ଆଇନ ଗତ ବ୍ୟବସ୍ଥାକୁ ନେଇ ରାଜ୍ୟ ବିକଶିତ ହୁଏ। କିନ୍ତୁ ଆବଶ୍ୟକ ସମୟରେ ମିଳୁନି ଜୁଡିସିଆଲ ଷ୍ଟାମ ପେପର।
ରାୟଗଡ଼ା ଜିଲ୍ଲା କୋର୍ଟରେ ଷ୍ଟାମ୍ପ ପେପର ଓ ଜୁଡିସିଆଲ ଷ୍ଟାମ୍ପ ପାଇଁ ଉଭୟ ଆଇନଜୀବୀ ଓ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।ଏ ନେଇ ବିଭାଗୀୟ ଅଧୂକାରୀଙ୍କୁ ରାୟଗଡ଼ା ଜିଲ୍ଲା ବାର୍ ଆସୋସିଏଶନ ପକ୍ଷରୁ ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ରାୟଗଡ଼ା ବାର୍ ଆସୋସିଏଶନ ସାଧାରଣ ସମ୍ପାଦକ ମଙ୍ଗଳମୂର୍ତ୍ତି ବେଉରିଆ କହିଛନ୍ତି।ସୂଚନା ଅନୁଯାୟୀ,ରାୟଗଡ଼ା ସହରରେ ୩ ଜଣ ଷ୍ଟାମ୍ପ ଭେଣ୍ଡର ଲାଇସେନ୍ସ ପାଇଥିବା ବେଳେ କୋର୍ଟ ପରିସରରେ କେହି ୪ଘଣ୍ଟା ମଧ୍ୟ ବସୁନାହାନ୍ତି।

ଏଭଳିକି ସେମାନଙ୍କ ଘରକୁ ଯାଇ ଷ୍ଟାମ୍ପ ମାଗିଲେ ମଧ୍ଯ ମିଳୁ ନ ଥିବା ବାର୍ ଆସୋସିଏଶନ ମେମ୍ବର ଓ ଜନସାଧାରଣ ଅଭିଯୋଗ କରିଛନ୍ତି। କୋର୍ଟ ପରିସରରେ ବସି ଷ୍ଟାମ୍ପ ବିକ୍ରିକରିବା ନେଇ ନିୟମ ରହୁଥୁବା ବେଳେ ଜଣେ ଭେଣ୍ଡର ଅଳ୍ପ ସମୟ ରୁହନ୍ତି ଏବଂ ଅନ୍ୟ କେହି ଆସନ୍ତି ନାହିଁ ବୋଲି ଆଇନଜୀବୀ ବେଉରିଆ କହିଛନ୍ତି।୧୦ଟଙ୍କିଆ ନନ୍ଜୁଡିସିଆଲ ଷ୍ଟାମ୍ପ ପେପର ସାଧାରଣତଃ ଅଧିକ ଆବଶ୍ୟକ ପଡ଼ିଥାଏ। ହେଲେ ଆବଶ୍ୟକ ସମୟରେ ତାହା ମିଳିବା କଷ୍ଟକର ହୋଇପଡ଼ୁଛି ବୋଲି ସେ କହିଛନ୍ତି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଆଉ କିଛି ଷ୍ଟାମ୍ପ ଭେଣ୍ଡର ନିଯୁକ୍ତି ଦେବା ସହିତ କୋର୍ଟରେ ନିର୍ଦ୍ଧାରିତ ସମୟରେ ବସିବା ପାଇଁ କଡ଼ା ନିର୍ଦ୍ଦେଶନାମା ରହିବା ଆବଶ୍ୟକ ବୋଲି ଆଇନଜୀବୀମାନେ ମତ ପ୍ରକାଶ କରିଛନ୍ତି।
ରାୟଗଡାରୁ କମଳ ଲୋଚନଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
