ଆଜି ଟିକିରି ହାଟରେ ଘଟିଥିବା ଏକ ଦୁଃଖଦ ଓ ହୃଦୟବିଦାରକ ଦୁର୍ଘଟଣା ସମଗ୍ର କାଶୀପୁର ବ୍ଲକକୁ ସ୍ତବ୍ଧ କରିଦେଇଛି। ଉଗ୍ରୀ ମାଝୀ ,ଗ୍ରାମ ଫୁଲଯବାର ଜଣେ ନିରୀହ ବ୍ୟକ୍ତି ଏହି ଦୁର୍ଘଟଣାରେ ନିଜ ମୂଲ୍ୟବାନ ଜୀବନ ହରାଇଥିବା ଦେଖିବାକୁ ମିଳିଛି।ଟିକିରି ହାଟ ଉପରେ କାଶୀପୁର ବ୍ଲକର ହଜାର ହଜାର ଲୋକଙ୍କର ଜୀବନଜୀବିକା ଓ ଦୈନନ୍ଦିନ ବଜାର ନିର୍ଭର କରେ। ପ୍ରତି ସପ୍ତାହରେ ଏଠାକୁ ଲୋକେ ଭିଡ଼ କରି ବଜାର କରିବାକୁ ଆସନ୍ତି।

କିନ୍ତୁ ଏହି ହାଟ ପଦାରେ ଓ ଟିକିରି ଗ୍ରାମ ଅଞ୍ଚଳରେ ଦୀର୍ଘ ଦିନ ଧରି ବହୁତ ଗୁଡ଼ିଏ ବିପଦପୂର୍ଣ୍ଣ, ଶୁଖିଯାଇଥିବା ବଡ଼ ବଡ଼ ଗଛ ଥିବା ସତ୍ତ୍ୱେ ସ୍ଥାନୀୟ ସରପଞ୍ଚ, ବନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିଲା।ଆଜି ସେହି ଅବହେଳାର ମୂଲ୍ୟ ଦେବାକୁ ପଡ଼ିଛି ଜଣେ ନିରୀହ ଲୋକଙ୍କୁ। ଗଛ ପଡ଼ିବା ଫଳରେ ଘଟିଥିବା ଏହି ଦୁର୍ଘଟଣା ସ୍ପଷ୍ଟ ଭାବରେ ପ୍ରଶାସନିକ ଅନାସକ୍ତିକୁ ପ୍ରକାଶ କରୁଛି। ଯଦି ସମୟରେ ବିପଦପୂର୍ଣ୍ଣ ଗଛଗୁଡ଼ିକୁ କାଟିବା କିମ୍ବା ସୁରକ୍ଷା ବ୍ୟବସ୍ଥା ନିଆଯାଇଥାନ୍ତା, ତେବେ ଆଜି ଏମିତି ଏକ ମୂଲ୍ୟ ଜୀବନ ନଷ୍ଟ ହୋଇନଥାନ୍ତା।
ଏହି ଘଟଣା ପରେ ଅଞ୍ଚଳବାସୀମାନଙ୍କ ମଧ୍ୟରେ ଗଭୀର ଶୋକ ଓ ଆକ୍ରୋଶ ପ୍ରକାଶ ପାଇଛି। ସାଧାରଣ ଲୋକଙ୍କ ପ୍ରଶ୍ନ — ଏହି ଦୁର୍ଘଟଣା ପାଇଁ ଦାୟୀ କିଏ? ସରପଞ୍ଚ, ବନ ବିଭାଗ ନା ପ୍ରଶାସନ?
ଲୋକେ ଦାବି କରିଛନ୍ତି ଯେ ଏହି ଘଟଣାର ନିଷ୍ପକ୍ଷ ତଦନ୍ତ ହେଉ ଓ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।ଆଗାମୀ ଦିନରେ ଏପରି ଦୁଃଖଦ ଘଟଣା ପୁନରାବୃତ୍ତି ନ ହେବା ପାଇଁ ଟିକିରି ହାଟ ସହ ସମସ୍ତ ଜନସାଧାରଣ ଭିଡ଼ ହେଉଥିବା ସ୍ଥାନରେ ପ୍ରଶାସନ ତରଫରୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ନିଆଯାଉ ବୋଲି ଜନ ସାଧାରଣ ଜୋର ଧରିଛନ୍ତି।
ରାୟଗଡାରୁ କମଳ ଲୋଚନଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
