କାନ୍ଦମାଲ ଜିଲ୍ଲା ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀ ଉକ୍ତ ଅଞ୍ଚଳର ଦୁଇଗୋଟି ଦୁଃଖଦ ଖବରକୁ କ୍ୟାମେରା ଲେନ୍ସ ରେ ଉତ୍ତଳନ କରିଛନ୍ତି।
ନଦୀର ପ୍ରବଳ ସ୍ରୋତରେ ଭାସିଯାଉଥିବା ବେଳେ ଯୁବକ ଉଦ୍ଧାର।
କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି। ଗୁରୁବାର ଉକ୍ତ ଗୁମାଡ଼ି ନଦୀ ପାର ହେବା ସମୟରେ ଜଣେ ଯୁବକ ଭାସିଯାଉଥିଲେ। ସେ ତିଲୋରୀ ପଞ୍ଚାୟତ ଗଇସବାନ୍ଦା ଗ୍ରାମର ନାଗେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି। ସେ ଭାସି ଯାଉଥିବା ବେଳେ ନିକଟରେ ଥିବା କିଛି ଯୁବକ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରିଥିଲେ l ସେ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ସେ ଭାସି ପଳାଇଥିଲେ। ବହୁ ପରିଶ୍ରମ କରି ନାଗେଶ୍ୱରଙ୍କୁ ଉଦ୍ଧାର କରାଯାଇଥିବା ବିଷୟ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ତଥା ତିଲୋରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ପ୍ରଧାନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ୧ ସପ୍ତାହରୁ ଅଧିକ ଦିନ ହେବ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇ ହୋଇ ଯାଇଥିବାରୁ ଦାରିଙ୍ଗବାଡି ବ୍ଲକର ୩ ପଞ୍ଚାୟତ ତିଲୋରୀ ବୁଡ଼ାଗୁଡା, ଗୁମିକିଆ ଏବଂ କୋଟଗଡ଼ ବ୍ଲକ ପକାରୀ ଓ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଗୁରୁବାର ମଧ୍ୟ ଉକ୍ତ ନଦୀରେ ୧୦ ଫୁଟ ଉଚ୍ଚର ଜଳ ପ୍ରଭାହିତ ହେଉଥିବା ସେ କହିଛନ୍ତି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଗୁମାଡ଼ି ନଦୀ ଉପରେ ବ୍ରିଜ ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି।
ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ।
କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ବିନକି ମେଣ୍ଡି ଗାଁର ଜଣେ ୨୧ ବର୍ଷ ବୟସ୍କ ଯୁବକ ନିଖୋଜ ଥିବା ନେଇ ପରିବାର ଲୋକେ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଯୁବକ ଜଣକ ଚଳିତ ମାସ ୪ ତାରିଖ ଦିନ ସମ୍ପର୍କୀୟଙ୍କ ବାଇକ୍ ଧରି କଟ୍ରିଙ୍ଗିଆ ଯାଉଛି କହି ଯାଇ ଘରକୁ ଫେରିନଥିଲେ l ପରିବାର ଲୋକଙ୍କୁ ୬ ତାରିଖ ଦିନ ଯୁବକଙ୍କ କିଛି ସାଙ୍ଗ ଖଜୁରୀପଡ଼ା ଥାନା ଅଞ୍ଚଳ ଗୁଦାରି ନିକଟରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ଦୁର୍ଘଟଣା ଘଟିଥିବାର କହୁଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ପତ୍ତା ପାଇନଥିଲେ । ପରେ ଫୁଲବାଣୀର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିବା ସହ ନିଜର ସମ୍ପର୍କୀୟ, ବନ୍ଧୁ ବାନ୍ଧବଙ୍କ ଘରେ ମଧ୍ୟ ଖୋଜାଖୋଜି କରିଥିଲେ l କୌଣସି ସନ୍ଧାନ ନମିଳିବାରୁ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଗୁରୁବାର ତପନଙ୍କ ମୃତଦେହ ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ଠାବ ହୋଇଛି ।
କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।