ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ଓ ସ୍ୱାଧୀନ ଫେଡରେସନ୍ ପକ୍ଷରୁ ଡାକାଯାଇଥିବା ସର୍ବଭାରତୀୟ ବନ୍ଦର ପ୍ରଭାବ ରାୟଗଡା ସହରରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ସହରର ପ୍ରାୟ ୧୦ଟି ବିଭିନ୍ନ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇ ସକ୍ରିୟ ଭାବେ ପିକେଟିଂ କରିଥିଲେ। କପିଳାସ ଛକ ଓ ସିରିଗୁଡା ଛକରେ ଶ୍ରମିକ ନେତାମାନେ ରାସ୍ତା ଅବରୋଧ କରିବାରୁ ସହରରେ ଯାନବାହନ ଚଳାଚଳ ପୂରାପୁରି ବନ୍ଦ ରହିଥିଲା।

ବନ୍ଦର ପ୍ରଭାବରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଛୋଟ ବଡ଼ ବ୍ୟବସାୟ କେନ୍ଦ୍ରଗୁଡ଼ିକ ଠପ ହୋଇଯାଇଥିଲା। ରାୟଗଡା ବସଷ୍ଟାଣ୍ଡରେ ବସ୍ ସେବା ବନ୍ଦ ରହିଥିବାରୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶିକ୍ଷାନୁଷ୍ଠାନ ଓ କିଛି ବ୍ୟାଙ୍କ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଥିବା ସୂଚନା ମିଳିଛି।

ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ଶ୍ରମଶକ୍ତି ନୀତି ୨୦୨୫ ରଦ୍ଦ, ବିଦ୍ୟୁତ୍ ସଂଶୋଧିତ ବିଲ୍ ବାତିଲ ଓ ଅଙ୍ଗନୱଡ଼ି, ଆଶା ଓ ପାଚିକା କର୍ମୀମାନଙ୍କୁ ଶ୍ରମିକ ମାନ୍ୟତା ଦେବା ଭଳି ଦାବି ଉଠାଇଛନ୍ତି ସଂଗଠନଗୁଡ଼ିକ। ସମୁଦାୟ ଭାବେ ବନ୍ଦର ପ୍ରଭାବରେ ରାୟଗଡା ସହରର ସାଧାରଣ ଜୀବନଯାପନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

ରାୟଗଡା ରୁ ମନୋରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
