ମହୁଲ ଫୁଲର ଅଭାବୀ ବିକ୍ରି ହେଉଛି ଚିନ୍ତାରେ ସଂଗ୍ରହକାରୀ।

କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ମହୁଲ ଗୋଟାଳି ମାନେ ଅଭାବୀ ବିକ୍ରିର ଶିକାର ହେଉଥ‌ିବା ଅଭିଯୋଗ ହେଉଛି। ସେହି ପରି ଲାଞ୍ଜିଗଡ ବ୍ଲକର ମହୁଲକୁ ପଞ୍ଚାୟତସ୍ତରରେ କିଣିବାକୁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ମହୁଲ ଗୋଟାଳି । ଫଗୁଣ ଆସିଲେ ମହୁଲ ଗଛରେ ପେନ୍ଥା ପେନ୍ଥା ମହୁଲ ଫୁଲ ଫୁଟିଥାଏ । ମହୁଲ ଫୁଲର ବାସ୍ନାରେ ବଣି ଚଢ଼େଇ ଆକର୍ଷିତ ହୋଇ ଡାଳରେ ବସିପଡେ ମହୁଲ ରସ ଶୋଷିବା ପାଇଁ। ଏହି ଫୁଲ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ରୋଜଗାରର ଏକ ମାଧ୍ୟମ। ଏହି ମହୁଲୀ ମଦ ପିଇ କିଛି ଲୋକଙ୍କ ପରିବାର ଉଜୁଡ଼ି ଯାଉଥିବା ବେଳେ ଉକ୍ତ ମହୁଲ ଫୁଲ କିଛିଲୋକଙ୍କ ରୋଜଗାର୍‌ର ମାଧ୍ୟମ ସାଜିଥାଏ। ସେଥ‌ିପାଇଁ ଭୋରରୁ ଜଙ୍ଗଲକୁ ଯାଇ ମହୁଲ ଫୁଲ ସଂଗ୍ରହ କରି ଭଲ ଦୁଇ ପଇସା ପାଇବାର ଆଶା ରଖିଥାନ୍ତି ଲୋକେ । ମହୁଲ ଗୋଟାଇ ତାକୁ ବିକିବା ପାଇଁ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ମାସେ ସମୟ ଲାଗିଥାଏ । ହେଲେ ତାକୁ ବିକ୍ରି କରିବାକୁ ସରକାରୀ ସୁବିଧା ନ ଥିବାରୁ ପ୍ରତି ବର୍ଷ ଅଭାବୀ ବିକ୍ରିର ଶିକାର ହୋଇ ଶାଗ ମାଛ ଦରରେ ଦଲାଲ୍ ହାତରେ ଟେକି ଦେଉଥିବା ନେଇ ଅଭିଯୋଗ କରିଛନ୍ତି ମହୁଲ ଗୋଟାଳି । ପୂର୍ବ ଅପେକ୍ଷା ମହୁଲ ମଦର ମୂଲ୍ୟ ବୃଦ୍ଧି ହେବା ସହିତ ସରକାର ମହୁଲ ମଦରୁ ପ୍ରଚୁର ରାଜସ୍ବ ପାଉଥିବା ବେଳେ ମହୁଲ ଗୋଟାଳିଙ୍କ ହାତ କିନ୍ତୁ ଖାଲି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ମହୁଲର ସରକାରୀ ମୂଲ୍ୟ ଧାର୍ଯ୍ୟ କରିବା ସହିତ ପଞ୍ଚାୟତସ୍ତରରେ କ୍ରୟ କରିବା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।

କଳାହାଣ୍ଡିରୁ ଫଟୋ ନ୍ୟୁଜ ଟାଇମ୍ସ ର ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *