ବର୍ଷାରେ ଭୁସୁଡ଼ିଲା ଶ୍ରେଣୀଗୃହ

ଲଗାଣ ବର୍ଷାରେ ଭୁଷୁଡ଼ିଲା ଶ୍ରେଣୀ ଗୃହ। ବିପଦ ସଂକୁଳ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଥିଲେ ଦେଶର ଭବିଷ୍ୟତ। ସରକାରଙ୍କର ମାଳମାଳ ଯୋଜନା। କିନ୍ତୁ ବାଲିଗୁଡା ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଅପହଞ୍ଚ ସରକାରଙ୍କ ଯୋଜନା। ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”। ସେ ଯାହାବି ହେଉ ଅଳ୍ପକେ ବର୍ତିଲେ ନିରୀହ ଛାତ୍ରଛାତ୍ରୀ ମାନେ।
ଲଗାଣ ବର୍ଷାରେ ଭୁଷୁଡ଼ିଲା ସ୍କୁଲ୍ ଶ୍ରେଣୀ ଗୃହ । ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ ।

ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କଲେନି ବିଭାଗୀୟ ଅଧିକାରୀ ଓ ପ୍ରଶାସନ । ଭଙ୍ଗା ଘରେ ପାଠ ପଢ଼ାଇବାକୁ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଅଭିଭାବକଙ୍କର ଭରଷା ପାଉନି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଛନ୍ତି ୭୭ ଜଣ ଛାତ୍ରଛାତ୍ରୀ ‌। ବିଦ୍ୟାଳୟରେ ସ୍ବଳ୍ପ ସଂଖ୍ୟକ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ । କିନ୍ତୁ ଲଗାଣ ବର୍ଷାରେ ଗୋଟିଏ ସ୍ଥାନରେ ଥିବା ତିନୋଟି ଶ୍ରେଣୀ ଗୃହର ଛାତ ଭୁଷୁଡ଼ି ପଡ଼ିଛି । ଫଳରେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । ବର୍ଷାରେ ଶ୍ରେଣୀଗୃହ ଭୁଶୁଡ଼ିବା ପରେ ଏବେ ପୁରୁଣା ଅତିରିକ୍ତ ଶ୍ରେଣୀ ଗୃହରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ବିଦ୍ୟାଳୟର ୭୭ ଜଣ ଛାତ୍ରଛାତ୍ରୀ ।

ଶ୍ରେଣୀ ଗୃହରେ କେଉଁଠି ଆଜବେଷ୍ଟସ କଣା ହୋଇ ପାଣି ଗଳୁଛି ତ କେଉଁଠି ଆଜବେଷ୍ଟସକୁ ଲାଖି ରହିଥିବା କାଠ ଭାଙ୍ଗି ଓହଳି ରହିଛି । କେତେକ ସ୍ଥାନରେ ଶ୍ରେଣୀ ଗୃହର କାନ୍ଥ ଫାଟି ଆଁ କରିଥିବା ବେଳେ ଅନେକ ସ୍ଥାନରେ ପଲସ୍ତରା ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି । ଏବେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ମଧ୍ୟ ଅସୁରକ୍ଷିତ ମଣୁଛନ୍ତି ଅଭିଭାବକ । ସେପଟେ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟର ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଧାରିଲେ ଆମେ ନିର୍ଭୟରେ ସୁରକ୍ଷିତ ଭାବେ ପାଠ ପଢ଼ିପାରିବୁ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି କୋମଳମତି ଛାତ୍ରଛାତ୍ରୀ । ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସହ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ ଫଳ ଶୂନ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗୁରୁତ୍ବ ଦେଇ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଛନ୍ତିି ଗ୍ରାମବାସୀ । ଅନ୍ୟପଟେ ବର୍ତ୍ତମାନ ବିଦ୍ୟାଳୟ ଶ୍ରେଣୀ ଗୃହର ଅବସ୍ଥାକୁ ଦେଖି ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି । ତଥାପି ଭଗବାନ ଭରସାରେ ବିପଦ ସଂକୁଳ ଅବସ୍ଥାରେ ଯେନତେନ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ଅନ୍ୟପଟେ ବିଦ୍ୟାଳୟର ଶ୍ରେଣୀଗୃହ ବର୍ଷାରେ ଭୁଷୁଡ଼ିଛି, ଏନେଇ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବି ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ । ସେପଟେ ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। କିନ୍ତୁ,ଯଦି ଶିକ୍ଷାଦାନ ଅବସ୍ଥାରେ ଏଭଳି ଘଟଣା ଘଟିଥାନ୍ତା ତେବେ ଅବସ୍ଥା କ’ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଏ ସମ୍ପର୍କ ରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ପଚାରିବାରୁ ସେ ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।
ବାଲିଗୁଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *