ରାୟଗଡ଼ା ପୁଲିସ୍ ସମ୍ମୁଖରେ ୧୫ ମାଓବାଦୀଙ୍କ ଐତିହାସିକ ଆତ୍ମସମର୍ପଣ

ରାୟଗଡ଼ା ପୁଲିସ୍ ସମ୍ମୁଖରେ ୧୫ ମାଓବାଦୀଙ୍କ ଐତିହାସିକ ଆତ୍ମସମର୍ପଣ ଶୀର୍ଷ ନେତୃତ୍ୱ ସହ ବହୁ ଅସ୍ତ୍ର-ଗୁଳି ଜମା।ସଂଗଠନକୁ ବଡ଼ ଝଟକା। ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପକୁ ନେଇ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାୟଗଡ଼ା ପୁଲିସ୍ ସମ୍ମୁଖରେ ନିଷିଦ୍ଧ ସିପିଆଇ (ମାଓବାଦୀ) ସଂଗଠନର ୧୫ ଜଣ ଶୀର୍ଷ ଓ ସକ୍ରିୟ କ୍ୟାଡର୍ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକୁ ମାଓବାଦୀ ସଂଗଠନ ପାଇଁ ବଡ଼ ଝଟକା ଭାବେ ଦେଖାଯାଉଛି ।

ଆତ୍ମସମର୍ପଣ କରିଥିବା କ୍ୟାଡର୍ମାନଙ୍କ ମଧ୍ୟରେ ୨ ଜଣ ରାଜ୍ୟ କମିଟି ସଦସ୍ୟ (SCM), ୧ ଜଣ ଡିଭିଜନାଲ୍ କମିଟି ସଦସ୍ୟ (DVCM), ୫ ଜଣ ଏରିଆ କମିଟି ସଦସ୍ୟ (ACM) ଓ ୭ ଜଣ ପାର୍ଟି ସଦସ୍ୟ (PM) ରହିଛନ୍ତି । ସେମାନେ ଦୀର୍ଘ ସମୟ ଧରି ଓଡ଼ିଶା-ଛତିଶଗଡ଼ ସୀମା ଅଞ୍ଚଳରେ ସଂଗଠନର କାର୍ଯ୍ୟକଳାପ ଚାଲାଇଥିଲେ । ପୁଲିସ୍ ସୂଚନା ଅନୁସାରେ, ଆତ୍ମସମର୍ପଣ ସମୟରେ ମାଓବାଦୀମାନେ ବିଭିନ୍ନ ଆଧୁନିକ ଅସ୍ତ୍ର ଓ ଗୁଳି-ବାରୁଦ ଜମା କରିଥିଲେ ।

ଏଥିରେ AK-47 ରାଇଫଲ୍, SLR, INSAS ରାଇଫଲ୍, କାର୍ବାଇନ୍ ସହ ବହୁ ପରିମାଣର ଗୁଳି ଓ ମ୍ୟାଗାଜିନ୍ ରହିଛି । ଆତ୍ମସମର୍ପଣ କରିଥିବାମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ନିରଞ୍ଜନ ରାଉତ ଓରଫ ନିଖିଲ ଗୁରୁତ୍ୱପୂର୍ଣ୍ଣ ନେତା ଭାବେ ପରିଚିତ । ସେ ଦୀର୍ଘ ବର୍ଷ ଧରି ମାଓବାଦୀ ସଂଗଠନର ଶୀର୍ଷ ସ୍ତରରେ ରହି ବିଭିନ୍ନ ଅଞ୍ଚଳରେ ସଂଗଠନକୁ ନେତୃତ୍ୱ ଦେଇଆସୁଥିଲେ । ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଆପରାଧିକ ମାମଲା ରହିଥିବା ପୁଲିସ୍ କହିଛି । ପୁଲିସ୍ କହିଛି ଯେ, ସୁରକ୍ଷା ବଳର ଲଗାତାର ଚାପ, ସଂଗଠନର ଆଭ୍ୟନ୍ତରୀଣ ଦୁର୍ବଳତା, ସ୍ଥାନୀୟ ସମର୍ଥନ ହ୍ରାସ ଓ ସରକାରଙ୍କ ନୂତନ ଆତ୍ମସମର୍ପଣ-ପୁନର୍ବାସ ନୀତି ପ୍ରଭାବରେ ଏହି କ୍ୟାଡର୍ମାନେ ହିଂସା ପଥ ଛାଡି ମୂଳ ଧାରାକୁ ଫେରିଛନ୍ତି ।

ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ, ଆତ୍ମସମର୍ପଣ କରିଥିବା କ୍ୟାଡର୍ମାନଙ୍କୁ ଆର୍ଥିକ ପୁରସ୍କାର, ଘର, କୌଶଳ ଶିକ୍ଷା, ମାସିକ ଭତ୍ତା, ଚିକିତ୍ସା ସୁବିଧା ଓ ରାସନ୍ ସହାୟତା ଯୋଗାଇ ଦିଆଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ପୁଲିସ୍ ଅନ୍ୟ ମାଓବାଦୀ କ୍ୟାଡର୍ମାନଙ୍କୁ ମଧ୍ୟ ହିଂସା ପଥ ତ୍ୟାଗ କରି ସମାଜର ମୂଳ ଧାରାକୁ ଫେରିବାକୁ ଆହ୍ୱାନ କରିଛି । ଏହି ଆତ୍ମସମର୍ପଣ ଘଟଣା ଓଡ଼ିଶାରେ ଶାନ୍ତି ଓ ଉନ୍ନତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତବ୍ୟ କରାଯାଉଛି । ରାୟଗଡା ରୁ କମଳ ଲୋଚନ ଏବଂ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *