ପୁରୀ ଠାରେ “ଜାତୀୟ ପଞ୍ଚାୟତିରାଜ ଦିବସ
ସମାରୋହ -୨୦୨୫” ପାଳନ।
ଗ୍ରାମାଞ୍ଚଳର ବିକାଶ ବିନା ରାଜ୍ୟ ଓ ଦେଶର ବିକାଶ ଅସମ୍ଭବ।
ପଞ୍ଚାୟତ ସ୍ତରରୁ ଆସିଥିବା ଜନପ୍ରତିନିଧିମାନେ ତୃଣମୂଳ ସ୍ତରର ସମସ୍ୟାକୁ ହୃଦୟଙ୍ଗମ କରିଥାନ୍ତି।
୬ ଲକ୍ଷ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ, ୨ ଲକ୍ଷରୁ ଉର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି ଏବଂ ୩୧୪ ଟି ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନକୁ ସରକାର ଘୋଷଣା କଲେ। ଯେତେଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ ହୋଇପାରିବ ନାହିଁ ସେତେଦିନ ପର୍ଯ୍ୟନ୍ତ ରାଜ୍ୟ ତଥା ଦେଶର ବିକାଶ ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଠାରେ ଆୟୋଜିତ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଶାସନ ବ୍ୟବସ୍ଥାର ମୂଳ କେନ୍ଦ୍ର ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ୧୯୯୩ ମସିହା ଅପ୍ରିଲ ୨୪ ତାରିଖ ଦିନ ୭୩ତମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇ ପଞ୍ଚାୟତିରାଜ ବ୍ୟବସ୍ଥାର ବୈପବ୍ଳିକ ପରିବର୍ତ୍ତନ ଅଣାଯାଇଥିଲା । ଶାସନ ପ୍ରଶାସନରେ ଜନମତର ପ୍ରାଧାନ୍ୟକୁ ସମ୍ମାନ ଦେବା ପାଇଁ ଆମେ ଏହି ଦିବସଟିକୁ ପାଳନ କରୁଛୁ। ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାରେ ଜନସହଭାଗିତା ବୃଦ୍ଧି ନିମନ୍ତେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିକୁ ଭାରତ ସରକାର ଅଗ୍ରାଧିକାର ଦେଉଛନ୍ତି। ଗତ ୩ ବର୍ଷ ଧରି ଆମ ରାଜ୍ୟର ଅନେକ ଗ୍ରାମ ପଞ୍ଚାୟତ ସର୍ବ ଭାରତୀୟ ସ୍ତରରେ ପ୍ରଶଂସିତ ହୋଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।ଆଜି ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି । ଓଡ଼ିଶା ମାଟି ନାରୀମାନଙ୍କ ସାମଗ୍ରିକ ବିକାଶର ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରକୃତ ପ୍ରୟୋଗଶାଳା ଅଟେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗତ ପ୍ରାୟ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ବ୍ୟବସ୍ଥା ଅନେକ ଜାତୀୟ ସ୍ତରୀୟ ଓ ରାଜ୍ୟ ସ୍ତରୀୟ ନେତୃତ୍ୱକୁ ଜନ୍ମ ଦେଇଛି । ଉଦାହରଣ ସ୍ୱରୂପ ସେ ନିଜେ ମଧ୍ୟ ୧୯୯୭ ମସିହାର ପଞ୍ଚାୟତ ପ୍ରତିନିଧି ଭାବେ ଜନସେବାରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। ପଞ୍ଚାୟତ ସ୍ତରରୁ ପ୍ରିତିନିଧି ଭାବେ ଆସିଥିବା ଜନପ୍ରତିନିଧିମାନେ ତୃଣମୂଳ ସ୍ତରର ସମସ୍ୟାକୁ ହୃଦୟଙ୍ଗମ କରିଥାନ୍ତି । ଆମ ସରକାର ବ୍ୟବସ୍ଥା କରିଛନ୍ତି ଗ୍ରାମସଭା ଓ ପଲ୍ଲୀସଭାରେ ଗ୍ରାମବାସୀ ହିଁ ନିଷ୍ପତ୍ତି ନେବେ ଗାଁର ଉନ୍ନତି ପାଇଁ। ଆମ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ବିଜୁଳି, ସଡକ, ପାଣି ପରି ଭିତ୍ତିଭୂମି ହେଉଛି ଗ୍ରାମାଞ୍ଚଳର ସବୁଠୁ ବଡ ପ୍ରାଥମିକତା । ଏହି ସବୁ ଭିତ୍ତିଭୂମି ନିର୍ମାଣକୁ ଆମେ ଗୁରୁତ୍ୱ ଦେଉଛୁ । ଏଥିପାଇଁ ଆମେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ପରିକଳ୍ପନା କରିଛୁ । ୨୦୨୬ ସୁଦ୍ଧା ସବୁ ଗ୍ରାମକୁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଆମେ ପଦକ୍ଷେପ ନେଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକର ୮ଜଣ ରାସନ କାର୍ଡ ହିତାଧିକାରୀ ଓ ୫ଜଣ ସୁଭଦ୍ରା ହିତାଧିକାରୀଙ୍କୁ ରାସନ କାର୍ଡ ଓ ସହାୟତା ରାଶି ପ୍ରଦାନ କରିଥିଲେ । ପୋଷଣ ଅଭିଯାନରେ ଶ୍ରେଷ୍ଠ ପୃଷ୍ଟି ପଞ୍ଚାୟତ ଭାବେ ନିମାପଡ଼ା ବ୍ଲକ ଅନ୍ତର୍ଗତ ସାଇଁଶ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଶକ୍ତି ବିଭାଗ ମାଧ୍ୟମରେ ୨୦୨୬-୨୭ ସୁଦ୍ଧା ୩ ଲକ୍ଷ ଘରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ପଦକ୍ଷେପ ଆରମ୍ଭ କରିଛୁ। କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ରିହାତି ଦେଇଛନ୍ତି । ପୋର୍ଟାଲ ମାଧ୍ୟମରେ ଯଥା ଶୀଘ୍ର ଆବେଦନ କରିବା ପାଇଁ ସେ ଅନୁରୋଧ କରିଥିଲେ।
ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଲା ପରେ ଗାଁରେ ବିକାଶର ସୁଅ ଛୁଟିଛି । ସୁଭଦ୍ରା ଗ୍ରାମାଞ୍ଚଳ ମହିଳାଙ୍କ ସ୍ଥିତିରେ ଆଜି ପରିବର୍ତ୍ତନ ଆଣିଛି । ଗାଁର ଚିତ୍ରକୁ ନୂଆ ରୂପରେ ଆଙ୍କିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ଗାଁର ବିକାଶ ପାଇଁ ରାଜନୀତିରୁ ଉର୍ଦ୍ଧ୍ୱକୁ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ, ଗ୍ରାମାଞ୍ଚଳର ମୌଳିକ ସମସ୍ୟାକୁ ଦୂର କରିବା ପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଗାଁର ବିକାଶ ହେଲେ ଆମ ଦେଶର ବିକାଶ ହେବ
କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।
ବ୍ୟୁରୋ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ