର୍ଥ ମଞ୍ଜୁର ହୋଇ ଖର୍ଚ୍ଚ ମଧ୍ୟ କରାଯାଉଛି। ହେଲେ ଏହା ୩ ବର୍ଷ ବିତିଗଲାଣି ନିର୍ମାଣ କାର୍ଯ୍ୟ ଶେଷ ନହୋଇ ଅଧପନ୍ତରିଆ ଭାବରେ ପଡ଼ି ରହିବା ତାହା ଦୁର୍ଭାଗ୍ୟର ବିଷୟ। ଲୋକଙ୍କ ଯିବା ଆସିବା ପାଇଁ ଏବେ ବିପଦ ସାଜିଛି ନାଗାବଳୀ ନଦୀ। ବେଳେ ବେଳେ ଲୋକଙ୍କୁ ପରିସ୍ଥିତି ବାଧ୍ୟ କରୁଛି ଯେ ସେମାନେ ଜୀବନ କୁ ବାଜି ଲଗାଇ ଭରା ନଈ ରେ ନଦୀ ପାର ହେଉଛନ୍ତି। ଏଠାରେ ଲୋକଙ୍କ ଧନଜୀବନ କ୍ଷତି ହେଉଛି।

ବର୍ଷା ଦିନେ ନଦୀ ଫୁଲିବା ଯୋଗୁଁ ନଈ ଆରପାରିରେ ଥିବା ଗାଁ ଗୁଡ଼ିକର ଲୋକେ ଜଳବନ୍ଦୀ ଭିତରେ ରହିଥାନ୍ତି। ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ଏମାନଙ୍କ ପାଇଁ ସାତ ସପନ ପାଲଟିଥାଏ । ରୋଗୀ ଅବା ଗର୍ଭବତୀ ମହିଳା ଠିକ୍ ସମୟରେ ମେଡିକାଲ ପହଞ୍ଚି ନପାରି ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ସବୁ ଜାଣି ଶୁଣି ବିଭାଗୀୟ ଅଧିକାରୀମାନେ ନିରବ ଦ୍ରଷ୍ଟା ସାଜିବା ଯୋଗୁଁ ନାଗାବଳୀ ନଦୀ ଠାରେ ନିର୍ମାଣ ହେଉଥିବା ବ୍ରିଜ କାମ ସଂପୂଣ୍ଣ ନହୋଇ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି। ସରକାରଙ୍କ କାମର ନିର୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଥାଏ। ଏହା ପାଳନ ହେଉଛି କି ନାଇଁ ସମୀକ୍ଷାର ଆବଶ୍ୟକତା ଅଛି।

ନାଗାବଳୀ ନଦୀ କୁ ନେଇ ଜିଲ୍ଲାର ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ଏହି ଦୁଇ ଗୋଟି ବ୍ଲକର ଅଧିକାଂଶ ଗାଁ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି । ଯାହାକି ମାଳତି ପଦର, କାନ୍ଦୁଲ ଗୁଡା, ବିଳାମାଲ, ଖୁଟଖାଳ, ପାଜୀଖାଳ, ଝାଂଜି, ବଣ୍ଡେଲ, ଦୂରବେଳଗୁଡା, ମାରଗୁମା, ମୁସପାନ, ସରମାଣ୍ଡି, ଦାଣ୍ଡ ପଦର, ରୁପେନ, ସେମିଖାଲ, ପୁଇଗୁଡ଼ା, ସର୍ଗିଗୁଡା, ଟୁରି ସିମେଲ, ସାଇମାସ୍କ, ବାତେରପଡ଼ ଓ ପୀଡିଶାଲ ଭଳି ଗାଁ ଗୁଡ଼ିକର ଲୋକେ ଦୁର୍ଦ୍ଦାଶା ଭୋଗୁଛନ୍ତି, ସିଲେଟ ପଞ୍ଚାୟତ ବାସୀ ଙ୍କୁ ନାଗାବଳୀ ନଦୀ ବାଧକ ସାଜିଛି। ପିଡିଏସ୍ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଆଣିବା,ଗୋରୁ ଗାଈଙ୍କୁ ନଦୀ ପାର କରିବା, ରୋଗୀ ଏବଂ ଗର୍ଭବତୀ ଓ ପ୍ରସୂତିଙ୍କୁ ଡାକ୍ତରଖାନାକୁ ଖଟିଆରେ ବୋହି ନେବା ଭଳି ଦୃଶ୍ୟ ବର୍ଷ ବର୍ଷ ଧରି ନିତିଦିନିଆ ଘଟଣା l ତେବେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଓ ଯନ୍ତ୍ରୀ ଙ୍କ ଖାମଖିଆଲି ମନଭାବ ଯୋଗୁଁ ୨୦୨୩ ମସିହାରେ ଆରମ୍ଭ କରିଥିଲେ ସୁଦ୍ଧା ଏବେ ଯାଏଁ ବ୍ରିଜ କାମ ସମ୍ପୂର୍ଣ୍ଣ କରି ପାରିନାହାନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି l
ଫଟୋ ନ୍ୟୁଜ ଟାଇମସର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ।
