ଫୁଲବାଣୀରେ ଘରଭଙ୍ଗାକୁ ବିରୋଧ

 

ଫୁଲବାଣୀରେ ଘରଭଙ୍ଗା ବିରୋଧରେ ବିଜେଡିର ବିଶାଳ ଶୋଭାଯାତ୍ରା।
କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ମୁନିସିପାଲିଟି ଅଞ୍ଚଳରେ ଘରଭଙ୍ଗା ପାଇଁ ସରକାରଙ୍କ ପଦକ୍ଷେପକୁ ତୀବ୍ର ବିରୋଧ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆଜି ଫୁଲବାଣୀ ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ଖଣି ଓ ଇସ୍ପାତ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ବହୁ ସଂଖ୍ୟକ ବିଜେଡି କର୍ମୀ ଓ ସମର୍ଥକ ମାଦିକୁନ୍ଦା ଛକରୁ ଶୋଭାଯାତ୍ରା ଆରମ୍ଭ କରି ସିଧାସଳଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଅଗ୍ରସର ହୋଇଥିଲେ।


ଶୋଭାଯାତ୍ରା ସମୟରେ ଶ୍ରୀ ବେହେରା କହିଥିଲେ ଯେ, ବିଜେଡି ସରକାର ଥିବା ସମୟରେ ‘ଜାଗା ମିଶନ’ ଓ ‘ଉଷା ସର୍ଭେ’ ମାଧ୍ୟମରେ ଗରିବ ଲୋକଙ୍କୁ ସ୍ଥାୟୀ ଥୟଥାନ ପ୍ରଦାନ କରାଯାଇଥିଲା। ବସ୍ତି ଉନ୍ନତିକରଣ ପାଇଁ ବସ୍ତିବାସିନ୍ଦାଙ୍କ ନାମରେ ପରିଚୟ ପତ୍ର, ପିଲାମାନଙ୍କ ପାଇଁ ଚିଲଡ୍ରେନ୍ ପାର୍କ, ପକ୍କା ରାସ୍ତା, ପରିଚୟ ଗୃହ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସରକାର ଘରଭଙ୍ଗା ନୋଟିସ ଜାରି କରି ଜନବିରୋଧୀ ମନୋଭାବର ସ୍ପଷ୍ଟ ପ୍ରମାଣ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।
ଏହାପରେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ସରକାରଙ୍କ ଘରଭଙ୍ଗା ନୀତିକୁ ଦୃଢ଼ ଭାବେ ନିନ୍ଦା କରିଥିଲେ। ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା ଚେତାବନୀ ଦେଇ କହିଥିଲେ ଯେ, ଯଦି ସରକାର ଏହି ଘରଭଙ୍ଗା କାର୍ଯ୍ୟକ୍ରମରୁ ପଛକୁ ନ ହଟନ୍ତି, ତେବେ ଆଗାମୀ ଦିନରେ ଜନଆନ୍ଦୋଳନ ଆହୁରି ତୀବ୍ର ହେବ।
ଏହି ଅବସରରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇ, ଘରଭଙ୍ଗା ନୀତି ଉପରେ ପୁନଃବିଚାର କରିବାକୁ ଦାବି ଜଣାଯାଇଛି।
ଆଜିର ଶୋଭାଯାତ୍ରାରେ ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ—କମଳାକାନ୍ତ ପାଣ୍ଡେ, କୈଳାସ ମୁଖି, ରାଧାମୋହନ ମହାପାତ୍ର, ବିମଳ ପାଢ଼ୀ, ସୁଧୀର କହଁର, ଶିବ ତ୍ରିପାଠୀ, ପୌରାଧ୍ୟକ୍ଷା ପାୟଲ ବେହେରା, ପୁନମ କହଁର, ବିକ୍ରମ ବେହେରା, ବୀରେନ୍ଦ୍ର କହଁର ପ୍ରମୁଖ ଯୋଗଦେଇଥିଲେ।
କନ୍ଧମାଳ ଜିଲ୍ଲାରୁ ଶିବାଜୀ ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *