ମିଳିଲା ୪୪ ମଇଁଷିଙ୍କ ମୃତଦେହ। ୪ ମଇଁଷିଙ୍କ ହେଲା ବ୍ୟବଚ୍ଛେଦ, ମୃତ୍ୟୁର କାରଣ ଅସ୍ପଷ୍ଟ।

ମିଳିଲା ୪୪ ମଇଁଷିଙ୍କ ମୃତଦେହ। ୪ ମଇଁଷିଙ୍କ ହେଲା ବ୍ୟବଚ୍ଛେଦ, ମୃତ୍ୟୁର କାରଣ ଅସ୍ପଷ୍ଟ।
କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମ ଦେଇ ଯାଇଥିବା ବ୍ରହ୍ମଣୀ ଓ ଖରସ୍ରୋତା ନଦୀଯୋରରେ ଫସି ମୃତ୍ୟୁ ଘଟିଥିବା ମଇଁଷିଙ୍କ ବ୍ୟବଚ୍ଛେଦ ହୋଇଛି । ରବିବାର ୩୦ ମଇଁଷିଙ୍କ ମୃତଦେହ ମିଳିଥିବା ବେଳେ ସୋମବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି । ମଇଁଷି ପଲରେ ୭୨ ଥିବା ବେଳେ ଅନ୍ୟ ୨୮ ମଇଁଷିଙ୍କ ପତା ମିଳିପାରିନାହିଁ । ଏହି ଘଟଣାର ତଦନ୍ତ କରିବା ପାଇଁ ସୋମବାର ରାଜ୍ୟ ସରକାରଙ୍କ ପ୍ରାଣୀ ସଂପଦ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡ. ହାଡ଼ିବନ୍ଧୁ ଭୋଇ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନର ଲ୍ୟାବ ବିଶେଷଜ୍ଞ ଡ. ରଘୁନାଥ ସିଂହ, ଲ୍ୟାବ ବିଶେଷଜ୍ଞ ଡ. ଏସ୍ ପାର୍ଥ ସାରଥୀ, କେନ୍ଦ୍ରାପଡ଼ା ସିଡିଭିଓ(ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ) ଡ. ମନୋଜ ପଟ୍ଟନାୟକ, ବନ ବିଭାଗ ଅଧିକାରୀ ବିଜୟ ପାତ୍ର, ଆଳି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ବଦ୍ରି ନାରାୟଣ ଚାନ୍ଦ, ଆଳି ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ।

ସେମାନେ ୪ଟି ମଇଁଷିଙ୍କ ବ୍ୟବଚ୍ଛେଦ କରିଛନ୍ତି । ମଇଁଷିଙ୍କ ଶରୀରର ବିଭିନ୍ନ ଅଙ୍ଗ କାଟିକି ପରୀକ୍ଷା ପାଇଁ ନେଇଛନ୍ତି । ହେଲେ କେଉଁ କାରଣରୁ ମଇଁଷିଙ୍କ ମୃତ୍ୟୁ ଘଟିଛି ତାହା ବିଶେଷଜ୍ଞ ଦଳ କହି ନାହାଁନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବିଶେଷଜ୍ଞ ଦଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନଦୀରେ ଚିଙ୍ଗୁଡି ଧରିବା ପାଇଁ ବିଷ ପ୍ରୟୋଗ ଯୋଗୁ ମଇଁଷିମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ କୁମ୍ଭୀର ଆକ୍ରମଣ ଯୋଗୁଁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଆଲୋଚନା ହେଉଛି । ହେଲେ ଏତେଗୁଡା ମଇଁଷିର ମୃତ୍ୟୁର କାରଣ କ’ଣ ହୋଇପାରେ ତାହାକୁ ନେଇ ସନ୍ଦେହ ଉପରୁ ପରଦା ହଟିପାରି ନାହିଁ । ମଇଁଷି ପଲକୁ କୁମ୍ଭୀର ଆକ୍ରମଣ କରିବା ଓ ଏହାଦ୍ୱାରା ମଇଁଷିମାନେ ଛନ୍ଦାଛନ୍ଦି ହୋଇ ମୃତ୍ୟୁ ଘଟିବା କରଣକୁ ବିଶ୍ୱାସ କରି ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି । ସ୍ଥାନୀୟ ଲୋକେ କହିଛନ୍ତି କୁମ୍ଭୀର ମଇଁଷି ପଲକୁ ଆକ୍ରମଣ କଲେ ମଇଁଷି ପଲ ମଧ୍ୟ କୁମ୍ଭୀରକୁ ଆକ୍ରମଣ କରିବାର ଅନେକ ନଜିର ରହିଛି । ୭୨ ଟିକିଆ ମଇଁଷି ପଲକୁ କୁମ୍ଭୀର ଆକ୍ରମଣ କରିବାକୁ ସାହସ କରିବ ନାହିଁ । ତେଣୁ ଏତେ ସଂଖ୍ୟକ ମଇଁଷିଙ୍କ ମୃତ୍ୟୁର କାରଣ ଅନ୍ୟ କିଛି ଥାଇପାରେ । ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।

ସେହିପରି ଅନ୍ୟ କେତେକ ବ୍ୟକ୍ତି କହିଛନ୍ତି ନଦୀରେ ଚିଙ୍ଗୁଡି ଧରିବା ପାଇଁ ବେଳେ ବେଳେ ଚିଙ୍ଗୁଡି ମାଫିଆମାନେ ନଦୀରେ ବିଷ ପକାଇଥାନ୍ତି । ହେଲେ ଏବେ ନଦୀର ବହୁତ ପାଣି ରହିଛି । ତେଣୁ ବିଷ ପ୍ରୟୋଗ କଲେ ତାହା କେତେଦୂର ସଫଳ ହେବ ତାହା ଜଣାପଡୁନାହିଁ । ସେହିପରି ଯଦି ବିଷ ପ୍ରୟୋଗ କରାଯାଇଛି ତାହା ହେଲେ ମାଛ ଓ ଚିଙ୍ଗୁଡି ମରି ଭାସିଥାନ୍ତେ । ହେଲେ ମଲା ମାଛ କି ଚିଙ୍ଗୁଡି ଭାସୁ ନାହାଁନ୍ତି । ତେଣୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ସେମାନେ କହିଛନ୍ତି । ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ମନୋଜ ପଟ୍ଟନାୟକ କହିଛନ୍ତି ଏହି ଘଟଣା ଘଟିବା ଖବର ପାଇଁ ଭୁବନେଶ୍ୱରରୁ ଆସିଥିବା ଏକ ବିଶେଷଜ୍ଞ ଦଳ ସହ ଆମେ ଘଟଣା ସ୍ଥଳକୁ ଯାଇଥିଲୁ । ବିଶେଷଜ୍ଞ ଦଳ ୪ଟି ମୃତ ମଇଁଷିଙ୍କ ଶରୀରର ବିଭିନ୍ନ ଅଂଶ ପରୀକ୍ଷା ପାଇଁ ସଂଗ୍ରହ କରି ସାଙ୍ଗରେ ନେଇଛନ୍ତି । ଏହାକୁ ଲ୍ୟାବରେ ପରୀକ୍ଷା କରାଯିବ । ପରୀକ୍ଷା ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଆଳି ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର କହିଛନ୍ତି ବିଶେଷଜ୍ଞ ଦଳ ସହ ମୁଁ ଘଟଣା ସ୍ଥଳକୁ ଯାଇଥିଲି । ବିଶେଷଜ୍ଞ ଦଳ ମୃତଦେହ ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ନାହିଁ ବୋଲି ସେ କହିଛନ୍ତି । ପ୍ରକାଶ ଥାଉକି ରବିବାର ଏକମାଣିଆ ଗ୍ରାମର ଜଗନ୍ନାଥ ଦାସ, ଗଣେଶ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ ୭୨ ମଇଁଷିଙ୍କୁ ବ୍ରହ୍ମଣୀ ଓ ଖରସ୍ରୋତା ନଦୀ ପଠାରେ ଚରାଇବା ପାଇଁ ସେମାନେ ଏକ ଯୋର ପାର ହେଉଥିଲେ । ଏହାର କିଛି ସମୟ ପରେ ୩୦ ମଇଁଷିଙ୍କ ମୃତଦେହ ଯୋରରେ ଭାସିଥିଲା । ଅନ୍ୟ ୪୨ ମଇଁଷିଙ୍କ ଖୋଜ ଖବର ମିଳିନଥିଲା।
କେନ୍ଦ୍ରାପଡ଼ା ରୁ ଲକ୍ଷ୍ମୀ କାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *