ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏ. ବି. ପି ଏମ୍. ଜେ. ଏ.ୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ) ଭାରତ ସରକାରଙ୍କ ଯୋଜନା ସହ ସଂଯୁକ୍ତ ହୋଇ ଆଜି ସାରା ଓଡ଼ିଶାରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ଶୁଭ ଉନ୍ମୋଚନ ହୋଇଅଛି ।ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ସରକାରୀ ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟ, ଆସ୍କାରୋ଼ଡ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ କର କମଳରେ ସ୍ବାସ୍ଥ୍ୟ ଚେତନା ରଥର ଶୁଭ ଉଦ୍ଘାଟନ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲାର ବହୁ ଜନସାଧାରଣ ଓଡ଼ିଶା ବାହାର ରାଜ୍ୟରେ କାମଧନ୍ଦା କରି ଜୀବିକା ନିର୍ବାହ କରୁଛନ୍ତି। ସେମାନଙ୍କ ଚିକିତ୍ସାରେ ଏହି କାର୍ଡ ଦ୍ଵାରା ବହୁତ ଲାଭବାନ ହୋଇ ପାରିବେ ଏଵଂ ଗଞ୍ଜାମ ଜିଲ୍ଲାର ୨୮ଲକ୍ଷ ୯୨ହଜାର ହିତାଧିକାରୀ ଉପକୃତ ହୋଇପାରିବା ସହିତ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପକୃତ ହୋଇପାରିବେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ,ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ,ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଭବାନୀ ପ୍ରସାଦ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l କାମିନୀ ମହାରଣା ୱାର୍ଡ ୧୮, ମୌସୁମୀ ସାହୁ ୱାର୍ଡ ୬, ପ୍ରତୀକ୍ଷା ଦିକ୍ଷିତ୍ ୱାର୍ଡ ୫, ବାସନ୍ତୀ କୁମାରୀ ଚୌଧୁରୀ ୱାର୍ଡ ୬ ହିତାଧିକାରୀଙ୍କୁ ମଞ୍ଚାସିନ ଅତିଥି ବୃନ୍ଦ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରିଥିଲେ l
ଜନ ସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା କାର୍ଡ ଏହି ସମନ୍ବିତ ଯୋଜନାର ଏକକ କାର୍ଡ । ଏହି କାର୍ଡ ମାଧ୍ୟମରେ ସାରା ଭାରତ ବର୍ଷରେ ୨୯୦୦୦ ରୁ ଉର୍ଦ୍ଧ୍ୱ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟ ମାନଙ୍କରେ ମିଳୁଥିବା ଉନ୍ନତମାନର ସ୍ୱାସ୍ଥ୍ୟ ମାଗଣାରେ ପାଇପାରିବେ। ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ, ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଏବଂ ଗଞ୍ଜାମ ଜିଲ୍ଲାରେ ୨୮.୯୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସେମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ।
ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ I ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ପୂର୍ବରୁ କେବଳ ୧୬ ଟି ରାଜ୍ୟରେ ୯୦୦ ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିବା ବେଳେ ବର୍ତ୍ତମାନ୍ ମିଳିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀମାନଙ୍କୁ ସାରା ଦେଶରେ ୨୯,୦୦୦ ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ। ହିତାଧିକାରୀ ମାନେ ହେଲପ୍ ଲାଇନ୍ ନମ୍ବର-୧୪୫୫୫ ବା ଟୋଲ ଫ୍ରି ନମ୍ବର-୧୦୪ କୁ ଫୋନ୍ କରି ଯୋଜନା ବାବଦରେ ଯେକୌଣସି ଅନୁସନ୍ଧାନ କରିପାରିବେ ବା ଅଭିଯୋଗ ରଖିପାରିବେ ।
ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ଓଡିଆ ପକ୍ଷ-୨0୨୫ ଅବସରରେ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବ୍ରହ୍ମପୁର ସ୍ଥିତ ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଗଣ ଚୟନ ହୋଇ ଜିଲ୍ଲା ସ୍ତରୀୟ. କବିତା ଲିଖନ, ଗଳ୍ପ ଲିଖନ ଓ ପ୍ରବନ୍ଧ ଲିଖନରେ ଅଂଶ ଗ୍ରହଣ କରିଥିଲେ । ପରେ ପରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଯୁବ ସମ୍ମିଳନୀ ଉତ୍ସବରେ ଯୁବ ପ୍ରତିଭାଧାରୀ ଲେଖକ ଗଣ କବିତା, ଗଳ୍ପ ଓ ପ୍ରବନ୍ଧ ସମ୍ବନ୍ଧୀୟ. ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡିଆ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଂକର ପାଢୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଓଡିଆ ଭାଷା, ସାହିତ୍ୟର ସୁରକ୍ଷା ଦିଗରେ ଯୁବପୀଢୀଙ୍କର ଆବଶ୍ୟକତା ଓ ସେମାନେ କିଭଳି ଏହି ଦିଗରେ ଅଗ୍ରସର ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ତାହା ଜଣାଇଥିଲେ ।
ଗଞ୍ଜାମ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସ ର ଜିଲ୍ଲା ପ୍ରତିନିଧି ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ