ସରକାର ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବା ଉଦ୍ଧେଶ୍ୟରେ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ମଧ୍ୟାହ୍ନ ଭୋଜନରେ ଅନେକ ଅନିୟମିତତା ଦେଖାଦେଇଥିବା ବେଳେ ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ୫ ଟଙ୍କିଆ ବିସ୍କୁଟରେ ଛାତ୍ରଛାତ୍ରୀ ସନ୍ତୋଷ ହେବାକୁ ପଡୁଛି। ବିଦ୍ୟାର୍ଥୀ ପଚାରିଲେ ଖାଇଲେ ଖାଅ ନଚେତ ପାଟି ଚୁପ କର ବୋଲି ଛାତ୍ରଛାତ୍ରୀଙ୍କୁ ଶୁଣିବାକୁ ମିଳୁଛି । ବିଦ୍ୟାଳୟରେ ଦଣ୍ଡମୁକ୍ତ ହୋଇଥିଲେ ମଧ୍ୟ ଏକ ପ୍ରକାର ମାନସିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ। ଏହା ଏକ ପୁରାତନ ବିଦ୍ୟାଳୟ। ଏଠାରେ ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ସର୍ବମୋଟ ପିଲା ସଂଖ୍ୟା ୩୨୩ ଓ ୧୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି।ଏଠାରେ ଶ୍ରେଣୀ ଗୃହ ଓ ଜାଗା ଅଭାବ ହେତୁ ୨୦୨୪ ନଭେମ୍ବର ୧୬ ରେ ସ୍କୁଲ ଠାରୁ ପ୍ରାୟ ୨ କି.ମି. ଦୂରରେ ନବମ ଓ ଦଶମ ଶ୍ରେଣୀ ପାଇଁ ଏକ ହାଇସ୍କୁଲ ନିର୍ମାଣ କରାଯାଇଛି। ଛାତ୍ରଛାତ୍ରୀ ମାନେ ମଧ୍ୟ ସେଠାରେ ଅଧ୍ୟୟନ କରୁଛନ୍ତି।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସଠିକ ବ୍ୟବସ୍ଥା ହୋଇ ପାରି ନାହିଁ। ସେଠାରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନା ଅଛି ଶୌଚାଳୟ, ନା ଅଛି ରୋଷେଇ ଘର। ବିଦ୍ୟାଳୟରୁ ବାଧ୍ୟ ହୋଇ ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀ ୨ କି. ମି. ରାସ୍ତା ଚାଲି ଚାଲି ଯାଇ ମଧ୍ୟାହ୍ନ ଭୋଜନ ଖାଆନ୍ତି ଓ ପୁଣି ୨ କି.ମି. ଚାଲି ଚାଲି ହାଇସ୍କୁଲ ଫେରନ୍ତି। ଫଳରେ ଛାତ୍ରଛାତ୍ରୀ ଏକ ପ୍ରକାରର ଶାରୀରିକ କ୍ଲାନ୍ତ ଓ ମାନସିକ ବିତୃଷ୍ନା ରେ ପାଠ ପଢୁଛନ୍ତି।
ଏପରି କି ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଦୈନନ୍ଦିନ ପ୍ରାୟତଃ ଚାରି ପାଞ୍ଚ ଜଣ ଶିକ୍ଷକ ଅନୁପସ୍ଥିତ ରହୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଶିକ୍ଷା ଓ ବ୍ୟବସ୍ଥା ଏପରି ଭାବେ ଥିବା ବେଳେ ପ୍ରାୟତଃ ପିଲାମାନଙ୍କୁ ପେଟପୁରା ରନ୍ଧା ଖାଦ୍ୟ ମିଳୁନଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଏମ.ଡ଼ି.ଏମ. ଦାୟିତ୍ୱରେ ଥିବା ପରିଚାଳନା କମିଟି ପିଲାଙ୍କୁ ୫ ଟଙ୍କିଆ ବିସ୍କୁଟ ଦେଇ କାମ ଚଳେଇ ଦିଅନ୍ତି। ଯଦିଓ ପିଲାମାନେ ରନ୍ଧା ଖାଦ୍ୟ ପାଇଁ କହିଲେ,ଇଛା ଅଛି ଖାଅ, ନଚେତ ଚାଲିଯାଅ, ଆମ ଦୟାରୁ ଏତିକି ହେଲେ ମିଳୁଛି ନଚେତ ଆଉ କେହିହେଲେ କିଛି ମିଳିବ ନାହିଁ। ଯାହା ପିଲାମାନଙ୍କ ଠାରୁ ଶୁଣିବାକୁ ମିଳିଛି। ସେପଟେ ସରକାର ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବାକୁ ଯୋଜନା ଉପରେ ଯୋଜନା କରବା ବେଳେ ଏପଟେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡୁଛି। ଖବର ପ୍ରସାରଣ ପରେ ପ୍ରଶାସନ ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ପ୍ରସାଦ ଲିମାଙ୍କ ରିପୋର୍ଟ।
ମଧ୍ୟାନ୍ନ ଭୋଜନ ପରିବର୍ତ୍ତେ ୫ ଟଙ୍କିଆ ବିସ୍କୁଟ ବଣ୍ଟନ ।
