ପୁରୀର ୩ ରଥରେ ଲାଗିବ ଖୋର୍ଦ୍ଧାର ଶୋଲଫୁଲ।
ଆଉ ମାତ୍ର ଦିନ କେଇଟା ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୨୨ବର୍ଷ ଧରି ଶୋଲଫୁଲ ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜ କିଶୋରଙ୍କ ପରିବାର । ସେଥିପାଇଁ ପରିବାରର ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ଏବେ ଫୁଲ ତିଆରିରେ । ଅକ୍ଷୟ ତୃତୀୟ ଠାରୁ ରଥକାମ ଆରମ୍ଭ ହେବା ପରଠାରୁ ଏହି ପରିବାରର ପ୍ରତ୍ୟେକ ମଣିଷ ନିଷ୍ଠାର ସହ ଲାଗି ପଡ଼ନ୍ତି ଶୋଲଫୁଲ କାମରେ । ଆଉ ନେତ୍ରୋତ୍ସବ ଦିନ ନିଜେ ମନ୍ଦିର ପ୍ରଶାସନ ପାଖରେ ପହଂଚି, ଅନୁମତି ପାଇବା ପରେ ୩ରଥରେ ଶୋଲଫୁଲ ଖଂଜିଥାନ୍ତି ।
ରାଜକିଶୋରଙ୍କ ଘରେ ଏବେ ଗଦା ହୋଇଛି ଭଳିକି ଭଳି ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ । ସତେ ଯେମିତି କିଏ ସଦ୍ୟ ଗଛରୁ ତୋଳି ଏକାଠି ଗଦା କରାଯାଇଛି ଏହି ଫୁଲକୁ ଗୁଡ଼ିକୁ । ଏସବୁ ଫୁଲକୁ ତିଆରି କରିବାରେ ଲାଗିପଡିଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର । ସମସ୍ତଙ୍କ ମନରେ ଉତ୍କଣ୍ଠା। କେତେବେଳେ ଆସିବ ନେତ୍ରୋତ୍ସବ ଆଉ ସେମାନଙ୍କ ହାତ ତିଆରି ସୋଲଫୁଲ ଲାଗି ହେବ ମହାପ୍ରଭୁଙ୍କ ରଥରେ । ୨୦୦୪ମସିହାରେ ନିଜ ହାତ ତିଆରି ସୋଲଫୁଲ ରଥରେ ଖଞ୍ଜିବାକୁ ମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲେ । ଆଉ ମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତି ବର୍ଷ ତିନି ରଥ ପାଇଁ ନିରବଛିନ୍ନ ସୋଲ ଫୁଲ ଯୋଗାଇ ଆସୁଛନ୍ତି ଏହି ପରିବାର । ଅକ୍ଷୟ ତୃତୀୟା ଠାରୁ ପରିବାରର ପିଲାଠୁ ବୃଦ୍ଧ ସମସ୍ତେ ନିଷ୍ଠା ଓ ଭକ୍ତିର ସହ ଫୁଲ ତିଆରିରେ ଲାଗି ପଡିଥାନ୍ତି ।
ଫୁଲ ପ୍ରସ୍ତୁତି ପାଇଁ ସୋଲ ପୁରୀ ନିମାପଡ଼ା, କାକଟପୁର, ଗୋପ ଓ କଣାସ ଆଦି ଅଂଚଳରୁ ସଂଗ୍ରହ କରିଥାନ୍ତି । ସେଗୁଡ଼ିକ ଶୁଖାଇ ଆବଶ୍ୟକ ଅନୁସାରେ କାଟି ସେଥିରୁ ଜୀବନ୍ତ ଭାବେ ଫୁଟାଇଥାନ୍ତି ସୁନ୍ଦର ସୁନ୍ଦର ସେବତୀ, କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ । ପରିବାରର ସଦସ୍ୟମାନେ ନୂଆ ଳୁଗା ପିନ୍ଧି ଅତି ପବିତ୍ର ଓ ନିଷ୍ଠାର ସହ ଏହି କାମ କରିଥାନ୍ତି । କୈାଣସି ରାସାୟନିକ ରଙ୍ଗ ବିନା କେବଳ ଚୁମୁକି ଓ ମୀନା ବ୍ୟବହାର କରି ଫୁଲ ଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି ଏହି କାରିଗରମାନେ। ସକାଳ ହେବା ପରେ ନିଜର ନିତ୍ୟକର୍ମ ସାରି ପରିବାରର ପ୍ରତ୍ୟେକ ସଦସ୍ୟ ଲାଗି ପଡିଥାନ୍ତି ଶୋଲଫୁଲ ତିଆରି କାମରେ। ଜଗତର ନାଥ ଜଗନ୍ନାଥଙ୍କ ସେବାର ସୁଯୋଗ ସମସ୍ତଙ୍କୁ ମିଳିନଥାଏ । ତେବେ ଗୁରୁଜଙ୍ଗର ଏହି ଭୋଇ ପରିବାର ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ବେଶ ଆନନ୍ଦିତ ।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସ ର ସାମ୍ବାଦିକ ମନୋଜ କୁମାର ସାହୁଙ୍କ ରିପୋର୍ଟ ।