ବଢୁନି ଝୋଟର ସହାୟକ ମୂଲ୍ୟ ଝୋଟ ଚାଷରୁ ବିମୁଖ ହେଉଛନ୍ତି ଚାଷୀ

ଓଡିଶାରେ ଟିଡି-୩ ଓ ଟିଡି-୪ କିସମର ଭଳି ଉନ୍ନତମାନର ଝୋଟ ଅଧିକ ଉତ୍ପାଦନ ହେଉଛି । କିନ୍ତୁ ଝୋଟର ସହାୟକ ମୂଲ୍ୟ ବୃଦ୍ଧି ପାଉ ନଥିବାରୁ ଝୋଟ ଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି ବୋଲି କହିଛନ୍ତି ଓଡିଶା ଝୋଟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ସାରିକା ଜେନା କହିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗରେ ଝୋଟ ବିକ୍ରି କରିବା ପାଇଁ ଯେଭଳି ବଜାର ସୁବିଧା ରହିଛି ସେପରି ସୁବିଧା ଓଡିଶାରେ ନାହିଁ । ତେଣୁ ପଶ୍ଚିମ ବଙ୍ଗରେ ଝୋଟ ଚାଷ କରିବା ପାଇଁ ଚାଷୀମାନେ ଯେପରି ଆଗ୍ରହ ପ୍ରକାଶ କରୁଛନ୍ତି ଓଡିଶାରେ ଚାଷୀମାନେ ସେପରି ଆଗ୍ରହ ପ୍ରକାଶ କରୁ ନାହାଁନ୍ତି । ରାଜ୍ୟରେ ଝୋଟ ଚାଷରେ ଉନ୍ନତି ଆଣିବା ପାଇଁ ୧୯୭୩ ମସିହାରେ କେନ୍ଦ୍ରାପଡ଼ାରେ ଝୋଟ ଗବେଷଣା କେନ୍ଦ୍ର ଖୋଲା ଯାଇଥିଲା ।

ସେହି ସମୟରେ ଓଡିଶାରେ ଯେତିକି ପରିମାଣର ଝୋଟ ଚାଷ ହେଉଥିଲା ଏବେ ତାହା ୫୦ ପ୍ରତିଶତ ହ୍ରାସ ପାଇଛି । ଏହାର ପ୍ରମୁଖ କାରଣ ହେଉଛି ବଜାରରେ ପ୍ଲାଷ୍ଟିକ ବ୍ୟାଗ ପ୍ରବେଶ କରିବା । ପୂର୍ବରୁ ଝୋଟ ବ୍ୟାଗରେ ବିଭିନ୍ନ ପ୍ରକାରର ଜିନିଷପତ୍ର ଆସୁଥିଲା । ହେଲେ କାଳକ୍ରମେ ତାହାର ସ୍ଥାନ ନେଲା ପ୍ଲାଷ୍ଟିକ ବ୍ୟାଗ । ହେଲେ ପରବର୍ତ୍ତୀ ସମୟରେ ଜଣାପଡିଲା ଯେ ପ୍ଲାଷ୍ଟିକ ବ୍ୟାଗ ପରିବେଶ ପାଇଁ କ୍ଷତି କାରକ । ତେଣୁ ଝୋଟ ବ୍ୟାଗ ବ୍ୟବହାର କରିବା ପାଇଁ ବୈଜ୍ଞାନିକମାନେ ସରକାରଙ୍କୁ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବ ଅନୁଯାୟୀ ସରକାର ପଲିଥିନ ନିଷିଧ କରିବା ପାଇଁ ପଦକ୍ଷେପ ଗ୍ରହଣ କଲେ । ହେଲେ ପଲିଥିନ ସମ୍ପୂର୍ଣ୍ଣ ଭାବେ ନିଷିଧ ହୋଇ ପାରୁନାହିଁ । ଯାହା ଫଳରେ ଝୋଟର ଚାହିଦା ବୃଦ୍ଧି ପାଉନାହିଁ । ଝୋଟର ଚାହିଦା ବୃଦ୍ଧି ପାଉ ନଥିବାରୁ ଝୋଟ ଚାଷ କରିବା ପାଇଁ ଓଡିଶାର ଚାଷୀମାନେ ଆଗ୍ରହ ପ୍ରକାଶ କରୁନାହାଁନ୍ତି ବୋଲି ଝୋଟ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ କହିଛନ୍ତି । ଝୋଟ ଗବେଷଣା କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଓଡିଶାର ଯାଜପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ପ୍ରମୁଖ ଜିଲାରେ ଝୋଟ ଚାଷ କରାଯାଉଛି ।

କିନ୍ତୁ କେନ୍ଦୁଝରରେ ସବୁଠୁ ଅଧିକ ଉନ୍ନତମାନର ଝୋଟ ଉତ୍ପାଦନ କରାଯାଉଛି । ଏହି ଜିଲାରେ ହେକ୍ଟର ପିଛା ୨୨୨୭ କିଲୋ ଝୋଟ ଉତ୍ପାଦନ ହେଉଛି । ଏହା ପରକୁ ରହିଛି କେନ୍ଦ୍ରାପଡ଼ା ଜିଲା । ଏହି ଜିଲାରେ ହେକ୍ଟର ପିଛା ୧୮୪୦ କିଲୋ, ଭଦ୍ରକ ଜିଲାରେ ହେକ୍ଟର ପିଛା ୧୭୦୧ କିଲୋ, ଯାଜପୁର ଜିଲାରେ ହେକ୍ଟର ପିଛା ୧୭୦୦ କିଲୋ, ବାଲେଶ୍ୱର ଜିଲାରେ ହେକ୍ଟର ପିଛା ୧୪୧୬ କିଲୋ ଝୋଟ ଉତ୍ପାଦନ କରାଯାଉଛି । ଝୋଟ ଗବେଷଣା କେନ୍ଦ୍ରର ଜଣେ ବୈଜ୍ଞାନିକଙ୍କ କହିବାନୁଯାୟୀ ୨୦୨୪-୨୫ ବର୍ଷରେ ଡିଶାରେ ଉତ୍ପାଦିତ ହେଉଥିବା ଝୋଟର ସହାୟକ ମୂଲ୍ୟ ରହିଛି ୫୩୩୫ । ଝୋଟର ସହାୟକ ମୂଲ୍ୟ ବୃଦ୍ଧି ପାଇବା ଆବଶ୍ୟକ । ସହାୟକ ମୂଲ୍ୟ ବୃଦ୍ଧି ପାଇଲେ ଚାଷୀମାନେ ଝୋଟ ଚାଷ ପ୍ରତି ଅଧିକ ଆଗ୍ରହୀ ହେବେ । ସେହିପରି ଯୁବକ ଯୁବତୀମାନେ ମଧ୍ୟ ଝୋଟ ଚାଷ କରିବା ପାଇଁ ଆଗେଇ ଆସିବେ । କିନ୍ତୁ ଏବେ ଝୋଟ ଚାଷ କରିବା ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଏହାର କାରଣ ହେଉଛି ଏହାର ସହାୟକ ମୂଲ୍ୟ ବହୁତ କମ ରହିଛି । ସେହିପରି ଚାଷ କାର୍ଯ୍ୟ କରିବା ପାଇଁ ଶ୍ରମିକ ମିଳୁ ନାହାଁନ୍ତି । ଏହାସହ ଉନ୍ନତମାନର ମଞ୍ଜି ମଧ୍ୟ ମିଳୁନାହିଁ । ସେହିପରି ଯେଉଁ ଚାଷୀମାନେ ଝୋଟ ଚାଷ କରୁଛନ୍ତି ସେମାନେ ଝୋଟକୁ କେଉଁଠାରେ ରଖିବେ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ଉତ୍ପାଦନ ପରେ ଝୋଟକୁ ସଠିକ ସ୍ଥାନରେ ରଖା ନ ଗଲେ ଏହାର ମାନ ଖରାପ ହୋଇଯିବ । ଝୋଟ ଚାଷ ପ୍ରତି ଚାଷୀ ବିମୁଖ ହେବାର ଏହା ଆଉ ଏକ କାରଣ ବୋଲି ବୈଜ୍ଞାନିକ ଜଣକ କହିଛନ୍ତି । ଝୋଟ ଏକ ଅର୍ଥକାରୀ ଫସଲ ବର୍ଗରେ ଯାଉଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଏହାକୁ ଚାଷ କରିବା ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ସେହିପରି ସଠିକ ପରିମାଣର ବର୍ଷା ହେଉ ନଥିବାରୁ ଝୋଟ ଚାଷ ପ୍ରଭାବିତ ହେଉଛି । କାରଣ ଚାଷୀମାନେ ନଳିତା ଗଛକୁ ପୋଖରୀରେ ବୁଡାଇ ରଖିଲେ ହିଁ ସେଥିରୁ ଝୋଟ ଉତ୍ପାଦନ ହୋଇଥାଏ । ହେଲେ ସଠିକ ପରିମାଣର ବର୍ଷା ହେଉ ନଥିବାରୁ ଝୋଟ ଉତ୍ପାଦନ ହ୍ରାସ ପାଉଛି ବୋଲି ସେ କହିଛନ୍ତି ।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *