ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ମା’ ତାରିଣୀଙ୍କ ଅଣାନବେତମ ଚଇତି ପର୍ବର ପ୍ରଥମ ପ୍ରସ୍ତୁତି ବୈଠକ ବାତିଲ

ପ୍ରଶାସନିକ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ମା’ ତାରିଣୀଙ୍କ ଅଣାନବେତମ ଚଇତି ପର୍ବର ପ୍ରଥମ ପ୍ରସ୍ତୁତି ବୈଠକ ବାତିଲ ହୋଇଛି।
ଘଟଗାଁରୁ ମନୋଜ ପାତ୍ରଙ୍କ ରିପୋର୍ଟ।
କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ମୁଖ୍ୟପର୍ବ ଚଇତିପର୍ବ। ତେବେ ଚଳିତ ବର୍ଷ ମା ତାରିଣୀଙ୍କ ଅଣାନବେତମ ଚଇତି ପର୍ବ ପାଳନ ହେବାକୁ ଯାଉଛି। ଏହି ଚଇତିପର୍ବ ପାଳନ ପାଇଁ ମନ୍ଦିର ପ୍ରଶାସନ, ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରତିବର୍ଷ ବେଶ ଆଡ଼ମ୍ବରରେ ପାଳିତ ହୋଇଥାଏ। ଏହା ମାଙ୍କ ମୁଖ୍ୟପର୍ବ ହୋଇଥିବାରୁ ପର୍ବ ପାଳନ ପୂର୍ବରୁ ପ୍ରତ୍ୟେକ ବର୍ଷ ମନ୍ଦିର ପ୍ରଶାସନ, ସ୍ଥାନୀୟ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥାଏ। ଚଇତିପର୍ବରେ ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମ ହୋଇଥାଏ। ଏହିପର୍ବର ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବୈଠକରେ ଆଲୋଚନା ହେବା ସହ ବିଭିନ୍ନ ମତାମତ ମଧ୍ୟ ନିଆଯାଇଥାଏ ।
ପ୍ରସ୍ତୁତି ବୈଠକ ପୂର୍ବରୁ ସମସ୍ତଙ୍କୁ ଚିଠି ଯୋଗେ ଅବଗତ କରାଯାଇଥାଏ । ମାତାରିଣୀଙ୍କ ଚଇତିପର୍ବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଦିନ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଥିଲା,ହେଲେ ଦୀର୍ଘ ସମୟ ଧରି କୌଣସି ପ୍ରଶାସନିକ ଅଧିକାରୀ ନଆସିବାରୁ ବାଧ୍ୟ ହୋଇ ଏହି ବୈଠକକୁ ବାତିଲ କରାଯାଇଥିଲା । ଘଟଗାଁ ମା’ତାରିଣୀଙ୍କ ଏହି ମୁଖ୍ୟ ପର୍ବର ପ୍ରସ୍ତୁତି ବୈଠକକୁ ପ୍ରଶାସନର ଅଣଦେଖା ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ବୁଦ୍ଧିଜୀବି ମାନେ ଏହାକୁ ନିନ୍ଦା କରିଛନ୍ତି।
ଆମ କ୍ୟାମେରା ଟିମ୍ ସମ୍ମୁଖରେ ସ୍ଥାନୀୟ ବାସିନ୍ଦା ଜଗବନ୍ଧୁ ସା, ସାମ୍ବାଦିକ ପ୍ରଦୀପ ସା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ଏବଂ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ଜେନା ନିଜ ନିଜର ମତ ଓ ମନ୍ତବ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *