ସମ୍ଭାବ୍ୟ ଆକ୍ରମଣରୁ ଧନଜୀବନ ରକ୍ଷା କରିବା ପାଇଁ ଓଡିଶାରେ ହେଲା ମକଡ୍ରିଲ୍।

ସମ୍ଭାବ୍ୟ ଆକ୍ରମଣରୁ ଧନଜୀବନ ରକ୍ଷା କରିବା ପାଇଁ ଓଡିଶାରେ ହେଲା ମକଡ୍ରିଲ୍।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଅଂଚଳରେ ହୋଇଥିଲା ମକଡ୍ରିଲ୍ । କୌଣସି ଜରୁରୀକାଳୀନ ବା ଯୁଦ୍ଧ ପରିସ୍ଥିତି ସମୟରେ ସମ୍ଭାବ୍ୟ ଆକାଶ ମାର୍ଗରୁ ଆକ୍ରମଣ କବଳରୁ ଧନଜୀବନ ସୁରକ୍ଷା ନିମନ୍ତେ ଆଜି ବିଏମ୍ ସି ପକ୍ଷରୁ ସମସ୍ତ ପ୍ରସ୍ତୁତି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶ କ୍ରମେ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣାଙ୍କ ଦ୍ୱାରା ପ୍ରସ୍ତାବିତ ଅଂଚଳରେ ଆଜି ସକାଳୁ ଶିଶୁ ଭବନ ଛକ, ବାପୁଜୀ ନଗର, ରାଜମହଲ ଛକ ପର୍ଯ୍ୟନ୍ତ ମକଡ୍ରଲ ହେବ ବୋଲି ମାଇକ୍ ଯୋଗେ ପ୍ରଚାର କରାଯାଇଥିଲା । ସ୍ଥାନୀୟ ଅଂଚଳର ଦୋକାନୀଙ୍କୁ ବିଏମ୍ ସି ପକ୍ଷରୁ ମଧ୍ୟ ଏ ସଂପର୍କରେ ଅବଗତ କରାଯିବା ସହ ଆବଶ୍ୟକୀୟ ନିୟମ ଅନୁପାଳନ କରିବାକୁ କୁହାଯାଇଥିଲା ।
ପୂର୍ବ ଘୋଷଣା ଅନୁଯାୟୀ ଠିକ୍ 4ଟା ବେଳେ ଆରମ୍ଭ ହୋଇଥିଲା ମକଡ୍ରିଲ୍ । ସାଇରନ୍ ବାଜିଲା । ଯିଏ ଯେଉଁଠି ଥିଲେ କାନରେ ହାତ ଦେଇ ଫଟାଫଟ୍ ତଳେ ଶୋଇପଡିଲେ । କେହି କେହି ନିରାପଦସ୍ଥାନକୁ ପଳାଇଗଲେ । କେହି ଛାତତଳେ ତ ଆଉ କେହି ଅଣ୍ଡର ଗ୍ରାଉଣ୍ଡ ବା ବେସମେଣ୍ଟରେ ଆତ୍ମଗୋପନ କଲେ । ମିଛି ମିଛିକା ବୋମା ପଡିବା, ନିଆଁ ଲାଗିବା, ବହୁ ଲୋକ ଆହତ ହେବାର ମକଡ୍ରିଲ କରାଗଲା । ଘରେ ଫସି ରହିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ଏବଂ ଆହତ ଲୋକଙ୍କୁ କିପରି ଡାକ୍ତରଖାନା ନେବାକୁ ହେବ। ଅଗ୍ନିକାଣ୍ଡରୁ ଲୋକମାନଙ୍କୁ କିପରି ଉଦ୍ଧାର କରାଯିବ ଏ ସମସ୍ତ କାର୍ଯ୍ୟର ମକଡ୍ରିଲ କରାଯାଇଥିଲା । ଜନ ସଚେତନତା ନିମନ୍ତେ ସମସ୍ତ ଗଣମାଧ୍ୟମ ପ୍ରତିନିଧି କ୍ଷେତ୍ରରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିଥିଲେ ।


ଏହି ମକଡ୍ରିଲରେ ଅଗ୍ନିଶମ ବାହିନୀ, ପୋଲିସ ବାହିନୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଏନ୍ ସି ସି, ସ୍କାଉଟ୍ ଆଣ୍ଡ ଗାଇଡ୍ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ସେଠାରେ ଉପସ୍ଥିତ ଥିଲେ । ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ସହ ଭଗ୍ନ କୋଠା ଭିତରେ ଫସି ରହିଥିବା ଲୋକମାନଙ୍କୁ ସିଡିରେ ଦଉଡି ବାନ୍ଧି ଉଦ୍ଧାର କରିବାର ଦୃଶ୍ୟ ବେଶ ଚମତ୍କାଲ ଥିଲା । ଏନ୍ ସି ସି ଓ ସ୍କାଉଟଗାଇଡ୍ କ୍ୟାଡେଟମାନେ ଆହତ ଲୋକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତରଖାନାରେ ଡାକ୍ତରଙ୍କ ସହ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ସଜାଗ ରହିଥିଲେ । ସଂଗେ ସଂଗେ ଆହତମାନଙ୍କର ଚିକିତ୍ସା ଆରମ୍ଭ କରିଦେଲେ । ୪ଟାରୁ ୪.୩୦ ପର୍ଯ୍ୟନ୍ତ ଅଧ ଘଣ୍ଟାଏ ଧରି ଚାଲିଥିଲା ଏହି ମକଡ୍ରିଲ୍ ।
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ କମାଣ୍ଡ କଣ୍ଟ୍ରୋଲ ରୁମରେ ଖୋଲାଯାଇଥିବା ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷରେ ଜିଲ୍ଲାପାଳ ଶ୍ରୀ ରାଣା, ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ, ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏବଂ ରାଜମହଲ ଛକରେ ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ବିଭିନ୍ନ କାର୍ଯ୍ୟର ନିରୀକ୍ଷଣ କରିଥିଲେ ।ପରେ ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ କମିଶନର ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ସାଫଲ୍ୟମଣ୍ଡିତ ପ୍ରଧାନ, ଭୁବନେଶ୍ୱର ଉପଜିଲ୍ଲାପାଳ ଡକ୍ଟର ମନୋରଂଜନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମକଡ୍ରିଲରେ ଅଂଶଗ୍ରହଣ କରିଥିବା ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ଏନ୍ ସି ସି ଓ ସ୍କାଉଟଗାଇଡ୍ କ୍ୟାଡେଟମାନେ ଯୋଗଦେଇଥିଲେ ।

ଏଥି ସହିତ ପୁରୀ ର ୨୩ଟି ସ୍ଥାନରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି।ଅପରାହ୍ନ ୪ ଘଟିକା ସମୟରେ ପୁରୀ ଜିଲ୍ଲାର ୨୩ ଟି ସ୍ଥାନରେ ମକ ଡ୍ରିଲ କରାଯାଇଥିଲା।ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଏହି ମକ ଡ୍ରିଲର ବ୍ୟବସ୍ଥା କରାଯାଇଥିଲା।ପୁରୀ ସହରର ବଡ଼ଦାଣ୍ଡ ଟାଉନ ଥାନା ନିକଟରେ, ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳ ଓ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଏହି ମକ ଡ୍ରିଲ ର ଆୟୋଜନ କରାଯାଇଥିଲା। ମକ ଡ୍ରିଲ ସଫଳ ହୋଇଛି।ପ୍ରୋଟୋକଲ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଥିଲେ।ପୂର୍ବ ନିଷ୍ପତ୍ତି ଅନୁସାରେ ଠିକ ଅପରାହ୍ନ ୪ ଘଟିକା ରେ ପୁରୀ ଜିଲ୍ଲାର ସମସ୍ତ ୨୩ ଟି ଯାକ ପଏଣ୍ଟରେ ୫ ମିନିଟ ପାଇଁ ସାଇରନ ବାଜିଥିଲା।

ସାଇରନ ଶବ୍ଦ ଶୁଣି ସମସ୍ତେ ସତର୍କ ହୋଇ ସୁରକ୍ଷିତ ଆଶ୍ରୟ ସ୍ଥଳ ଭାବେ ଛାତ ଓ କୋଠା ଘର ମାନଙ୍କ ରେ ଆଶ୍ରୟ ନେଇଥିଲେ।୧୫ ମିନିଟ ପରେ ବିପଦ ଟଳିଯିବାର ସୂଚନା ପୂର୍ବକ ପୁନଶ୍ଚ ସାଇରନ ବାଜିଥିଲା।ପରେପରେ ଲୋକ ମାନେ ସ୍ବଭାବିକ ଭାବେ ନିଜ କାର୍ଯ୍ୟ ସମ୍ପାଦନ କରିଥିଲେ।ମକ ଡ୍ରିଲ ମାଧ୍ୟମରେ ଆହତ ହୋଇଥିବା ଲୋକ ମାନଙ୍କୁ ଚିକିତ୍ସା ସୁବିଧା, ଆମ୍ବୁଲାନ୍ସ ବ୍ୟବସ୍ଥା, ଲାଗିଥିବା ନିଆଁକୁ ଲିଭେଇବା ବ୍ୟବସ୍ଥା ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସ୍ବେଚ୍ଛାସେବୀ ମାନେ ମିଳିତ ଭାବେ ପ୍ରଦର୍ଶନ କରିଥିଲେ। ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ରେ ଏସ ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ସିଡିଏମଓ ଡା ରୂପଭାନୁ ମିଶ୍ର,ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସୁରକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ମକ ଡ୍ରିଲ ପରିଚାଳନା ରେ ସହଯୋଗ କରିଥିଲେ।

ପୁରୀରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କାଙ୍କ ସହ ଭୁବନେଶ୍ୱରରୁ ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *