୭ମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଶିଶୁ ସାହିତ୍ୟ, ପୁରସ୍କାର ପ୍ରାପ୍ତ ଉପନ୍ୟାସ ଓ ଗବେଷଣାତ୍ମକ ପୁସ୍ତକର ଚାହିଦା ବଢୁଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଦିବା ୨ ଘଟିକାରୁ ରାତ୍ର ୯ ଘଟିକା ଏବଂ ଶନିବାର ଓ ରବିବାର ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଆୟୋଜିତ ହେଉଛି ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି। ପୁସ୍ତକ ମହୋତ୍ସବର ଟ୍ୟାଗଲାଇନ୍ ରହିଛି “ପୃଷ୍ଠା ଖୋଲନ୍ତୁ, ସ୍ବପ୍ନକୁ ଜାଗ୍ରତ କରନ୍ତୁ”।

ଓଡ଼ିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ସହଜରେ ଉର୍ଦ୍ଦୁ ବର୍ଣ୍ଣମାଳା ଶିଖିବା ନିମନ୍ତେ “ଆସାନ୍ ଉର୍ଦ୍ଦୁ ତାଲିମ୍” ପୁସ୍ତକ ମଧ୍ୟ ବିକ୍ରି ହେଉଛି।

ଏଥିସହ ପୁସ୍ତକ ମହୋତ୍ସବର ମୁଖ୍ୟ ମଞ୍ଚ କବି ରମାକାନ୍ତ ରଥ ମଞ୍ଚରେ ଆଜି ଭାଷା ଆନ୍ଦୋଳନ, ଓଡ଼ିଶା ଓ ଆଭାସ ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ସାହିତ୍ୟ ଆଲୋଚନା ଚକ୍ର ଓ ବ୍ୟଙ୍ଗ କବିତା ଆସର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଡ଼. ଅସୀମା ସାହୁ ଓ ବିନ୍ଦୁ ନିବେଦିତାଙ୍କ ରଚିତ ପୁସ୍ତକ “ବିନ୍ଦୁସୀମା” ଉନ୍ମୋଚିତ ହୋଇଥିଲା। ପବିତ୍ର ମହାରଥାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଜାନକୀଶ ବଡ଼ପଣ୍ଡା, ସତ୍ୟବ୍ରତ ପଣ୍ଡା, ନାଟ୍ୟକାର ବିଜୟ ଦାସ, ଶ୍ରୀ ସତ୍ୟାନାଶ, ଶ୍ରୁତକୀର୍ତ୍ତି ତ୍ରିପାଠୀ, ଶାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
