ପେଟପାଟଣା ନିମନ୍ତେ ଦାଦନ ଯାଇ ବାହାର ରାଜ୍ୟରେ ଫସିଲେ କାଶିପୁର ଅଞ୍ଚଳର ନଅ ଜଣ ଯୁବକ।ରାୟଗଡା ଜିଲ୍ଲା କାଶିପୁର ବ୍ଲକରୁ ୯ ଜଣ ଯୁବକ କାମ କରିବା ପାଇଁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଗତ ନଭେମ୍ବର ମାସରେ ଯାଇଥିଲେ ଏବଂ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ନଭେମ୍ବର ମାସରୁ ଆଜି ମଧ୍ୟରେ ଦେଢ଼ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି, ହେଲେ କମ୍ପାନୀ କାମ ଧନ୍ଦା ନଦେବା ସହିତ ଆଜିପର୍ଯନ୍ତ ପ୍ରତିଶ୍ରୁତି ଦେଇଥିବା ଅଗ୍ରୀମ ୨୫ ହଜାର ଟଙ୍କା ମଧ୍ୟ ଦେଉନାହିଁ,ଏହିଭଳି ଅଭିଯୋଗ ଆଣିଛନ୍ତି ୯ ଜଣ ଯୁବକ। ଦାଦନ ଯାଇଥିବା ୯ଯୁବକ ହେଲେ କାଶିପୁର ବ୍ଲକର ବିଟୁ ମାଝୀ, ଦଇତାରୀ ମାଝୀ, ବିଭୀଷଣ ମାଝି, କବି ମାଝୀ, ରାଜୁ ମାଝୀ, ବୁଲୁ ମାଝୀ, ମୋହନ ମାଝି, ସମ୍ରାଟ ମାଝୀ ଓ ବ୍ରଜ ମାଝୀ। ସେମାନେ ସେଠାକୁ କାମ କରିବାକୁ ଯିବା ପୂର୍ବରୁ ଗ୍ଲୋବାଲ ଷ୍ଟିଲ କମ୍ପାନୀରେ ଏନେଇ ସେମାନେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଦନ ମାଝିଙ୍କୁ ଫୋନ ଯୋଗେ ସୂଚନା ଦେବା ସହିତ ଭିଡିଓ ବାର୍ତ୍ତା ଦେଇଛନ୍ତି। ସେମାନଙ୍କୁ ନିଜର ପ୍ରାପ୍ୟ ପାଇବାର ସୁବିଧା କରିବା ସହିତ ଘରକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗକୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ସେମାନେ ସଙ୍ଗରେ ନେଇଥିବା ଅର୍ଥ ସରିଯାଇଥିବା ସମୟରେ ଗତ ୭ ଦିନ ହେଲାଣି ସେମାନେ ଠିକ୍ ଭାବେ ଖାଇବାପିଇବାକୁ ପାଉନଥିବା ସୂଚନା ରଖିଛନ୍ତି। ଆମ ନ୍ୟୁଜ ଚ୍ୟାନେଲ କୁ ଜିଲ୍ଲା ଶ୍ରମ ଅଧିକାରୀ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି।
ରାୟଗଡାରୁ କମଳ ଲୋଚନ ଏବଂ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
