ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ

ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ।
ଗୃହ, ସେତୁ ଓ ରାସ୍ତା ନିର୍ମାଣର ସବିଶେଷ ସମୀକ୍ଷା କଲେ ମନ୍ତ୍ରୀ। ପିଏମ୍ ଜିଏସୱାଇ-୪ରେ ଉନ୍ନତ ପ୍ରଦର୍ଶନ ପାଇଁ  ମନ୍ତ୍ରୀଙ୍କ ପ୍ରଶଂସା।  ନିର୍ମାଣ କାର୍ଯ୍ୟରେ ଉନ୍ନତ ମାନ ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ତାଗିଦ୍, ବିଳମ୍ବ ହେଲେ ଦରମା ବନ୍ଦ। ବିଳମ୍ବିତ ନିର୍ମାଣ କାର୍ଯ୍ୟର କ୍ଷେତ୍ର ସ୍ତରୀୟ ସମୀକ୍ଷା ପାଇଁ ହେବ ସ୍ବତନ୍ତ୍ର ଟିମ୍।
ମାନ୍ୟବର ମନ୍ତ୍ରୀ  ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସ୍ଥିତ  ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l  ଗ୍ରାମ୍ୟ ଉନ୍ନୟନ ବିଭାଗର ୬୦ ଟି ବିଭାଜନର କାର୍ଯ୍ୟକୁ ବିସ୍ତୃତ ସମୀକ୍ଷା କରି ମନ୍ତ୍ରୀ  ଶ୍ରୀ ନାଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଉନ୍ନତମାନକୁ ବଜାୟ ରଖି ସମସ୍ତ ନିର୍ମାଣ କାର୍ଯ୍ୟ ଶେଷକରିବାକୁ ନିର୍ଦ୍ଦେଶ ଦେବାସହ ବିଳମ୍ବ ହେଲେ ଅଧିକାରୀଙ୍କ  ଦରମା କାଟ ହେବ ବୋଲି ତାଗିଦ କରିଛନ୍ତି l
ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ବିଭାଗ ଦ୍ବାରା କାର୍ଯ୍ୟକାରୀ ସମସ୍ତ ଯୋଜନାର ସମୀକ୍ଷା ହୋଇଥିଲା l  ରାଜ୍ୟର ସମସ୍ତ ୬୦ ଟି ଗ୍ରାମ୍ୟ ନିର୍ମାଣ ବିଭାଜନର ସମସ୍ତ ନିର୍ମାଣ କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ସମୀକ୍ଷା କରିଥିଲେ l  ପିଏମ୍ ଜିଏସୱାଇ-୪ରେ ରାଜ୍ୟ ଜାତୀୟସ୍ତରରେ ଉନ୍ନତ ପ୍ରଦର୍ଶନ କରିଥିବାରୁ ସେ ବିଭାଗର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ l ଏହି ଯୋଜନାରେ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲାରେ ସାଚୁରେସନ୍ ମୋଡ୍ ରେ ନିର୍ମାଣ କାର୍ଯ୍ୟ ହୋଇଥିବାରୁ ସେ ପ୍ରସନ୍ନତା ବ୍ୟକ୍ତ କରିଥିଲେ l  ଏହା ସହ ଆର୍ଥିକ ବର୍ଷ ୨୦୨୫-୨୬ ରେ ଅନ୍ୟ ଯୋଜନା ଗୁଡ଼ିକର ନିର୍ମାଣ ଲକ୍ଷ୍ୟ ବିଷୟରେ ଆଲୋଚନା ହୋଇଥିଲା l  ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୫୨୧ଟି ପ୍ରକଳ୍ପରେ   ନିର୍ମାଣ ହେବାକୁଥିବା ୫୦୦୦ କିମି ରାସ୍ତା, ସେତୁ ବନ୍ଧନ ଯୋଜନାରେ ୪୦୦ ସେତୁ ଓ ୨୫୩ଟି କୋଠାର ନିର୍ମାଣ ଅଗ୍ରଗତି ବିଷୟରେ ସବିଶେଷ ସମୀକ୍ଷା କରି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।
ଏହି ବୈଠକରେ ପ୍ରାରମ୍ଭିକ ବକ୍ତବ୍ୟ ରଖି ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡଙ୍ଗୀ ୬୦ ଟି ବିଭାଜନର ନିର୍ମାଣ କାର୍ଯ୍ୟ ଓ ଅନ୍ୟlନ୍ୟ ଆନୁଷଙ୍ଗିକ ଦିଗ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ l  ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଜେନା ସମୀକ୍ଷା ବୈଠକକୁ ସମସ୍ତଙ୍କୁ  ସ୍ବାଗତ ଜଣାଇବା ସହ ବିଭିନ୍ନ ନିର୍ମାଣ କାର୍ଯ୍ୟ   ବିଷୟରେ ତଥ୍ୟ ରଖିଥିଲେ l ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରସନ୍ନ କୁମାର ସାହୁ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ସେଠ ବିଭିନ୍ନ ପ୍ରକଳ୍ପ ନିର୍ମାଣ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସୂଚିତ କରିଥିଲେ l
ବୈଠକରେ ବରିଷ୍ଠ ଅଧିକାରୀଗଣ ଶ୍ରୀ ସର୍ବେଶ୍ଵର ସିଂ, ଶ୍ରୀମତୀ ଗୀତାରାଣୀ ପଟ୍ଟନାୟକ, ଶ୍ରୀମତୀ ସଂଘମିତ୍ରା ଶତପଥୀ, ସମସ୍ତ ବରିଷ୍ଠ ଯନ୍ତ୍ରୀ, ୬୦ ଟି ବିଭାଜନର କ୍ଷେତ୍ରୀୟ ଅଧିକାରୀ ତଥା ଯନ୍ତ୍ରୀ ଯୋଗଦେଇ ମନ୍ତ୍ରୀଙ୍କଠାରୁ ଦିଗଦର୍ଶନ ପ୍ରାପ୍ତ ହୋଇଥିଲେ l
ଭୁବନେଶ୍ୱରରୁ ଫଟୋ ନ୍ୟୁଜ ଟାଇମସର  ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *