ଲକ୍ଷ ଲକ୍ଷଟଙ୍କା ଠକେଇ ମାମଲାରେ ପୋଷ୍ଟ ମାଷ୍ଟର ଗିରଫ।
କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ବୁଧବାର ପୋଲିସ ହାବୁଡ଼ରେ ପଡ଼ି କୋର୍ଟ ଚାଲାଣ ହୋଇଛି। ପୋଲିସ ସୂଚନା ଅନୁସାରେ ଉକ୍ତ ପୋଷ୍ଟ ଅଫିସରେ ୨୦୨୧ ମସିହା ଠାରୁ ଅଭିଯୁକ୍ତ ରମେଶ ବିପିଏମ ଭାବେ କାର୍ଯ୍ୟରତ ଥିଲେ। ହେଲେ ସେ ବାଲିଗୁଡ଼ା ଭଗାମୁଣ୍ଡା ଠାରେ ରହି ସାଇନ୍ ପଡା କାର୍ଯ୍ୟ ସ୍ଥଳକୁ ଯିବା ଆସିବା କରୁଥିଲେ। ଅଭିଯୋଗ ପ୍ରକାରେ ଗ୍ରାମାଞ୍ଚଳର ଲୋକଙ୍କ ବିଶ୍ବାସ ଭାଜନ ହେବା ପରେ ସୁକନ୍ୟା ଯୋଜନା, ଆରଡ଼ି ସହ ବିଭିନ୍ନ ଯୋଜନାରେ ପୋଷ୍ଟ ଅଫିସରେ ବାନ୍ଧିବା ପାଇଁ ଟଙ୍କା ଆଦାୟ କରି ଆତ୍ମସାତ କରି ଥିବା ଜଣା ପଡିଛି।

ଚୋର ଘର ସବୁବେଳେ ଅନ୍ଧାର ନଥାଏ ଭଳି ଲୋକେ ଠକେଇର ଶିକାର ହୋଇ ଥିବା ପ୍ରଘଟ ପରେ ଅଭିଯୁକ୍ତ ପୋଷ୍ଟ ମାଷ୍ଟର ଛୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ଗତ ସେପ୍ଟେମ୍ବର ୩୦ ତାରିଖରେ ସାଇନ୍ ପଡାର କଳ୍ପନା ମଲ୍ଲିକ, ରୁକ୍ମିଣୀ ବେହେରା, ପ୍ରାଣକୃଷ୍ଣ ମହାପାତ୍ର କ.ନୂଆଗାଁ ଥାନାର ଦ୍ବାରସ୍ଥ ହୋଇଥିଲେ।ଏହା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖି ମଙ୍ଗଳ ବାର ଦିନ ବ୍ରହ୍ମପୁରର ପାର୍କ ସାହିରୁ ଅଭିଯୁକ୍ତ ରମେଶ ସାହୁ (୩୨) କୁ ଗିରଫ କରି ଥାନା କେସ ନଂ ୧୪୮/୨୫ରେ ଏକ ମକଦ୍ଦମା ଋଜୁ କରି ୪୦୬/୪୨୦ ଧାରାରେ ବୁଧବାର କୋର୍ଟକୁ ପଠାଇ ଥୂବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି। ହେଲେ ଗରିବ ଲୋକଙ୍କ ଟଙ୍କା କିପରି ଫେରସ୍ତ ପାଇବେ ସେ ନେଇ ଗ୍ରାହକ ମାନେ ଚିନ୍ତିତ ଥୂବା ବେଳେ ସରକାର କିଛି ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।

ପ୍ରକାଶ ଥାଉକି ପୋଷ୍ଟ ମାଷ୍ଟର ଜେଲ ଯିବା ଏକ ନାୟିକ ବ୍ୟବସ୍ଥା। କିନ୍ତୁ ଏହାଦ୍ୱାରା ପୋଷ୍ଟ ଅଫିସ ଗୁଡିକରେ ସରକାରଙ୍କ ତରଫରୁ କରାଯାଉଥିବା ବ୍ୟାଙ୍କ ସେବା ପ୍ରଭାବିତ ହେବା ସହିତ ବଦନାମ ମଧ୍ୟ ହେଉଅଛି। ସରକାର ତୁରନ୍ତ ପଦକ୍ଷେପ ନେଇ ଜନସାଧାରଣଙ୍କ ଟଙ୍କାକୁ ସୁରକ୍ଷିତ କରିବାର ଆବଶ୍ୟକତା ଅଛି।

ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।
