ଏସ.ୟୁ.ଜେ. ସାମ୍ବାଦିକ ସଂଘ ରାୟଗଡ଼ା ଶାଖାର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ସମାଜରେ ସତ୍ୟ,ନ୍ୟାୟ ଓ ମାନବିକ ମୂଲ୍ୟବୋଧକୁ ସୁରକ୍ଷିତ ରଖିବାରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଏଠାରେ ମତ ପ୍ରକାଶ ପାଇଥିଲା। ରାୟଗଡ଼ାର ସ୍ଥାନୀୟ ଲାୟନ୍ସ କ୍ଳବ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ) ଓଡିଶା,ରାୟଗଡ଼ା ଜିଲ୍ଳା ଶାଖାର ୫ମ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବୁଧବାର ଭବ୍ୟ ଓ ସୁସଂଗଠିତ ଭାବରେ ଆୟୋଜିତ ହୋଇଯାଇଛି ।

ଜିଲ୍ଳା ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ନିହାର ରଂଜନ କହଁର,ରାୟଗଡ଼ା ସମନ୍ନିତ ଆଦିବାସୀ ସଂସ୍ଥା,ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝିଙ୍କ ସମେତ ରାଜ୍ୟ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ସଭାପତି କୀର୍ତିଚନ୍ଦ୍ର ସାହୁ,ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜୀ,ରାଜ୍ୟ ସଂପାଦକ ବିଭୁପ୍ରସାଦ ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିଜୟ ମହାରଣା,ଜିଲ୍ଳା ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂଯ୍ୟ ପ୍ରମୁଖ ମଂଚାସୀନ ହୋଇଥିଲେ । ଏହି ଅବସରରେ ଜିଲ୍ଳା ସଂଘର ୫୦ଜଣ ସଭ୍ୟଙ୍କୁ ପରିଚୟ ପ୍ରମାଣ ପତ୍ର,ଆଇଡି କାର୍ଡ ଓ ଉପଢୈାକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ୱଳନ ସହ କରାଯାଇଥିବା ବେଳେ ଦିବଙ୍ଗତ ସାମ୍ବାଦିକମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଅତିସୁନ୍ଦର ସୁମଧୁର ପ୍ରାରମ୍ଭିକ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସଂଘ ସଭାପତି ଶ୍ରୀ ଗଉଡ ତାଙ୍କ ଅଭିଭାଷଣରେ ସତ୍ୟ ନିଷ୍ଠା,ନିଷ୍ପକ୍ଷତା ଓ ମୂଲ୍ୟବୋଧମୂଳକ ସାମ୍ବାଦିକତାର ଆବଶ୍ୟକତା ଉପରେ ଜୋର ଦେଇ ସାମ୍ବାଦିକତା ସମାଜର ଆଇନା ଭାବରେ କାର୍ଯ୍ୟ କରେ ଏବଂ ଲୋକତନ୍ତ୍ରକୁ ସୁଦୃୃଢ କରିବାରେ ଏହାର ଭୂମିକା ଅପରିସୀମ ବୋଲି କହିଥିଲେ ।

ଏହି ଅବସରରେ ସ୍ଥାନୀୟ ଶକ୍ତି ଅନୁଷ୍ଠାନର ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କୁ ଫଳ ମିଷ୍ଠାନ ବଣ୍ଟନ କରାଯାଇଥିଲା | ଆଜିର କାର୍ଯ୍ୟକ୍ରମଟି ସଫଳ ଓ ସୁସଂଗଠିତ ଭାବରେ ସମ୍ପନ୍ନ ହୋଇଥିବା ବେଳେ ଉଦଘୋଷକ ତଥା ଗାୟକ ପ୍ରଶାନ୍ତ କୁମାର ନାୟକ ମଂଚ ପରିଚାଳନା କରିଥିବା ବେଳେ ସଂଘର ସଭ୍ୟମାନେ ସହଯୋଗ କରିଥିଲେ ।
ରାୟଗଡାରୁ କମଳ ଲୋଚନଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
