ମହିଳାଙ୍କ ମୁଣ୍ଡ ବିହୀନ ଶବ ଉଦ୍ଧାର ଘଟଣା, ଉଗ୍ରରୂପ ନେଲା। ଏମଭି ୨୬ ଗ୍ରାମରେ ନିଆଁ ଲଗାଇଲେ ଓ ଘର ଭାଙ୍ଗିଲେ। ଆଦିବାସୀ ମାନଙ୍କ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପରେ BNS ୧୬୩ ଜାରି କରାଯାଇଛି। ଇଣ୍ଟରନେଟ ସେବା ବନ୍ଦ କଲେ ସରକାର।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକ ମାରିଵାଡା ପଞ୍ଚାୟତର ଏମଭି-୨୬ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଶତାଧିକ ଆଦିବାସୀ ଲୋକେ ଗାଁରେ ପଶି ୫୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ଦୋକାନ ଲୁଟିବା ସହ ଅଟୋ, ମୋଟର ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।

ଘଟଣା ଅନୁଯାୟୀ, କୋରୁକୋଣ୍ଡା ବ୍ଲକର ରାଖାଲଗୁଡା ଗ୍ରାମର ମହିଳା ଯାହାଙ୍କ ନାମ ଲାକେ ପଡିଆମି ଙ୍କ ମୁଣ୍ଡ ବିହୀନ ଶବ ଗତ ୪ ତାରିଖ ଦିନ ଡୁଡାମେଟଲା ନଦୀ କୂଳରେ ମିଳିଥିଲା। ଏହାପରେ ଗ୍ରାମବାସୀ ଏବଂ ଆଦିବାସୀ ମହାସଂଘ ପକ୍ଷରୁ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଉଥିଲା। ଶନିବାର ମଧ୍ୟ ଶତାଧିକ ଆଦିବାସୀ ରାଖାଲଗୁଡା ଗ୍ରାମରେ ଏକତ୍ର ହୋଇ ମେଳି କରି ପୁଲିସକୁ ଚେତାବନୀ ଦେଇଥିଲେ। ଏହା ପରେ ଆଜି ଶହ ଶହ ଆଦିବାସୀ ପୁରୁଷ ଓ ମହିଳା ଏକତ୍ର ହୋଇ ଏମଭି-୨୬ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଏକ ବୈଠକ କରିଥିଲେ। ସମସ୍ତ ଆଦିବାସୀ ହାତରେ ପାରମ୍ପରିକ ଆସ୍ତ୍ରଶସ୍ତ୍ର ଧରିଥିଲେ।

ଏହି ଖବର କୋରୁକୋଣ୍ଡା ପୁଲିସ ପାଇବା ପରେ ସେଠାରେ ପହଞ୍ଚିଥିଲା। ଲୋକଙ୍କୁ ବୁଝାସୁଝା କରୁଥିଲା। କିନ୍ତୁ, ଲୋକେ ପୁଲିସ କଥାକୁ ଶୁଣିନଥିଲେ। ପରେ ଅପରାହ୍ନ ୪ଟା ବେଳେ ହଠାତ୍ ଲୋକେ ଉଗ୍ର ରୂପ ଧାରଣ କରିଥିଲେ। ଶହଶହ ଲୋକେ ଗ୍ରାମବାସୀଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ। ଯାହାପାରିଲେ ଭାଙ୍ଗିଲେ। ଦୋକାନର ସମସ୍ତ ସାମଗ୍ରୀ ଲୁଟି ନେଲେ। ପୁଲିସ କେବଳ ଦେଖଣାହାରି ହୋଇ ରହିଯାଇଥିଲା।

ପୁଲିସ ଲୋକଙ୍କୁ ଆୟତ୍ତ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଲୋକଙ୍କର ଉଗ୍ର ରୂପ ଆଗରେ ପୁଲିସ ହାର ମାନିଥିଲା। ଲୋକଙ୍କର ଘରକୁ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ସବୁ ଛିନଛତର୍ କରିବା ପରେ ସେଠାରୁ ଚାଲି ଯାଇଥିଲେ। ଖବର ପାଇ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଉପଜିଲ୍ଲାପାଳ ଅଶ୍ନି ଏ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ସମେତ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋ, କୋରୁକୋଣ୍ଡା ଆଇଆଇସି ହିମାଂଶୁ ବାରିକ, ବାଲିମେଳା ଆଇଆଇସି ଅଶ୍ବିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହ ଶତାଧିକ ପୁଲିସ, ବିଏସଏଫ ଯବାନ ମଧ୍ୟ ଗାଁରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କ କାନ୍ଦରେ ଗାଁ ଫାଟି ପଡୁଥିଲା। ଲୋକେ ରାତିରେ କିପରି ରହିବେ ତାକୁ ନେଇ ଚିନ୍ତା କରୁଥିଲେ। ପ୍ରଶାସନ ସୁରକ୍ଷା ନଦେଲେ ରାତିରେ ପୁଣି ଆକ୍ରମଣର ଭୟ ରହିଥିବା ଗ୍ରାମବାସୀ କହିଛନ୍ତି। ପୁଲିସ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି। ବାସ୍ତବ କ୍ଷେତ୍ରରେ ଏହା ପୋଲିସ ଗୁଇନ୍ଦା ବିଭାଗର ବିଫଳତା ଅଟେ। ବୁଦ୍ଧିଜୀବୀ ମାହାଲରେ ଦାବୀ ହେଉଛି ଯେ ଘଟଣା ଘଟିଵା ପୂର୍ବରୁ ପୋଲିସ ଏହାକୁ ଅତିସାଧାରଣ ଭାବେ ନେଇଥିଲେ। କିନ୍ତୁ ଏହା ଏକ ଗୁରୁତ୍ୱର ଘଟଣା।

ଗୋଷ୍ଠି ବିବାଦ ସୃଷ୍ଟି ହେବା ପରେ ପୋଲିସ ପ୍ରଶାସନ ଏବଂ ରାଜନୈତିକ ଦଳମାନେ ତତ୍ପର ହେଉଛନ୍ତି। ଏହା ସରକାରଙ୍କର ବିଫଳତାକୁ ପ୍ରମାଣ କରୁଛି।
ମାଲକାନଗିରି ଜିଲ୍ଲାରୁ ବାଦଲ ବିଶ୍ୱାଳଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
