ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ଓଡିଶାକୁ ନେଇ ଖୁବ୍ ଆଗ୍ରହୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ କହିଛନ୍ତି

ପୁଞ୍ଜିପତି ଓଡିଶା ଆସିବାକୁ ଆଗ୍ରହୀ।

ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ଓଡିଶାକୁ ନେଇ ଖୁବ୍ ଆଗ୍ରହୀ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ତରଣ ମାଝୀ କହିଛନ୍ତି। ଦିଲ୍ଲୀରେ ପୂଞ୍ଜିନିବେଶ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଲାବେଳେ ମୁଖ୍ୟମନ୍ତ୍ରୀ କ‌ହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ଓଡ଼ିଶା ଏକ ବିପୁଳ ସମ୍ଭାବନାର ରାଜ୍ୟ। ତାହାର ଫଳ ହେଉଛି ଓଡ଼ିଶାକୁ ବ୍ୟାପକ
ପୁଞ୍ଜି ଆସିବାର ସୁଯୋଗ ସୃଷ୍ଟି ହୋଇଛି। ଦିଲ୍ଲୀରେ ଏହି ଗସ୍ତ ସମୟରେ ସମୁଦାୟ ୧୩ଟି ଚୁକ୍ତି ସ୍ବାକ୍ଷର କରାଯାଇଛି ଏବଂ ଏହା ସହିତ ୧୫ଟି ଇନଭେଷ୍ଟମେଣ୍ଟ ମଧ୍ୟ ଆସିଛି। ଏହା ଦ୍ବାରା ୧ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଏବଂ ୯୫ ହଜାର ୧୯୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୭ ଓ ୮ ତାରିଖ ଦୁଇଦିନ ଧରି ଦିଲ୍ଲୀ କାର୍ଯ୍ୟକ୍ରମରେ ଯୋଗ ଦେଲା ପରେ ମୁଖ୍ୟମନ୍ତ୍ରୀ ବୁଧବାର ଭୁବନେଶ୍ଵର ଫେରିଛନ୍ତି।

ବିମାନବନ୍ଦରରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡିଶା ପରେ ନୂଆଦିଲ୍ଲୀରେ ଆଇ.ଓ.ସି.ଏଲ. ସହିତ ଓଡ଼ିଶାର ଏମଓୟୂ ଦ୍ଵିତୀୟ ଐତିହାସିକ ପଦକ୍ଷେପ। ଆଇ.ଓ.ସି.ଏଲ. ଓଡିଶାରେ ୫୮ ହଜାର ୪୨କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଏବଂ ଏହା ଦ୍ବାରା ୨୪ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ।

ଆଇଓସିଏଲ, ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭିଜର୍ରସ୍ ଲିମିଟେଡ୍ ଏବଂ ପେଟ୍ରୋନେଟ୍ ଏଲଏନଜି ସହିତ ଆମର ଏମଓୟୁ ଯୋଗୁ ଓଡିଶାକୁ ପେଟ୍ରୋ କେମିକାଲ ଓ କେମିକାଲ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମାର୍ଗପ୍ରସ୍ତୁତ ହୋଇପାରିଛି। ଏହାଦ୍ବାରା ପେଟ୍ରୋକେମିକାଲ କ୍ଷେତ୍ରରେ ଅନେକ ଡାଉନ୍ ଷ୍ଟ୍ରିମ୍ ଓ ଆକ୍ସିଲାରି ୟୁନିଟ୍ ସ୍ଥାପନ ହେବାର ବିପୁଳ ସମ୍ଭାବନା ସ୍ରୁଷ୍ଟି ହୋଇଛି ଏବଂ ଓଡ଼ିଶାକୁ ଏକ ବନ୍ଦର ଭିତିକ ଅର୍ଥନିତୀ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି , ତାହା ସଫଳ ହେବ।
ସେ କହିଛନ୍ତି ଯେ, ଏହି ଚୁକ୍ତିନାମା ଶିଳ୍ପ ଅଭିନ୍ନ ଅଭିବୃଦ୍ଧି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଏବଂ ପେଟ୍ରୋକେମିକାଲ ବିକାଶ କ୍ଷେତ୍ରରେ ଓଡିଶା ପାଇଁ ଏହା ଏକ ମାଇଲଷ୍ଟୋନ ସାବ୍ୟସ୍ତ ହେବ । ସେହିପରି ସେ ଏଚସିଏଲ ଟେକ୍ନୋଲୋଜିର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଦିଲ୍ଲୀରେ ଅନେକ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛନ୍ତି। ଏଚସିଏଲକୁ ଓଡ଼ିଶାରେ କ୍ୟାମ୍ପସ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସକରାତ୍ମକ ମତାମତ ମିଳିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଗସ୍ତରେ ଆମ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ବାରା ଦକ୍ଷ ଯୁବ ବର୍ଗ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବ୍ୟାପକ ନିଯୁକ୍ତି ଆଣିପାରିବ। ଏହି ଗସ୍ତରେ ପ୍ରାୟ ୨୫ରୁ ଅଧିକ ଶିଳ୍ପପତିମାନଙ୍କ ସହିତ ଆଲୋଚନା ହୋଇଛି। ଆଗାମୀ ଦିନରେ ମଧ୍ୟ ଆଲୋଚନା ହେବ। ଭବିଷ୍ୟତରେ ସେମାନଙ୍କ ସହିତ ପାର୍ଟନରସିପ୍ କରିବାର ସୁଯୋଗ ଉଜ୍ଜଳ ହୋଇଛି। ନୂଆ ସରକାର ଓଡିଶାରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିଲା ପରେ ବିମାନବନ୍ଦରରେ ଜୋରଦାର୍ ସମ୍ବର୍ଦ୍ଧନା ଦିଆଯାଇଥିଲା। ମନ୍ତ୍ରୀମଣ୍ଡଳର ବହୁ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ।
ଭୁବନେଶ୍ବରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଗିରିଧାରୀ ଲାଲ ଷଡଙ୍ଗୀଙ୍କ ରିପୋର୍ଟ୍ ।

Leave a Reply

Your email address will not be published. Required fields are marked *